ବଢୁଛି ବୁଢାବଳଙ୍ଗ:କୂଳ ଲଘିଂଲା ଗଙ୍ଗାହାର

Spread the love

ବଡ଼ସାହି, ୨୫/୧୦ (ସନ୍ଧାନ ନିଉଜ) : ଲଘୁଚାପ ଜନିତ ଭାରି ବର୍ଷା ଫଳରେ ବଡ଼ସାହି ବ୍ଲକରେ ନାହିଁ ନଥିବା ସ୍ଥିତି ଉପୁଜିଛି। ବ୍ଲକ ମଧ୍ୟ ଦେଇ ପ୍ରବାହିତ ଗଙ୍ଗାହାର ନଦୀର ବନ୍ୟାଜଳ କୂଳଲଘଂନ କରିଛି। ନଦୀ ସଂଲଗ୍ନ ଚାଷଜମି ବନ୍ୟାଜଳରେ ବୁଡ଼ି ରହିଥିବା ବେଳେ ବଡ଼ସାହି-କୁଆମରା ରାସ୍ତାର ଖଡ଼ିକାପଦା ପୋଲ ଉପରେ ୨/୩ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ନଦୀ ସଂଲଗ୍ନ ମାଣତ୍ରୀ କୁଣ୍ଡିସାହି, କୁଞ୍ଚିବଣିଆ, ଉଞ୍ଚଡିହି, ସିମିଳିସାହି, ଆଗ୍ରିଆ, ଡୁମୁରିଆ, ନରଣଗାଁ, ପାଳପାଟଣା, ନୁଣକୁଆ, ଜଡିଦା, ଭୁରୁଡିହା, ଶାଳଗାଁ ଓ ଚେଙ୍ଗୁଆ-ମଙ୍ଗଳପୁର ଗ୍ରାମର ତଳି ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ମାଙ୍କଡକେନ୍ଦା, ଖଡ଼ିକାପଦା ଓ ବେଢ଼ାପାଳ ଗ୍ରାମ ପାଣିଘେରରେ ରହିଛି। ବଡ଼ସାହି ତହସିଲଦାର ଅମୀୟ ରାଉତ ଓ ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧାନଙ୍କ ଅନ୍ୟତ୍ର ବଦଳି ହୋଇଥିବା ବେଳେ ଉଭୟେ ଛୁଟିରେ ଅଛନ୍ତି। ମୟୂରଭଞ୍ଜ ଜିଲାର ବନ୍ୟାପ୍ରବଣ ବ୍ଲକରୁ ଉଭୟଙ୍କ ବଦଳି କରାଯିବା ଓ ତାଙ୍କ ପ୍ରତିବଦଳରେ କାହାରିକୁ ନିଯୁକ୍ତି ଦିଆ ନଯିବା ବର୍ତ୍ତମାନ ବନ୍ୟା ହେଲେ ପ୍ରଶାସନକୁ ମହଙ୍ଗା ପଡ଼ିବ। ତେବେ ଅତିରିକ୍ତ ତହସିଲଦାର ପୃଥ୍ୱୀରାଜ ପରିଡ଼ା ବିଭାଗୀୟ କର୍ମଚାରୀଙ୍କ ସହିତ ବନ୍ୟାସ୍ଥିତି ଅନୁଧ୍ୟାନ କରୁଛନ୍ତି। ବଡ଼ସାହି ବ୍ଲକରେ ୨ଦିନ ଧରି ୧୩୧ମିମି ବର୍ଷା ରେକର୍ଡ଼ ହୋଇଛି। ଅପରାହ୍ଣରେ ବର୍ଷା ଥମିଥିଲେ ହେଁ ଉଭୟ ନଦୀର ବନ୍ୟାଜଳ ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି। ତେବେ ଉପରମୁଣ୍ଡରେ ବର୍ଷା ନଥିବାରୁ ଭୟଭୀତ ହେବାର କାରଣ ନାହିଁ ବୋଲି ଜିଲା ଜରୁରୀ ବିଭାଗ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି। ଚାଷ ଜମି ଜଳାର୍ଣ୍ଣବ ପାଇଁ ଧାନ ତଥା ପରିବା ଫସଲ ହାନି ଆଶଙ୍କା ଉପୁଜିଛି। ୨ଦିନ ଧରି ଅବିଶ୍ରାନ୍ତ ବର୍ଷା ପାଇଁ ଗୋ-ସମ୍ପଦ ଭୋକ ଉପାସରେ ରହିଛନ୍ତି। କାଳୀପୂଜା ଓ ବନ୍ଦାଣ ପର୍ବ ଫିକା ପଡ଼ିଛି। ଭାରି ବର୍ଷା ଫଳରେ ଜଳନିଷ୍କାସନ ବାଧାପ୍ରାପ୍ତ ହୋଇ ବଜାର ଘାଟ ଉବୁଟୁବୁ ହୋଇଛି। ଏହାକୁ ନେଇ ଅନେକ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଦେଖାଦେଇଛି। ବର୍ଷା ପାଇଁ ସ୍କୁଲଛୁଟି ଘୋଷଣା ପାଇଁ ସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା।

Related Posts

About The Author

Add Comment