ପ୍ରହସନରେ ପରିଣତ ଭଦ୍ରକ ସ୍ମାର୍ଟ ସିଟି

Spread the love

ଭଦ୍ରକ,୨୨/୧୦ (ସନ୍ଧାନ ନିୟୁଜ) ସହର ହେବ ସ୍ମାର୍ଟସିଟି। ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଏହି ସୂଚନା ଦିଆଯିବା ପରେ ସହରବାସୀ ଏହାକୁ ସ୍ବାଗତ କରିଥିଲେ। ୪ ମାସ ତଳେ ପ୍ରାଥମିକ ପଦକ୍ଷେପ ସ୍ବରୂପ ସହରର ମହତାବ ଛକଠାରୁ ଡାହାଣୀଗଡ଼ିଆ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱକୁ ଜବରଦଖଲମୁକ୍ତ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଗତ ଜୁଲାଇ ମାସରେ ମହତାବ ଛକଠାରୁ ଅପର୍ତ୍ତିବିନ୍ଧା ଟ୍ରାଫିକ ଛକ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱକୁ ଜେସିବି ଲଗାଇ ଜବରଦଖଲମୁକ୍ତ କରାଯାଇଥିଲା। ପରେ ଟ୍ରାଫିକ ଛକଠାରୁ ଘୋଷରା ନାଳ ପର୍ଯ୍ୟନ୍ତ ରାସ୍ତାର ଗୋଟିଏ ପାଖରେ ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା। ସ୍ମାର୍ଟସିଟିକୁ ବ୍ୟବସାୟୀମାନେ ସ୍ବାଗତ କରି ନିଜ ଆଡୁ ଦୋକାନ ଭାଙ୍ଗି ଉଠାଇ ନେଇଥିଲେ। ସବୁ ସ୍ତରରୁ ପ୍ରଶାସନକୁ ମିଳିଥିଲା ସହଯୋଗ। ଏବେ ଶତାଧିକ ଦୋକାନୀ ନିଜର ଜୀବିକା ହରାଇ ବସିଛନ୍ତି। ସହର ଭିତ୍ତିଭୂମିର ବିକାଶ ଯୋଜନା ଧିମେଇ ଯାଇଥିବାରୁ ଏ ନେଇ ସାଧାରଣରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କେହି କେହି ଏହାକୁ ସ୍ମାର୍ଟସିଟି ଭେଳିକି ବୋଲି କହୁଛନ୍ତି। ଅନ୍ୟପକ୍ଷେ ଉଚ୍ଛେଦ ଦୋକାନୀଙ୍କୁ ଥଇଥାନ କରାଯିବା ପ୍ରତିଶ୍ରୁତି କଥାରେ ସୀମିତ ରହିଛି। ଭୌଗୋଳିକ ଦୃଷ୍ଟିରୁ ଦେଖିଲେ ଭଦ୍ରକ ପୌରାଞ୍ଚଳ ସମେତ ଆଖପାଖ ଅଞ୍ଚଳ ଅନୁନ୍ନତ ଅବହେଳିତ । ସହର ମଧ୍ୟଭାଗ ଦେଇ ପ୍ରବାହିତ ସାଳନ୍ଦୀ ନଦୀ ପ୍ରଦୂଷିତ ହେବା ସହ କେତେକ ସ୍ଥାନରେ ପୋତିହୋଇ ପଡ଼ିଛି। ସହରର ରାସ୍ତାଘାଟ ଓ ବସ୍ତି ଅଞ୍ଚଳର ଭିତ୍ତିଭୂମି ବିକାଶ ବିନା ସ୍ମାର୍ଟସିଟି ପରିକଳ୍ପନା ଅଧୁରା ହୋଇ ରହିଯିବ। ପ୍ରଶାସନ ଭିତ୍ତିଭୂମି ସଜାଡ଼ିବା ଉଦ୍ୟମ ଆରମ୍ଭ କରି କାହିଁକି ନୀରବି ଯାଇଛି ଜଣାପଡୁ ନାହିଁ। ପ୍ରାଥମିକ ଅବସ୍ଥାରେ ରାଜନୈତିକ ସ୍ତରରେ ଯେଭଳି ତତ୍ପରତା ପ୍ରକାଶ ପାଇଥିଲା ତାହା ଆଉ ଦେଖିବାକୁ ମିଳୁ ନାହିଁ। ଗତ ୪ ମାସ ମଧ୍ୟରେ ରାସ୍ତାର ଗୋଟିଏ ପାଖ ଡ୍ରେନ୍‌ ନିର୍ମାଣ(ମାତ୍ର ଶହେ ମିଟର) କାର୍ଯ୍ୟ ଏଯାଏ ସରିପାରି ନାହିଁ। ଉଚ୍ଛେଦ ହୋଇଥିତ୍ବା ଜାଗାକୁ ଏବେ ଅନ୍ୟ ଉଠାଦୋକାନୀମାନେ ମାଡ଼ି ବସିଛନ୍ତି। ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ନେଇ ପ୍ରଶାସନ ସମାଲୋଚନା ଘେରକୁ ଆସିଛି। ଟ୍ରାଫିକ ଛକଠାରୁ ଘୋଷରା ନାଳ ପର୍ଯ୍ୟନ୍ତ ଗୋଟିଏ ପାର୍ଶ୍ୱ ଉଚ୍ଛେଦ କରାଯାଇ ଅନ୍ୟ ପାର୍ଶ୍ୱକୁ ବାଦ୍‌ ଦିଆଯିବା ପଛରେ କ’ଣ କାରଣ ରହିଛି ତାହାର ଉତ୍ତର କାହାଠାରୁ ମିଳୁ ନାହିଁ। ସହରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି। ଜବରଦଖଲ ଉଚ୍ଛେଦ ଲାଗି ପ୍ରଶାସନର ପଛଘୁଞ୍ଚା ସହରକୁ ସ୍ମାର୍ଟସିଟି କରିବା ପରିକଳ୍ପନାରେ ବାଧକ ସାଜିଥିବା ସଚେତନ ନାଗରିକମାନେ କହୁଛନ୍ତି। ପୂର୍ବରୁ ସହରର ସୌନ୍ଦର୍ଯ୍ୟକରଣ ଓ ଟ୍ରାଫିକ ସମସ୍ୟା ସୁଧାରିବା ଲାଗି ନିଆଯାଇଥିବା ପଦକ୍ଷେପ ଫସର ଫାଟି ଥିବାରୁ ଏବେକାର ସ୍ମାର୍ଟସିଟି ପରିକଳ୍ପନା ଅଧୁରା ରହିଯିବ ବୋଲି କେହି କେହି ଆଶଙ୍କା ବ୍ୟକ୍ତ କରୁଛନ୍ତି।

Related Posts

About The Author

Add Comment