ବସ୍ ଧର୍ମଘଟର ପ୍ରଥମ ଦିନରେ ଯାତ୍ରୀ ହନ୍ତସନ୍ତ: ରୋଗୀଙ୍କ ଠାରୁ ଛାତ୍ରଛାତ୍ରୀ ସମସ୍ତେ ଭୋଗିଲେ ଦୁର୍ଦ୍ଦଶା

Spread the love
ବାଲିଗୁଡା,୨୦/୧୦/୨୩(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):ସରକାର ଓ ବସ୍ ମାଲିକଙ୍କ ବିବାଦ, କିନ୍ତୁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ । ଏହି ପରିପ୍ରେକ୍ଷୀରେ ରାଜ୍ୟ ଘରୋଇ ବସ ମାଲିକ ସଂଘର ଏହି ଡାକରା କୁ ସମର୍ଥନ ଜଣାଇ ବାଲିଗୁଡା  ଘରୋଇ ବସ ମାଲିକ ସଂଘ ସମସ୍ତ ଘରୋଇ ବସ ବନ୍ଦ ରଖିଛି l ଗୋଟିଏ ପଟେ ପାର୍ବଣ ପାଇଁ ଘର ମୁହାଁ ହୋଇଛନ୍ତି ଲୋକ, ଅନ୍ୟପଟେ ଜରୁରୀ କାମ । ଗୁରୁତର ରୋଗରେ ଆକ୍ରାନ୍ତ ହୋଇ କିଏ ହସ୍ପିଟାଲ ଯିବା ପାଇଁ ଅପେକ୍ଷା କରି ରହିଛି ତ କିଏ ବହୁ ଦିନ ପରେ ଘରକୁ ଫେରୁଛି ବସ ବନ୍ଦ ଯୋଗୁଁ ବାଟରେ ଅଟକି ରହିଛି । ଏଭଳି ଦୁର୍ଦ୍ଦଶାର ଚିତ୍ର ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳୁଛି l ଘରୋଇ ବସ୍ ଗୁଡିକ ବନ୍ଦ ଥିବାରୁ ସରକାରୀ ବସ ମଧ୍ୟ ବାଲିଗୁଡା ଅଞ୍ଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିବାରୁ ଯାତ୍ରୀ ମାନେ ଆହୁରି ଅଧିକା ହନ୍ତସନ୍ତ ହୋଇଥିଲେ l ପ୍ରତିଦିନ ଭଳି ଆଜି ଫୁଲବାଣୀ ରୁ ବେଲଘର ଯିବା ସରକାରୀ ଗାଡି ସକାଳ ୯ ଘଣ୍ଟରେ ବାଲିଗୁଡା ବସଷ୍ଟାଣ୍ଡରେ ପହଞ୍ଚିବା ପରେ ବାଲିଗୁଡା ଠାରୁ ବେଲଘର ଯିବାକୁ ଅପେକ୍ଷା କରିଥିବା ଯାତ୍ରୀ ମାନେ ଗାଡି ପାଖକୁ ଗଲା ବେଳକୁ ଉକ୍ତ ଗାଡିର କର୍ମଚାରୀ କହିଲେ ଆଜି ବେଲଘର ଗାଡି  ଯିବନାହିଁ, ଏଠାରୁ ଫୁଲବାଣୀ ଯିବ, ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ଯାତ୍ରୀ ମାନେ ବହୁତ କାକୁତି ମିନତି ହୋଇଥିଲେ ମଧ୍ୟ ଉକ୍ତ ଗାଡି ବେଲଘର ନ ଯାଇ ଫୁଲବାଣୀ କୁ ଯାତ୍ରୀ ଧରି ଫେରିଯାଇଥିଲା l ପାର୍ବଣ ସମୟରେ ଯାତ୍ରୀ ହନ୍ତସନ୍ତ ହେଉଥିବା ବେଳେ ଅଟୋ ଏବଂ ଟ୍ରାଭେଲ୍ସ ଗାଡିର ଚାହିଦା ବଢିଛି । ବସ ଗଡୁନଥିବାରୁ ଲୋକମାନେ ବ୍ୟସ୍ତ ବିବ୍ରତ ହୋଇ ଅଟୋ ଓ ଟ୍ରାଭେଲ୍ସରୁ ବାଧ୍ୟ ହୋଇ ୨ଗୁଣ ଅଧିକା ଭଡ଼ା ଦେଇ ଗାଡି ନେଉଛନ୍ତି । କେଉଁଠି ଘରକୁ ଯିବା ପାଇଁ ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି, ତ ଆଉ କେଉଁଠି ରୋଗୀ ଘରକୁ ଫେରିବା ପାଇଁ ଗାଡି ଭଡା କରି ଅଧିକ ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି । ରାସ୍ତା ଉପରେ ବି ଯାତ୍ରୀ ବସ୍ ପାଇଁ ଅପେକ୍ଷା କରିଥିବାର ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ । ଲକ୍ଷ୍ମୀ ଯୋଜନା ନେଇ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପାଳନ କରିନଥିବା ସଂଘ ଅଭିଯୋଗ କରିଛି । ଘରୋଇ ବସ୍ ଚାଲୁନଥିବାରୁ ସରକାରୀ ବସ୍ ଏକମାତ୍ର ବିକଳ୍ପ ସାଜିଛି । ବସଷ୍ଟାଣ୍ଡରେ ଶହ ଶହ ଲୋକ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଅପେକ୍ଷା କରିଛନ୍ତି । ବସ ବନ୍ଦ ଯୋଗୁଁ ସମଗ୍ର ଅଞ୍ଚଳରେ ସ୍ଥିତି ଅସମ୍ଭାଳ ହୋଇଛି । ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ପୂର୍ବ ଦିନ ମାନଙ୍କ ଭଳି ଧର୍ମଘଟ ଶେଷ ପର୍ଯ୍ୟନ୍ତ ପୂର୍ବ ସମୟାନୁସାରେ ସରକାରୀ ବସ ଚଳାଚଳ କରିବାକୁ ଜନସାଧାରଣଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l

Related Posts

About The Author

Add Comment