ବାରିପଦା ଅର୍ବାନ ସମବାୟ ବ୍ୟାଙ୍କଙ୍କୁ  ୮ ସପ୍ତାହ ମଧ୍ୟରେ ଟଙ୍କା ଫେରସ୍ତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Spread the love

ବାରିପଦା, ୧୮/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା) -ବାରିପଦା ଅର୍ବାନ ସମବାୟ ବ୍ୟାଙ୍କର ୭୬,୯୮୪ ଜମାକାରୀ ଗଚ୍ଛିତ ରଖୁବା ଟଙ୍କା ୨୦୧୨ରୁ ଆବଶ୍ୟକ ବେଳେ ଫେରସ୍ତ ନ ପାଇ ବହୁ ଦୁଃଖ ଦୁର୍ଦ୍ଦଶା ଭୋଗୁଥିବା ବେଳେ ଆଜି ଓଡିଶା ହାଇକୋର୍ଟଙ୍କ ଐତିହାସିକ ରାୟ ଶୁଣି ତାଙ୍କ ମନରେ ଉଲ୍ଲାସ ଖେଳିଯିବା ସହିତ ନୂତନ ଆଶାର ସଂଚାର ହୋଇଛି । ପ୍ରକାଶ ଯେ ୧୯୬୦ ଏପ୍ରିଲ ୨୪ ତାରିଖରେ ଏଠାରେ ପ୍ରତିଷ୍ଠିତ ବାରିପଦା ଅର୍ବାନ ବ୍ୟାଙ୍କର ବ୍ୟାଙ୍କ କାରବାର ବନ୍ଦ ପାଇଁ ୨୦୧୨ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ଅଙ୍କୁଶ ୪ ଲଗାଯାଇଥିବା ଫଳରେ ଜମାକାରୀ ସେମାନଙ୍କ ଜମା ଟଙ୍କା ଉଠାଇ ପାରୁ ନ ଥିଲେ । ଉକ୍ତ ବ୍ୟାଙ୍କର ଲାଇସେନ୍ସ ରବ୍ଦ କରି ୨୦୧୫ରେ ରିଜର୍ଭ ବ୍ୟାଙ୍କ ସଂପୂର୍ଣ୍ଣ ବିଲୟ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଏହି ବିଲୟ ନିର୍ଦ୍ଦେଶ କେବଳ ବାରିପଦା ନୁହେଁ ଭୁବନେଶ୍ବର ଏବଂ ଛତ୍ରପୁର ଅର୍ବାନ ବ୍ୟାଙ୍କ ପାଇଁ ମଧ୍ୟ ଜାରି ହୋଇଥିଲା । ମାତ୍ର ଉକ୍ତ ବିଲୟ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ତତ୍କାଳୀନ ବ୍ୟାଙ୍କ ପରିଚାଳନା ବୋର୍ଡର ସଭାପତି ଗିରିଧାରୀ ପୃଷ୍ଟିଙ୍କ ତତ୍ବାବଧାନରେ ଉଚ୍ଚ ନ୍ୟାୟାଳୟ( ହାଇକୋର୍ଟ) ରେ ଏକ ମିଶକେସ୍ ଗତ ଜାନୁଆରୀ ୧୬ ତାରିଖରେ ଦାଖଲ କରାଯାଇଥିଲା । ମାନ୍ୟବର ଉଚ୍ଚ ନ୍ୟାୟାଳୟ ଉକ୍ତ ମିଶକେସ୍ ଆଇଏ ୬୯୫/୨୦୨୦ର ଆବେଦନର ଶୁଣାଣି କରି ଗତ ଜୁନ୍ ୨୫ ତାରିଖରେ ଜମାକାରୀଙ୍କ ଜମା ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଉକ୍ତ ନିର୍ଦ୍ଦେଶ ମୁତାବକ ତତ୍କାଳୀନ ଏମଆଇସି ତଥା ପ୍ରଶାସକ ଥିବା ମୟୂରଭଞ୍ଜ ଅତିରିକ୍ତ ଜିଲାପାଳ ସ୍ଵଧାଦେବ ସିଂ ୩ କୋଟି ୪୬ ଲକ୍ଷ ଟଙ୍କା ଜମାକାରୀଙ୍କୁ ଫେରସ୍ତ କରିଥିଲେ। ମାତ୍ର ଅନ୍ୟ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦେବା ପ୍ରକ୍ରିୟା ଜାରି ଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଅପିଲ ନମ୍ବର ଡବ୍ଲ୍ୟୁଏ ୪୧୩/୨୦୨୦ ନମ୍ବରର ଏକ ମାମଲା ଦାଖଲ କରାଯାଇ ଟଙ୍କା ଫେରସ୍ତ ନ କରିବାକୁ ଆବେଦନ କରାଯାଇଥିଲା । ଉକ୍ତ ମାମଲାର ଶୁଣାଣି କରି ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରା ଜମାକାରୀଙ୍କୁ ଟଙ୍କା ଫେରସ୍ତ ନ କରିବା ସକାଶେ ଅନ୍ତରୀଣ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ଏବଂ ଏହା ପରେ ଉକ୍ତ ଅନ୍ତରୀଣ ଆଦେଶ ଉଠାଇବା ପାଇଁ ଅର୍ବାନ ବ୍ୟାଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଅପିଲ କରାଯାଇଥିଲା । ଉଚ୍ଚ ନ୍ୟାୟାଳୟର ଜଷ୍ଟିସ ସଞ୍ଜ ପଣ୍ଡା ଓ ଜଷ୍ଟିସ ସଂଜୀବ ପାଣିଗ୍ରାହୀଙ୍କ ଦ୍ବାରା ଗଠିତ ଡିଭିଜନ ବେଞ୍ଚରେ ଅର୍ବାନ ବ୍ୟାଙ୍କର ଏହି ଅପିଲର ଆଜି ଶୁଣାଣି କରାଯାଇ ସମସ୍ତ ଜମାକାରୀଙ୍କୁ ସେମାନଙ୍କର ଜମା ଟଙ୍କା ଆଠ ସପ୍ତାହ ମଧ୍ୟରେ ଫେରସ୍ତ କରିବା ସକାଶେ ଡିଆରସିଏସ ତଥା ଲିକ୍ୟଡେଟର ବାରିପଦାଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି । ବାରିପଦା ଅର୍ବାନ ବ୍ୟାଙ୍କ ତରଫରୁ ଆଇନଜୀବୀ ରମାକାନ୍ତ ମହାନ୍ତି, ଅଶୋକ ମହାପାତ୍ର ଓ ଉଷା ବସ୍ତିଆ ଏବଂ ରାଜ୍ୟ ସରକାରଙ୍କ ତରଫରୁ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ । ଉଲ୍ଲେଖଯୋଗ୍ୟ ଯେ ଅଣଆଦାୟ ଟଙ୍କାକୁ ଛାଡି ବର୍ତ୍ତମାନ ବ୍ୟାଙ୍କରେ ୮୨.୫୯ କୋଟି ଟଙ୍କା ଗଚ୍ଛିତ ଥିବା ବେଳେ ଜମାକାରୀଙ୍କୁ ୬୮୭୮ କୋଟି ଟଙ୍କା ଫେରସ୍ତ ଦିଆଯିବାକୁ ରହିଛି ଏବଂ ଏହା ପୂର୍ବରୁ ଗତ ଜୁଲାଇ ମାସରେ ୩.୪୬ କୋଟି ଟଙ୍କା ଜମାକାରୀଙ୍କୁ ଫେରସ୍ତ ଦିଆଯାଇଥିଲା । ପ୍ରକାଶ ଥାଉକି ଉକ୍ତ ଅର୍ବାନ ବ୍ୟାଙ୍କର ପୁନରୁଦ୍ଧାର ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୩ ଏବଂ ୨୦୧୯ରେ ବାରିପଦାଠାରେ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କାର୍ଯ୍ୟକାରୀ ପାଇଁ ବିଜେଡି ଜିଲା ପର୍ଯ୍ୟବେକ୍ଷକ ବିଧାୟକ ପ୍ରଣବପ୍ରକାଶ ଦାସ ଏବଂ ମୋରଡା ବିଧାୟକ ରାଜକିଶୋର ଦାସଙ୍କ ଅକ୍ଲାନ୍ତ ଓ ନିରବଚ୍ଛିନ୍ନ ଉଦ୍ୟମ ଫଳରେ ଅର୍ବାନ ବ୍ୟାଙ୍କର ଜମାକାରୀମାନେ ଟଙ୍କା ଫେରସ୍ତ ପାଇବାର ସୁଯୋଗ  ପାଇବାକୁ ଯାଉଛନ୍ତି ।

Related Posts

About The Author

Add Comment