ପ୍ରଶାସନର ଦୃଷ୍ଟି ଆଢୁଆଳରେ ଜି.ଉଦୟଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ

Spread the love

ବାଲିଗୁଡା,୨୭/୨/୨୩(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ କରିବାକୁ ପ୍ରଚାର ବା ପ୍ରସାର ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟ କରିଥାଏ। ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଜି.ଉଦୟଗିରି ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଫେବୃୟାରୀ ଆରମ୍ଭରୁ ତାଲା ଝୁଲୁଛି l ବିବରଣୀରୁ ପ୍ରକାଶ ଯେ, ଉକ୍ତ କାର୍ଯ୍ୟାଳୟଟି ୧୯୮୦ ମସିହାରେ ୬ ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟାଳୟର କାର୍ଯ୍ୟ ଥିଲା ସରକାରୀ କାର୍ଯ୍ୟକ୍ରମକୁ ଗ୍ରାମାଞ୍ଚଳର ଜନସାଧାରଣଙ୍କ ନିକଟରେ ପରଦା ମାଧ୍ୟମରେ ପ୍ରଚାର ଓ ପ୍ରସାର କରିବା। ଏଥିପାଇଁ ରେଡିଓ ଇନସ୍ପେକ୍ଟର ଓ ଅପରେଟର ନିଯୁକ୍ତି ହୋଇଥିବା ବେଳେ ଏହା ଏବେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ପରେ ବିଭିନ୍ନ କାରଣରୁ ଏହି କାର୍ଯ୍ୟାଳୟରୁ ଚାରିଜଣ କର୍ମଚାରୀ ଚାଲିଯିବା ପରେ ଜଣେ ଲାଇବ୍ରେରିଆନ ଓ ଅନ୍ୟଜଣେ କର୍ମଚାରୀରେ ବହୁ ଦିନ ପର୍ୟ୍ୟନ୍ତ କାର୍ଯ୍ୟାଳୟ ଚାଲିଥିଲା। ତେବେ ମଝିରେ କିଛି ଦିନ ପାଇଁ ଜଣେ ଅତିରିକ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କର ବଦଳି ହୋଇଯିବା ପରେ ପୁଣି ଦୁଇଜଣରେ କାର୍ଯ୍ୟାଳୟ ଚାଲିଥିଲା।ପରବର୍ତ୍ତୀ ସମୟରେ ପ୍ରାୟ ଦେଢ ବର୍ଷ ହେଲା ଲାଇବ୍ରେରିଆନଙ୍କ ପଦୋନ୍ନତି ହୋଇଯିବା ପରେ ତାଙ୍କୁ ଫୁଲବାଣୀ ବଦଳି ହୋଇଯାଇ ଥିଲା। ସେହିଦିନଠାରୁ ଜଣେ ତଳିଆ କର୍ମଚାରୀରେ କାର୍ଯ୍ୟାଳୟ ସୁରୁଖୁରୁରେ ଚାଲିଥିବା ବେଳେ ବ୍ୟକ୍ତିଗତ ଅସୁବିଧା ଯୋଗୁଁ ସେ କର୍ମଚାରୀ ମଧ୍ୟ ସ୍ବେଛାକୃତ ଅବସର ପାଇଁ ଆବେଦନ କରିଥିଲେ। ତାଙ୍କର ସ୍ବେଚ୍ଛାକୃତ ଅବସର ଗ୍ରହଣଯୋଗ୍ୟ ହୋଇ ଗତ ଜାନୁଆରୀ ୩୧ ତାରିଖରେ ତାଙ୍କୁ ଅବସର ଦିଆଯାଇଥିଲା l ପ୍ରକାଶ ଥାଉକି, ଜି.ଉଦୟଗିରି, ରାଇକିଆ, ଟିକାବାଲି ଓ ଚକାପାଦ ଅଞ୍ଚଳ ଏହି କାର୍ଯ୍ୟାଳୟ ଅନ୍ତର୍ଗତ ଅଞ୍ଚଳ ହୋଇଥିବା ବେଳେ ଫେବୃୟାରୀ ମାସ ଆରମ୍ଭରୁ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ଏଥି ପ୍ରତି ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ କର୍ମଚାରୀ ଯୋଗାଇ ଦେବା ପାଇଁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l

Related Posts

About The Author

Add Comment