ଭଦ୍ରକ, ୨୮/୮ (ସନ୍ଧାନ ନିୟୁଜ) ଏକଦା ଭଦ୍ରକର ଜଣେ ସୁପ୍ରତିଷ୍ଠିତ ଜିଲା ଆରକ୍ଷୀ ଅଧିକ୍ଷକ ଥିବା ଦୀପ୍ତେଶ ପଟ୍ଟନାୟକ ଏବେ ପୂବାଞ୍ଚଳ ଆଇଜି ଭାବେ ବାଲେଶ୍ୱରରେ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ଭଦ୍ରକକୁ ପ୍ରଥମ ଗସ୍ତକ୍ରମରେ ଆସି ଏଠାରେ ବିଗିଡି ଯାଇଥିବା ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଖୁବ୍ ଶୀଘ୍ର ସଜଡା ଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଆଇଜି ଶ୍ରୀ ପଟ୍ଟନାୟକ ଭଦ୍ରକ ପାଇଁ ପୁରୁଣା ଓ ଚର୍ଚ୍ଚିତ ଚେହେରା । ଭଦ୍ରକ ଜିଲାର ଆରକ୍ଷୀ ଅଧିକ୍ଷକ ଦାୟିତ୍ୱରେ ଥିବା ବେଳେ ପୁଲିସ୍ ଅଧିକାରୀ ଓ କର୍ମଚାରୀଙ୍କର ଆଖିରୁ ନିଦ ହଜିଯାଇଥିଲା । ସବୁ ଥାନାଧିକାରୀମାନେ ବେଶ୍ ଶୃଙ୍ଖଳାର ସହ କାର୍ଯ୍ୟ କରୁଥିଲେ । ବହୁ ଅପରାଧ ହ୍ରାସ ପାଇ ଅପରାଧୀମାନେ ତ୍ରାହି ତ୍ରାହି ଡାକୁଥିଲେ । ବିଶେଷକରି ସହରର ଟ୍ରାଫିକ, ଜବରଦଖଲ ଓ ଅପରାଧ ଗୁଡିକ ନେଇ ସେ ବେଶ୍ ସଚେତନ ଥିଲେ । ରାସ୍ତା ଉପରେ କୌଣସି ଯାନବାହନ ଏପରିକି ଟ୍ରଲି ଓ ଉଠାଦୋକାନୀ ଅବରୋଧ କରୁନଥିଲେ । ଯେଉଁମାନେ ଗାଡି ରଖି ଟ୍ରାଫିକ ଜାମ୍ କରୁଥିଲେ, ସେମାନଙ୍କୁ ସେ ପୁଲିସ୍ କର୍ମଚାରୀଙ୍କ ଦ୍ୱାରା ପମ୍ପ ଖୋଲାଇ ଚେତାବନୀ ଦେଉଥିଲେ । ତାଙ୍କୁ ସେତେବେଳେ ଛୁଆଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଚିହ୍ନିଥିଲେ । କେବଳ ଭୟ ନୁହେଁ ତାଙ୍କର ମାନବିକତା ଓ ସ୍ନେହଶୀଳ ଗୁଣ ଯୋଗୁଁ ସମସ୍ତେ ମଧ୍ୟ ଶ୍ରଦ୍ଧା କରୁଥିଲେ । ଆଜି ସେ ଭଦ୍ରକ ଆସି ପ୍ରଥମେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପୁଲିସ୍ କର୍ମଚାରୀମାନଙ୍କ ସହିତ ମିଶିବା ପରେ ସମସ୍ତ ସାମ୍ବାଦିକମାନଙ୍କ ସହିତ ପରିଚିତ ହୋଇ ପୁରୁଣା ସ୍ମୃତିକୁ ମନେ ପକାଇଥିଲେ । ତେବେ ଆଗକୁ ସବୁକ୍ଷେତ୍ରରେ ତାଙ୍କର ସାହାଯ୍ୟ ଓ ସହଯୋଗ ରହିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।
ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକଙ୍କ ଭଦ୍ରକ ଗସ୍ତ
|
August 28, 2019 |