ବଡଚଣା, ୨୪/୦୭/୨୦୨୧ (ସନ୍ଧାନ ନିଉଜ/ଭାରତଭୂଷଣ ପଣ୍ଡା) : ଦୀର୍ଘ ଦିନ ହେବ ବହଚଣାର୨ଟି ଶିଶୁବିକାଶ କେନ୍ଦ୍ରରେ ସିଡିପିଓ ନାହାନ୍ତି ଫଳରେ ବଡଚଣାର ମହିଳା ଏବଂ ଶିଶୁ ବିକାଶ କାର୍ଯ୍ୟ ପୁରାମାତ୍ରାରେ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି । ଏହି ବ୍ଲକ ଅଧିନରେ ଦୁଇଟି ଶିଶୁ ବିକାଶ କେନ୍ଦ୍ର ରହିଥିବା ବେଳେ ଗୋଟିଏ ବାଲିଚନ୍ଦ୍ରପୁରରେ ଅବସ୍ଥିତ ହୋଇଥିବା ବେଳେ ଅନ୍ୟଟି ବଡଚଣାରେ ଅବସ୍ଥିତ । ମାତ୍ର ବାଲିଚନ୍ଦ୍ରପୁରରେ ଦୀର୍ଘ ୧ବର୍ଷରୁ ଉର୍ଦ୍ଧ ସମୟ ଧରି କେହି ଶିଶୁ ବିକାଶ ଅଧିକାରୀ ଯୋଗଦେଇନଥିବା ବେଳେ ବଡଚଣାରେ ପଦ୍ମଜା କାନୁନଗୋ ଶିଶୁ ବିକାଶ ଅଧିକାରୀ ଭାବେ କାର୍ଯ୍ୟ କରି ଜୁନ୍ ୩୧ରେ ଅବସର ଗ୍ରହଣ କରିଛନ୍ତି । ତାହା ପରଠାରୁ ଏଠାରେ ଅନ୍ୟଜଣଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସେ ଅଦ୍ୟବିଧି ଏଠାରେ ଯୋଗ ଦେଇନାହାନ୍ତି । ଫଳରେ ବଡଚଣା ବିଡିଓ ବର୍ତମାନ ଏହି ଦୁଇଟି ଶିଶୁ ବିକାଶ କେନ୍ଦ୍ରର ଦାୟିତ୍ୱରେ ରହିଛନ୍ତି । ଏଭଳି ଭାବରେ ଦୀର୍ଘ ଦିନ ଧରି ଦୁଇ ଦୁଇଟି ଶିଶୁ ବିକାଶ କେନ୍ଦ୍ରରେ କୌଣସି ଅଧିକାରୀ ନଥିବା ଫଳରେ ଏହା ଅଧିନରେ ରହିଥିବା ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ସଠିକ୍ ଭାବରେ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଏପରକି ମହିଳା ମାନଙ୍କ ବିକାଶ ମଧ୍ୟ ବାଧାପ୍ରାପ୍ତ ହେଉଛି । ଅନ୍ୟପଟରେ ରାଜ୍ୟ ସରକାର ମିଶନ ଶକ୍ତିକୁ ସ୍ୱତନ୍ତ୍ର ଭାବେ ଏକ ବିଭାଗ କରି ଏହାର ଦାୟିତ୍ୱ ମଧ୍ୟ ଶିଶୁ ବିକାଶ ଅଧିକାରୀଙ୍କୁ ନ୍ୟସ୍ତ କରି ମହିଳା ଗୋଷ୍ଠୀ ମାନଙ୍କ ବିକାଶ କରିବାକୁ ଯୋଜନା କରିଥିବା ବେଳେ ଏହା ମଧ୍ୟ ବଡଚଣାରେ ପୁରାପୁରି ଠପ ହୋଇପଡିଛି । ତୁରନ୍ତ ରାଜ୍ୟ ସରକାର ଏବଂ ଯାଜପୁର ଜିଲ୍ଲାପାଳ ଏହାପ୍ରତି ଦୃଷ୍ଟିଦେଇ ଦୁଇ ଶିଶୁ ବିକାଶ କେନ୍ଦ୍ରରେ ଅଧିକାରୀ ନିଯୁକ୍ତ କରିବାକୁ ବଡଚଣା ବାସୀ ଦାବି କରିଛନ୍ତି ।
ବଡଚଣାରେ ୨ଶିଶୁ ବିକାଶ କେନ୍ଦ୍ରରେ ନାହାନ୍ତି ସିଡିପିଓ, ଶିଶୁ ଓ ମହିଳା ବିକାଶ କାର୍ଯ୍ୟ ବାଧାପ୍ରାପ୍ତ
|
July 24, 2021 |


