ଯାଜପୁର,୫/୨(ସନ୍ଧାନ ନିୟୁଜ/ମାନସ ରାଉତ) ଯାଜପୁର ଜିଲ୍ଲା ଅନ୍ତର୍ଗତ ଚଣ୍ଡିଖୋଲସ୍ଥିତ ବାବା ଭୈରାବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟର ଗତ ଜାନୁୟାରୀ ୨୪ ତାରିଖରୁ ଆରମ୍ଭ ହୋଇଥିବା ୧୨ଦିନିଆ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ମଙ୍ଗଳବାର କଲେଜ ପରିସରରେ ଉଦଯାପିତ ହୋଇଯାଇଛି । ରାଜ୍ୟ ସରକାରଙ୍କର ଉଚ୍ଚଶିକ୍ଷା ବିଭାଗ ତରଫରୁ ୨୦୧୮-୧୯ ଶିକ୍ଷା ବର୍ଷ ପାଇଁ ଏହି ୧୨ ଦିନିଆ ଆତ୍ମ ସୁରକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ଏକ ସଚେତନତା ସଭା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.କେଦାରନାଥ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।
ମୁଖ୍ୟ ଅତିଥି ଭାବେ ବଡଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ଯୋଗଦେଇ ସମାଜରେ ଛାତ୍ରୀମାନଙ୍କ ପ୍ରତି ଦୈନନ୍ଦିନ ହେଉଥିବା ବିପଦକୁ ସାମନା କରିବା ପାଇଁ ଏହି ପ୍ରଶିକ୍ଷଣ ଶିବିର ସାହାଯ୍ୟ କରିବ ବୋଲି ଶ୍ରୀ ପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ । ଜାତୀୟ ସେବା ଯୋଜନାର କାର୍ଯ୍ୟ ନିାର୍ବହୀ ଅଧ୍ୟାପିକା ଶ୍ରୀମତୀ ସୁଜାତା ସେନାପତି ଓ ଅଧ୍ୟାପକ ସଲିଳ ରାଜନନ୍ଦନ ମହାନ୍ତି ୧୨ଦିନିଆ ଶିବିର ସମ୍ବଦ୍ଧରେ ଆ ଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ବିଜୟ କେତନ ସାମଲ ଜାତୀୟ ସେବା ଯୋଜନା ଦ୍ୱାରା କରାଯାଇଥିବା ଏହି ପ୍ରଶିକ୍ଷଣ ଶିବିରରୁ ଛାତ୍ରୀ ମାନେ ଭରପୁର ଲାଭ ଉଠାଇ ବିପଦରେ ନିଜ ନିଜର ସୁରକ୍ଷା ପାଇଁ ଏହାକୁ କାମରେ ଲଗାଇବା ପାଇଁ ଦରକାର ବୋଲି କହିଥିଲେ । ପ୍ରଶିକ୍ଷଣ ଶିବିରକୁ ପ୍ରଶିକ୍ଷିକା ଭାବେ ଛାତ୍ରୀ ରୋଜା ପୃଷ୍ଟି, ଅଭିସିତା ରାଉତ ଓ ସ୍ମୃତିଶ୍ରୀ ରାଉତ ପରିଚାଳନା କରିଥିଲେ । ସଭା ଶେଷରେ ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରମାଣପତ୍ର ଦିଆଯାଇ ପୁରସ୍କୃତ କରାଯାଇଥିଲା । ପ୍ରଶିକ୍ଷିକା ଅଭିସିତା ରାଉତ ଧନ୍ୟବାଦ ଦେଇଥିଲେ ।