ଭଦ୍ରକ, ୩/୯ (ସନ୍ଧାନ ନିୟୁଜ) – ଆମେ ସ୍ୱାଧୀନ ହେବାରେ ଦୀର୍ଘ ୭୩ ବର୍ଷ ପୂର୍ଣ୍ଣ ହେବାକୁ ଯାଉଥିଲେ ବି ଭଦ୍ରକ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରୁ ମାତ୍ର ଦେଢକିଲୋମିଟର ଦୂରରେ ଥିବା କୁଶଗଡିଆ-ବଗମରା ରାସ୍ତାଟିକୁ ଦେଖିଲେ ଯେ କେହି ବିଶ୍ୱାସ କରିପାରିବ ନାହିଁ ଯେ ବିକାଶର ନାରା ଦେଉଥିବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଏଠାରେ କାର୍ଯ୍ୟକାରୀ ହୋଇଛି ବୋଲି । ଦୀର୍ଘବର୍ଷ ଧରି ଏହି ୩ କିମିର ରାସ୍ତାଟି ଉପରେ ସ୍ଥାନୀୟ ଅଂଚଳର ଗେଲଟୁଆ, ବନ୍ଧଗାଁ, ଆମ୍ବରୋଳି ଓ ବାଣିତିଆ ଭଳି ବହୁ ପଂଚାୟତର ପ୍ରାୟ ୩୦ ହଜାରରୁ ଉଦ୍ଧ୍ୱର୍ ଲୋକ ନିର୍ଭର କରିଆସୁଥିବାବେଳେ ପ୍ରତ୍ୟେକ ଦିନ ଶତାଧିକ ଛୋଟ ଛୋଟ ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି କଲେଜ ପଢୁଆ ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ଯିବାଆସିବା କରିଥାନ୍ତି । ମାତ୍ର ଏହି ରାସ୍ତାଟିର ଅବସ୍ଥା ଏବେ ଏଭଳି ହୋଇଛି ଯେ ସାଧାରଣ ଅଟୋ ଚାଳକମାନେ ସ୍କୁଲ ପିଲାଙ୍କୁ ନେବାଆଣିବା କରିବା ପାଇଁ ନାସ୍ତିବାଣୀ ଶୁଣାଉଛନ୍ତି । ପିଲାମାନେ ସାଇକେଲ୍ ଧରି ମଧ୍ୟ ଏହି ରାସ୍ତାରେ ବହୁ ଦୁର୍ଘଟଣାର ସମ୍ମୁଖୀନ ହୋଇ ସ୍କୁଲ ଅଧାରୁ ଘରକୁ ଫେରୁଥିବା ଭଳି ଦୟନୀୟ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଆଜି ଏକ ଅଟୋ ସ୍କୁଲ ପିଲାଙ୍କୁ ନେଇ ଘରକୁ ଫେରୁଥିବାବେଳେ ଅଧକିଲୋମିଟର ଦୂରରୁ କାଦୁଅରେ ଗଳିପଡିବା ଫଳରେ ଛୋଟ ଛୋଟ ପିଲାମାନେ କର୍ଦ୍ଦମାକ୍ତ ପାଣିରେ ଚାଲି ଚାଲି ଘରକୁ ଫେରିବା ଭଳି ଅଭାବନୀୟ ଘଟଣା ସମସ୍ତଙ୍କୁ ବିବ୍ରତ କରିଥିଲା । ଅତୀତରେ ଏହି ଅଧାପନ୍ତରିଆ ରାସ୍ତାର ଦୂରାବସ୍ଥା ଯୋଗୁଁ ଦମକଳ ବଗମରା ଗ୍ରାମକୁ ଯାଇନପାରିବା ଫଳରେ ୨୦/୩୦ ପରିବାର ସର୍ବସ୍ୱାନ୍ତ ହୋଇଥିଲେ । ବର୍ତ୍ତମାନର ଲଘୁଚାପ ଜନିତ ବର୍ଷା ଯୋଗୁଁ ଏହି ରାସ୍ତାଟିର ଅବସ୍ଥା ଏଭଳି ଶୋଚନୀୟ ହୋଇପଡିଛି ଯେ ପ୍ରସୂତି ମହିଳା ଓ ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସଟିଏ ଡାକି ଡାକ୍ତରଖାନା ନେବା ଅସମ୍ଭବ ହୋଇପଡିଛି । ଏହି ରାସ୍ତାଟିର ସୁଧାର ଦିଗରେ ସ୍ଥାନୀୟ ଅଂଚଳବାସୀ ବହୁବାର ରାଜନେତାଙ୍କ ଠାରୁ ଆରମ୍ଭ କରି ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ବି ସମସ୍ତଙ୍କର ପ୍ରତିଶ୍ରୁତି ଆଜି କେବଳ ପାଣିଗାର ହୋଇ ରହିଯାଇଛି । ଏହି ବର୍ଷାଦିନ ଆସିଲେ ବିଚ୍ଛିନ୍ନାଞ୍ଚଳ ଭାବେ ଜୀବନ ଅତିବାହିତ କରୁଥିବା ଗ୍ରାମବାସୀମାନେ ଏବେ ନୂତନ ଭାବେ ବିଧାୟକ ହୋଇଥିବା ସଂଜୀବ ମଲ୍ଲିକଙ୍କ ନିକଟରେ ନିଜ ସମସ୍ୟାର ସୁଧାର ଦିଗରେ ଗଣମାଧ୍ୟମ ଜରିଆରେ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ବିକାଶ ଛୁଇଁନି ବଗମରା-କୁଶଗଡିଆ ରାସ୍ତାକୁ, ଆନ୍ଦୋଳନ ଡାକରା
|
September 3, 2019 |