ସର୍ଭେଇଲାନ୍ସ ଅଞ୍ଚଳରେ ବୁଲିବ ଡ୍ରୋନ କ୍ୟାମେରା
ବହିରାଗତଙ୍କୁ କ୍ୱାରେଣ୍ଟାଇନ କରିବାକୁ ନେଇ ତାଲିମ
ଭଦ୍ରକ, ୨୮/୦୪ (ସନ୍ଧାନ ନିଉଜ) ଜିଲ୍ଲାରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନରେ ବୃଦ୍ଧି କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଭେଇଲାନ୍ସ ଅଞ୍ଚଳର ସ୍ଥିତି ଉପରେ ନଜର ରଖିବା ପାଇଁ ପ୍ରଶାସନ ପକ୍ଷରୁ ଡ୍ରୋନ କ୍ୟାମେରାର ବ୍ୟବସ୍ଥା କରାଯାଇଥିବା ବେଳେ ମେ ୩ ତାରିଖ ଲକ୍ଡାଉନ ପରେ ବାହାର ଜିଲ୍ଲା, ରାଜ୍ୟରେ ରହିଥିବା ଜିଲ୍ଲାବାସୀଙ୍କୁ କ୍ୱାରେଣ୍ଟାଇନ କରିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଜୋରଦାର୍ ଆରମ୍ଭ କରିବା ସହ ସୁପରଭାଇଜିଂ ଅଧିକାରୀମାନଙ୍କ ଜିଲ୍ଲାପାଳ ତାଲିମ ପ୍ରଦାନ କରିଛନ୍ତି । ଜିଲ୍ଲାରୁ ପରୀକ୍ଷା ପାଇଁ ଯାଇଥିବା ସ୍ୱାବ ମଧ୍ୟରୁ ପୁଣି ୩ଟି ପଜିଟିଭ୍ କେଶ ନଜରକୁ ଆସିଛି । ସେଗୁଡିକ ମଧ୍ୟରେ ବାସୁଦେବପୁର ବ୍ଲକରେ ୨ ଜଣ ଏବଂ ବନ୍ତ ବ୍ଲକରେ ଜଣେ । ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ସାରିଛନ୍ତି । ଯେଉଁସବୁ ଅଞ୍ଚଳରୁ କରୋନା ପଜିଟିଭ ଚିହ୍ନଟ ହୋଇଛି ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ସବୁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଆଜି ଚିହ୍ନଟ ୩ ଆକ୍ରାନ୍ତଙ୍କ ଅଞ୍ଚଳକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଘୋଷିତ ପଞ୍ଚାୟତ ଗୁଡିକ ମଧ୍ୟରେ ବାସୁଦେବପୁର ବ୍ଲକର ଚୁଡାମଣି, କିସ୍ମତ କୃଷ୍ଣପୁର ଓ ବନ୍ତ ବ୍ଲକର ଚାରିଗାଁ ପଞ୍ଚାୟତ ରହିଛି । ତେବେ ଆଜି ସମୁଦାୟ ୧୭୧ ଜଣଙ୍କ ସ୍ୱାବ୍ ଟେଷ୍ଟ ପାଇଁ ପଠାଯାଇଥିବାବେଳେ ସେଗୁଡିକ ମଧ୍ୟରେ ଅଟଳ ବିହାରୀ ହାଇସ୍କୁଲରେ କ୍ୱାରେନ୍ଟାଇନ୍ରେ ୨୧ ଜଣ, ଚୂଡାମଣିରୁ ୧୦୬ ଜଣ, କିସ୍ମତ କୃଷ୍ଣପୁରରୁ ୪୪ ଜଣ ରହିଛନ୍ତି । ଏଠାରେ ଆଜି ୨ ଜଣ ଚିହ୍ନଟ ହେବା ପରେ ସମୁଦାୟ ଜୋନ୍ ସଂଖ୍ୟା ୭ ଓ ଗ୍ରାମପଞ୍ଚାୟତ ୧୧ ଓ ଗ୍ରାମ ସଂଖ୍ୟା ୨୪ ରେ ପହଞ୍ôଚଛି । ଏହାକୁ ନେଇ ଜିଲ୍ଲାର କଣ୍ଟେନମେଣ୍ଟ ଜୋନ ଭାବେ ମୋଟ ୨୧ ପଞ୍ଚାୟତ ଏବେ କଟକଣାରେ ରହିଛି । ତେବେ ଏହି ପଞ୍ଚାୟତ ଗୁଡିକ ମଧ୍ୟରେ କେତେକ ପଞ୍ଚାୟତର ସମସ୍ତ ଗ୍ରାମ କଣ୍ଟେନମେଣ୍ଟ ଜୋନ ଅଧିନରେ ରହିଥିବା ବେଳେ କେତେକ ପଞ୍ଚାୟତରେ ସୀମିତ ଗ୍ରାମକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଛି ।