ପ୍ରତ୍ୟେକ ଶିଶୁ ପାଇଁ ବାଜି ରାଉତ ଦେଶପ୍ରେମର ଏକ ଆହ୍ୱାନ- ସତୀଶ ବିଶ୍ୱାଳ

Spread the love

ଯାଜପୁର, ୧୧/୧୦/ସନ୍ଧାନ ନ୍ୟୁଜ: ଆଜିର ଶିଶୁ କାଲିର ନାଗରିକ । ଶିଶୁର କୋମଳ ହୃଦୟରେ ଦେଶପ୍ରେମର ଭାବନା ଜାଗ୍ରତ ହେବା ଦେଶ ପାଇଁ ଶ୍ରେଷ୍ଠ ସାମର୍ଥ୍ୟ ଓ ସମ୍ପଦ । ପ୍ରତ୍ୟେକ ଶିଶୁ ମାନଙ୍କ ପାଇଁ ଶିଶୁ ସହିଦ ବାଜି ରାଉତ ଦେଶପ୍ରେମର ଏକ ଆହ୍ୱାନ ବୋଲି ବରିଷ୍ଠ ଯୁବନେତା ସତୀଶ ବିଶ୍ୱାଳ ମତ ପ୍ରକାଶ କରିଛନ୍ତି । ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ବୃନ୍ଦାଦେଇପୁର ସହିଦ ବାଜି ରାଉତ ସ୍ମୃତି କମିଟି ତରଫରୁ ବାଜି ରାଉତଙ୍କ ଜୟନ୍ତି ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇ ଯାଇଛି । ୧୯୩୮ ମସିହା ଅକ୍ଟୋବର ୧୧ ତାରିଖରେ ଇଂରେଜଙ୍ଗ ଗୁଳିରେ ୧୨ ବର୍ଷର ବାଳକ ବାଜି ରାଉତଙ୍କ ସହ ଅନ୍ୟ ୪ ଜଣ ସହିଦ ହୋଇଥିଲେ । ବାଜି ରାଉତଙ୍କ ଶବ ବ୍ରାହ୍ମଣୀ ନଦୀରେ ଭାସି ଆସି ବୃନ୍ଦାଦେଇପୁର ଘାଟରେ ଲାଗିବା ପରେ ଏଠାରେ ବାଜି ରାଉତଙ୍କ ଶବ ରଖାଯାଇ ପ୍ରତିବାଦ ପରେ କଟକକୁ ଶବ ଯାଇଥିଲା । ସେଥିପାଇଁ ବୃନ୍ଦାଦେଇପୁରର ସେହି ସ୍ଥାନରେ ବାଜି ରାଉତଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଏଠାରେ ଜୟନ୍ତି ପାଳନ ଉତ୍ସବର ଯଥେଷ୍ଟ ଗୁରୁତ୍ୱ ରହିଛି । ଏହି ଅବସରରେ ମନୋଜ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ସାମ୍ବାଦିକ ତଥା ଯୁବନେତା ସତୀଶ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଢେଙ୍କାନାଳର ପ୍ରଜା ଆନ୍ଦୋଳନରେ ବାନର ସେନାରେ ସାମିଲ ହୋଇଥିବା ଗରୀବ ନାଉରିଆ ପୁଅ ବାଜି’ ଇଂରେଜ ମାନଙ୍କୁ ନଦୀଘାଟ ପାରି ହେବାକୁ ଡଙ୍ଗା ଦେଇ ନଥିଲେ । ପୂର୍ବଦିନ ଭୁବନରେ ଇଂରେଜ ପୋଲିସ ଯଥେଷ୍ଟ ଅତ୍ୟାଚାର କରିଥିଲେ । ଏଠାରେ ନଦୀଘାଟ ପାର ହେଲେ ବାଜିଙ୍କ ଗାଁ ନୀଳକଣ୍ଠପୁରରେ ହେଉଥିବା ପ୍ରଜା ଆନ୍ଦୋଳନକୁ ଦମନ କରିବାକୁ ଏହି ପୋଲିସ ଆସିଥିଲେ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହ ତଥା ଦାଣ୍ଡୀ ଯାତ୍ରା ପରେ ଓଡିଶାରେ ଲୋକେ ଉତ୍ସାହିତ ହୋଇ ପ୍ରଜା ଆନ୍ଦୋଳନକୁ ଅଧିକ ବ୍ୟାପକ କଲେ । ଢେଙ୍କାନାଳ ରାଜା ଶଙ୍କର ପ୍ରତାପ ସିଂହଦେଓଙ୍କ ସମେତ ଅନେକ ରାଜାଙ୍କ ଅତ୍ୟାଚାର ବିରୋଧରେ ଏହି ଆନ୍ଦୋଳନ ହେଉଥିଲା । ଇଂରେଜଙ୍କ ସହ ଥିବା ଅତ୍ୟାଚାରୀ ରାଜାଙ୍କ ଅତ୍ୟାଚାରକୁ ଇଂରେଜ ସରକାର ସୁରକ୍ଷା ଦେଉଥିଲେ । ବାଜି ଡଙ୍ଗା ନଆଣିବାରୁ ଏଥିରେ ପ୍ରତିକ୍ରିୟାଶୀଳ ହୋଇ ଇଂରେଜ ପୋଲିସ ଗୁଳିମାଡ କରିଥିଲେ । ବାମପନ୍ଥୀ କବି ସଚ୍ଚି ରାଉତରାୟଙ୍କ  ଖଣ୍ଡକାବ୍ୟ ‘ ବାଜି ରାଉତ’ ସମଗ୍ର ବିଶ୍ୱକୁ ବାଜି ରାଉତଙ୍କ ଅଭୂଲା ତ୍ୟାଗ, ବଳୀଦାନ, ବୀରତ୍ୱ ଓ ଦେଶପ୍ରେମକୁ ବିଶ୍ୱବାସୀଙ୍କ ନିକଟରେ ଜୀବନ୍ତ କରି ରଖିଛି । ବିଦେଶରେ ବିଶ୍ୱ ବିଦ୍ୟାଳୟରେ ମଧ୍ୟ ବାଜି ରାଉତଙ୍କ ଦେଶପ୍ରେମ ପଢା ଯାଉଛି । ଆମ ଓଡିଆ ପୁଅ ଦେଶର କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ତାଲିକାରେ ସ୍ଥାନ ପାଇ ଓଡିଆଙ୍କ ଗରିମା ସାରା ଦେଶରେ ବଢାଇଛନ୍ତି ବୋଲି ସତୀଶ ମତ ପ୍ରକାଶ କରିଛନ୍ତି । ଏଥିରେ ଅଭିରାମ ଦାସ ସମ୍ମାନୀତ ଅତଥି ଭାବେ ଯୋଗ ଦେଇ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ଉପଦେଷ୍ଠା ରମେଶ ଚନ୍ଦ୍ର ଶତପଥୀ, ସାମ୍ବାଦିକ ଶଙ୍କର ପ୍ରତାପ ଦାସ, ଶରତ ବାରିକ, ଟିକମ ପାତ୍ର, ଭଗବାନ ବଳ, ମହେଶ୍ୱର ଖଟୁଆ ପ୍ରମୁଖ ଆଲେଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ପୁରସ୍ମୃତ କରାଯାଇ ମାନପତ୍ର ପ୍ରଦାନ କରାଯାଇଥିଲା । ବିଭିନ୍ନ କାର୍ଯ୍ୟକ୍ରମକୁ ସୁଧୀର କୁମାର ଦାସ, ସିଦ୍ଧାର୍ଥ ମହାନ୍ତି, ସନ୍ତୋଷ ଶତପଥୀ, ରମେଶ କୁମାର ପରିଡା, ରମାକାନ୍ତ ଶତପଥୀ, ଛୋଟ ବାବା, ଅରୁଣ ମଲିକ, ଦେବାଶିଷ ଶତପଥୀ ପ୍ରମୁଖ ପରିଚାଳନା କରିଥିଲେ । ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ଶତପଥୀ ସ୍ୱାଗତ ଭାଷଣ, ଉପସଭାପତି ସଚ୍ଚିଦାନନ୍ଦ ଶତପଥୀ ଅତିଥି ପରିଚୟ ପ୍ରଦାନ, ଅଶ୍ୱନୀ କୁମାର ଧନ୍ୟବାଦ ପ୍ରଦାନ କରିଥିଲେ । ଏଠାରେ ଥିବା ସହିଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଅତିଥି ମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା ।

Related Posts

About The Author

Add Comment