ବାଲେଶ୍ଵର,୧୯.୦୭.୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ବାଲେଶ୍ଵର ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ହେବା ପରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ମିଳିବ ବୋଲି ବାଲେଶ୍ଵରବାସୀ ଆଶା ବାନ୍ଧିଥିଲେ । ହେଲେ ସେମିତି କିଛି ହେଲାନାହିଁ । ଏବେ ବି ଛୋଟମୋଟ ଘଟଣାରେ ରୋଗୀଙ୍କୁ କଟକ ରେଫର୍ କରାଯାଉଛି । ଏମିତିକି ବଡ଼ ଡ଼ାକ୍ତରଖାନାରେ ବହୁ ବିଭାଗ ଖୋଲିବାକୁ ବାକି ଥିବାବେଳେ ଅନେକ ବିଭାଗରେ କାମଚଳ ସ୍ବାସ୍ଥ୍ୟ ସେବା ଚାଲିଛି । ତନ୍ମଧ୍ୟରୁ ମାନସିକ ରୋଗ ଚିକିତ୍ସା ବିଭାଗ ଅନ୍ୟତମ । ମେଡିକାଲ କଲେଜ ପ୍ରତିଷ୍ଠା ପରେ ମାନସିକ ରୋଗ ବିଶେଷଜ୍ଞ ନିଯୁକ୍ତ ପାଇଛନ୍ତି ସତ , କିନ୍ତୁ ରୋଗୀଙ୍କ ଚିକିତ୍ସା ପାଇଁ ଏଯାବତ୍ ସ୍ବତନ୍ତ୍ର ଓ୍ଵାର୍ଡ ଖୋଲା ଯାଇପାରିନାହିଁ । ଏ ନେଇ ମେଡିକାଲ କ୍ରିୟାନୁଷ୍ଠାନ କମିଟିର ଅନେକ ଥର ଦାବି କରିଥିଲେ ମଧ୍ୟ ଫଳରେ ଗୁରୁତର ରୋଗୀଙ୍କୁ କଟକ ସ୍ଥାନାନ୍ତର କରାଯାଉଛି ।
୨୦୧୫ ମସିହାରେ ବାଲେଶ୍ଵର ବଡ଼ ଡ଼ାକ୍ତରଖାନାରେ ମାନସିକ ରୋଗ ଚିକିତ୍ସା ବିଭାଗ ଆରମ୍ଭ ହୋଇଛି । ପ୍ରଥମେ ଏହି ବିଭାଗ ଆଉଟଡୋରରେ ଚାଲୁଥିବା ବେଳେ ପରେ ଡେଙ୍ଗୁ ଓ୍ଵାର୍ଡ ସ୍ଥାନାନ୍ତର ହୋଇଥିଲା । ଏବେ ଯକ୍ଷ୍ମା ଓ୍ଵାର୍ଡ ନିକଟରେ ଏହି ବିଭାଗ ଚାଲିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ କେହି ସ୍ଥାୟୀ ଡାକ୍ତର ନିଯୁକ୍ତି ହୋଇନଥିଲେ । କେବଳ କ୍ଲିନିକାଲ ସାଇକୋଲୋଜିଷ୍ଟ୍ ,କେସ୍ ଓ୍ଵାର୍ଡ ଓ କମ୍ୟୁନିଟି ନର୍ସଙ୍କୁ ନିଯୁକ୍ତି ଦିଆଯାଇଥିଲା । କଟକରୁ ଜଣେ ମାନସିକ ରୋଗ ବିଶେଷଜ୍ଞ ମାସକୁ ତିନିଥର ଡେପୁଟେସନରେ ଆସୁଥିଲେ । ମେଡିକାଲ କଲେଜ ପ୍ରତିଷ୍ଠା ହେବାର ବର୍ଷେ ପରେ କଲେଜ ପକ୍ଷରୁ ୪ଜଣ ଡାକ୍ତର ( ବିଭାଗୀୟ ମୁଖ୍ୟ , ଡାକ୍ତର,ଏସ୍ଆର୍ (ସିନିୟର ରେସିଡେଣ୍ଟ୍), ଜେଆର୍ (ଜୁନିୟର ରେସିଡେଣ୍ଟ) ଡାକ୍ତରଙ୍କୁ ନିଯୁକ୍ତି ଦିଆଗଲା । ପୂର୍ବରୁ ଡାକ୍ତରଖାନାକୁ ଯେତିକି ମାନସିକ ରୋଗୀ ଆସୁଥିଲେ ଏବେ ରୋଗୀଙ୍କ ସଂଖ୍ୟା ତା ଅପେକ୍ଷା ଢେର ବଢ଼ିଛି । ଏମିତିକି କଟକ ଓ ରାଞ୍ଚିରେ ଯେଉଁମାନେ ଚିକିତ୍ସିତ ହେଉଥିଲେ , କୋରାନା ସମୟରେ ସେମାନେ ଏବେ ବାଲେଶ୍ଵରରେ ବାଲେଶ୍ଵରରେ ଚିକିତ୍ସିତ ହେଉଛନ୍ତି । ସୂଚନା ମୁତାବକ,ମାସକୁ ପ୍ରାୟ ୮ ଶହ ଲୋକ ମାନସିକ ବିଭାଗକୁ ଚିକିତ୍ସା ପାଇଁ ଆସୁଛନ୍ତି । ଏହାବ୍ୟତୀତ ନିୟମିତ ବ୍ୟବଧାନରେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀସଂଖ୍ୟା ପ୍ରାୟ ୫ ଶହ ଅଧିକ । ସେମାନେ ବିଭାଗୀୟ ଆଉଟଡୋରରେ ଡ଼ାକ୍ତରଙ୍କ ସହ ପରାମର୍ଶ କରି ଔଷଧ ନେଇଯାଆନ୍ତି । ଏ ସମ୍ପର୍କରେ ଫକୀରମୋହନ ମେଡିକାଲ କଲେଜର ମାନସିକ ରୋଗ ବିଭାଗର ସରକାରୀ ପ୍ରଫେସର ଡାକ୍ତର ମାନସ ରଂଜନ ସାହୁ କହିଛନ୍ତି , ଏଠାରେ ଆମର ଇନଡୋର ଓ୍ଵାର୍ଡ ନାହିଁ । ତେବେ ମାନସିକ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଅନୁଭବ କଲେ ରୋଗୀଙ୍କୁ ଆମେ କଟକ ପଠାଉଛୁ । ଏବେ ମାନସିକ ରୋଗ ବିଭାଗ ଆଉଟଡୋରରେ ଦୁଇଓଳି ସ୍ବାସ୍ଥ୍ୟସେବା ଦିଆଯାଇଛି । ତା’ ଛଡ଼ା ମାନସିକ ରୋଗୀଙ୍କ ପାଇଁ ଟେଲି ଓ ଭିଡ଼ିଓ କାଉନସେଲିଂର ସୁବିଧା କରାଯାଇଛି । ଫୋନ୍ ମାଧ୍ୟମରେ ଦିନକୁ ୧୦ ରୋଗୀଙ୍କ ଚିକିତ୍ସା କଥା ବୁଝାଯାଉଛି । ହେଲପ୍ ଲାଇନ୍ ନମ୍ବରରେ ବି ରୋଗୀମାନେ କଲ୍ କରିଛନ୍ତି । ଦିନକୁ ଦିନ ରୋଗୀ ସଂଖ୍ୟା ବଢୁଥିବାରୁ ବାଲେଶ୍ଵର ବଡ଼ ଡ଼ାକ୍ତରଖାନାରେ ମାନସିକ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଓ୍ଵାର୍ଡ କରାଯିବା ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।