ଚଣ୍ଡିଖୋଲ, ୨/୪ (ସନ୍ଧାନ ନିୟୁଜ) : ଆଜି ବଡ଼ଚଣା ଅଞ୍ଚଳରେ ୨ଟି ଦୃର୍ଘଟଣା ଘଟି ୨ଜଣ ଗୁରୁତର ଆହତ ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ସମିଆର ରାଜସ୍ୱ ନୀରିକ୍ଷକ ଶ୍ରୀକାନ୍ତ ସ୍ୱାଇଁ (୪୫) ନିଜ ବାଇକ୍ରେ କାର୍ଯ୍ୟଳୟକୁ ଯାଉଥିବା ୨.୩୦ ସମୟରେ ହଠାତ୍ ଏକ ଗାଇ ବାଇକ୍କୁ ଧକ୍କା ଦେବାରୁ ଶ୍ରୀ ସ୍ୱାଇଁ ରାସ୍ତା ଉପରେ ପଡ଼ି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ତାକୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ପଠାଯାଇଛି । ସେହିପରି ୫୩ ନଂ ଜାତୀୟ ରାଜପଥ କଉଡ଼କୋଳ ଠାରେ ଏକ ତେଲ ଟ୍ୟାଙ୍କର ନଂ ଓଡ଼ି.୨୨ଯେ ୫୬୫୩ ପାରଦ୍ୱିପକୁ ଯାଉଥିବା ସମୟରେ ଟ୍ୟାଙ୍କର ପଛପଟୁ ଏକ ହାଇୱା ନଂ (ଓ.ଆର. ୦୪ ଏ ୨୧୧୫) ଧକ୍କା ଦେଇଥିଲା ଫଳରେ ହାଇୱା ଚାଳିକ ଗାଡ଼ିରେ ଚାପି ହୋଇଯାଇଥିଲେ । ଖବର ପାଇଁ ଚଣ୍ଡିଖୋଲ ଅଗ୍ନିଶ୍ରମ ସେବା ଅଧିକାରୀ ପ୍ରଭାକର ସାହୁ ଓ ତାଙ୍କ ଟିମ୍ ସହିତ ଦୃର୍ଘଟଣା ସ୍ଥଳରେ ପହଞ୍ଚି ଦୃର୍ଘଟଣାଗ୍ରସ୍ତ ଗାଡ଼ିକୁ ଗ୍ୟାସ୍ କଟର ସାହାର୍ଯ୍ୟରେ କାଟି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାକୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଯାଇଛି । ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଦୁଇଟିକୁ ବାଲିଚନ୍ଦ୍ରପୁର ପୋଲିସ ଜବତ କରି ତଦନ୍ତ ଚାଲୁ ରଖିଛି ।
ପୃଥକ ପୃଥକ ଦୃର୍ଘଟଣା, ୨ ଗୁରୁତର
|
April 2, 2019 |
