ବାରିପଦା, ୧୬/୯/୨୦ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା) : ବାରିପଦା ସହରର କେନ୍ଦ୍ରସ୍ଥଳ କୃଷ୍ଣଚନ୍ଦ୍ର ଗୋଲେଇ ନିକଟରେ ଜଣେ ଯୁବକଙ୍କ ରହସ୍ୟଜନକ ହତ୍ୟାକାଣ୍ଡ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ମୃତକ ଯୁବକ ଜଣକ ସ୍ଥାନୀୟ ୨୦ ନମ୍ବର ୱାର୍ଡ ସୁନଗଡିଆ ବିକ୍ରମ ଦାସ(୨୮) ଓ ସେ ଜଣେ ଗାଡି ଚାଳକ । ଏହି ହତ୍ୟାକାଣ୍ଡ ସଂପର୍କରେ ତାଙ୍କ ପତ୍ନୀ ମିନୁ ଦାସଙ୍କ ଲିଖିତ ଅଭିଯୋଗକ୍ରମେ ବାରିପଦା ଟାଉନ ଥାନାରେ ୬୧୯/୨୦ ନମ୍ବରର ଏକ ନରହତ୍ୟା ମାମଲା ୩୦୨ ଦଫାରେ ରୁଜୁ ହୋଇଛି । ଟାଉନ ଥାନାର ସବ୍ଇନ୍ସପେକ୍ଟର ସୁଦର୍ଶନ ବାଗେ ତଦନ୍ତ କରୁଥିବା ସହିତ ଜଣଙ୍କୁ ଅଟକ ରଖାଯାଇଥିବା ଜଣାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ସ୍ଥାନୀୟ କୃଷ୍ଣଚନ୍ଦ୍ର ଗୋଲେଇ ନିକଟ ଏକ ଗଳିରାସ୍ତାରେ ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ରାସ୍ତାକଡ଼ରେ ପଡ଼ିଥିବା ଗତକାଲି ଖବର ପାଇଥିଲେ ଏବଂ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲକୁ ନେଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଆଜି ମୃତକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ତାଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହୋଇ ନ ଥିଲେ ମଧ୍ୟ ପୁଲିସ ତଦନ୍ତ ପରେ ଜଣାପଡିବ ପ୍ରକାଶ।
ବାରିପଦାରେ ଯୁବକଙ୍କୁ ହତ୍ୟା: ଜଣେ ଅଟକ
|
September 16, 2020 |



