ଯାଜପୁର,୧୪/୧୨/୨୦୨୦ (ସନ୍ଧାନ ନିଉଜ) ରାଜା ଶାସନ ସମୟରେ ଏବଂ ପରେ ଇଂରେଜ ଶାସନାଧୀନ ଥିବା ବେଳେ ବଳ ସଂପ୍ରଦାୟର ବୀରତ୍ୱ ଦେଶର ଗୌରବ ଏବଂ ଗରିମା ବୃଦ୍ଧି କରିଛି । ଏହି ଲଢୁଆ ଜାତି ବେଶ ବଳୁଆ ଥିବାରୁ ସେମାନଙ୍କୁ ବଳ ଜାତିର ମାନ୍ୟତା ପ୍ରଦାନ କରାଯାଇ ଥିଲା । ତେଣୁ ଦେଶରକ୍ଷାର ସେମାନଙ୍କୁ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଏଥିପାଇଁ ମିଲିଟାରୀରେ ବଳ ସଂପ୍ରଦାୟ ପାଇଁ ସ୍ୱତନ୍ତ୍ର ରେଜିମେଂଟ କରାଯିବାକୁ ଏହି ସଂପ୍ରଦାୟର ବୈଠକରେ ଦାବି କରିଛନ୍ତି ପୂର୍ବତନ ବିଧାୟକ ତଥା ରାଜାସାହେବ ଗୁରୁଚରଣ ଟୀକାୟତ ।
ଯାଜପୁର ଜିଲ୍ଲାର ଚଣ୍ଡୀଖୋଲରେ ବଳ ସଂପ୍ରଦାୟର ତୃତୀୟ ବୈଠକ ରବିବାର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅଧ୍ୟକ୍ଷତା କରି ଟୀକାୟତ କହିଥିଲେ ଯେ, ପ୍ରତ୍ୟେକ ଜାତିର ଗୋଟିଏ ନିର୍ଦ୍ଧିଷ୍ଟ ଇତିହାସ, ପରମ୍ପରା ଏବଂ ସଂସ୍କୃତି ରହିଛି । ଏହା ହିଁ ଗୋଟିଏ ଜାତିର ଅସଲ ପରିଚୟ । ଏହାର ବିକାଶ, ସୁରକ୍ଷା ଏବଂ ସମୃଦ୍ଧି ଆବଶ୍ୟକ । ଏହି ଧାରାରେ ବଳ ସଂପ୍ରଦାୟ ନେଇ ଭାରତ ଏବଂ ବିଶ୍ୱ ଇତିହାସରେ ବହୁ ଗରିମା ରହିଛି । ଦୀର୍ଘ ଦେଢ ହଜାର ବର୍ଷ ଧରି ଏହି ସଂପ୍ରଦାୟ ଶକ୍ତିଶାଳୀ ଯୋଦ୍ଧା ଶ୍ରେଣୀର ବୋଲି ଇତିହାସରେ ପ୍ରମାଣ ରହିଛି । ଏହାକୁ ଏକତ୍ରିକରଣ କରିବା ସହ ଏହି ଜାତିକୁ ତାର ସମୃଦ୍ଧ ଇତିହାସକୁ ମନେ ପକାଇ ସେମାନଙ୍କ ମଧ୍ୟରେ ଅଧିକ ଦେଶ ଏବଂ ଜାତିପ୍ରେମ ଜାଗ୍ରତ କରାଯିବା ଆବଶ୍ୟକ । ଏହି ଅବସରରେ ଓଡିଶାର ବିଭିନ୍ନ ସ୍ଥାନରେ ବଳ ସଂପ୍ରଦାୟର ସମସ୍ତଙ୍କୁ ଯୋଗାଯୋଗ କରାଯାଇ ୨୦୨୧ ମସିହା ସୁଦ୍ଧା ସେମାନଙ୍କୁ ନେଇ ଏକ ବଡ ଧରଣର ସଂଗଠନ ଗଢି ତୋଳିବାକୁ ନିଷ୍ପତ୍ତି ହୋଇଥିଲା । ଏଥିରେ ସର୍ବଶ୍ରୀ ଅଶୋକ ବଳ (ବୁଲୁବାବୁ) , ଜଗନ୍ନାଥ ବଳ, ଉପେନ୍ଦ୍ର ବଳସାମନ୍ତ, ମନ୍ଦାକିନୀ ଜେମା, ନୀରଞ୍ଜନ ବଳସାମନ୍ତ, ରୁଦ୍ର ମାଧବ ବଳସାମନ୍ତ (ଟୁଟୁ), ସୁରଞ୍ଚô ବଳସାମନ୍ତ, ଆଦିତ୍ୟ ବଳସାମନ୍ତ ପ୍ରମୁଖ ଉପସ୍ଥିତ ରହି ନିଜର ମତବ୍ୟକ୍ତ କରିଥିଲେ । ଆସନ୍ତା ମାସ ଜାନୁୟାରୀ ୧୭ ତାରିଖରେ ବଡଚଣା ବ୍ଲକ ଅସିହାଗଡରେ ପରିବର୍ଦ୍ଧିତ ବୈଠକ ହେବାକୁ ସ୍ଥିର ହୋଇଛି । ବୈଠକରେ ବହୁ ସଂଖ୍ୟାରେ ବଳ ସଂପ୍ରଦାୟର ଲୋକମାନେ ଯୋଗ ଦେଇଥିଲେ ।
ବଳ ସଂପ୍ରଦାୟ ପାଇଁ ମିଲିଟାରୀରେ ସ୍ୱତନ୍ତ୍ର ରେଜିମେଂଟ କରାଯିବାକୁ ଦାବି
|
December 14, 2020 |