ଭୁବନେଶ୍ୱର, ୨୦/୦୩ (ସନ୍ଧାନ ନିୟୁଜ): ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୭ ଜଣରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଗୁରୁବାର ଅପରାହ୍ଣରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହଠାତ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଘଣ୍ଟିବୁଡ଼ ଗାଁରେ ଦୁଇ କେନ୍ଦୁପତ୍ର ତୋଳାଳିଙ୍କ ମୃତ୍ୟୁ ଘଟିଛି। ସେହିପରି ଗଜପତି ଓ ଜଗତସିଂହପୁର ଜିଲ୍ଲାରେ ୨ଜଣ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି।
କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପଦମପୁର ପଞ୍ଚାୟତର ଚାନ୍ଦିପୋଷ ଗାଁରେ ବଜ୍ରପାତ ହେବାରୁ ୮ଟି ଗୋରୁଙ୍କ ମୃତ୍ୟୁ ହୋଇଛି। କୁଆପଥର ବର୍ଷା ହେବାରୁ ଗୋରୁମାନେ ଏକ ଗୁହାଳ ଭାଡି ତଳେ ଆଶ୍ରୟ ନେଇଥିଲେ। ବଜ୍ରପାତ ହେବାରୁ ୮ଟି ଗୋରୁଙ୍କର ମୃତ୍ୟୁ ହୋଇଛି। ଘଣ୍ଟିବୁଡ଼ ଗାଁର କେନ୍ଦୁପତ୍ର ଶ୍ରମିକମାନେ ବୁଦା କାଟିବା ପାଇଁ ଜଙ୍ଗଲକୁ ଯାଇଥିଲେ। ହଠାତ ଘଡ଼ଘଡି ସହ ବର୍ଷା ହେବାରୁ ସେମାନେ ବର୍ଷାରୁ ବାବୁଲାଲ କିଷାନ, ମଂଗଲୁ ନାଏକ ଓ ରଘୁ ନନ୍ଦନ କିଷାନ ଗଛ ତଳେ ଆଶ୍ରୟ ନେଇଥିଲେ। ବଜ୍ରପାତ ହେବାରୁ ବାବୁଲାଲ ଓ ମଂଗଲୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ରଘୁନନ୍ଦନ ଗୁରୁତର ଆହତ ହୋଇଛନ୍ତି। ଅନ୍ୟ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କୁମୁଟିମୁଣ୍ଡା ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।