ପୁଲୱାମା ପରି ଭୟଙ୍କର ଆକ୍ରମଣ ଷଡ଼ଯନ୍ତ୍ର ଫେଲ୍

Spread the love

ନୂଆଦିଲ୍ଲୀ, ୨୯/୦୫ (ସନ୍ଧାନ ନିଉଜ) : ପୁଲୱାମା ପରି ଆଉ ଆକ୍ରମଣ ଯୋଜନାକୁ ପଣ୍ଡ କରିଛନ୍ତି ଭାରତୀୟ ସୁରକ୍ଷା କର୍ମୀ। ଜମ୍ମୁ- କାଶ୍ମୀରରେ ପୁଣିଥରେ ପୁଲୱାମା ଭଳି ଆକ୍ରମଣ କରିବାକୁ ଆତଙ୍କି କାର ବିସ୍ଫୋରଣ କରିବାକୁ ଷଡ଼ଯନ୍ତ୍ର କରିଥିଲେ। ତେବେ ସୁରକ୍ଷାକର୍ମୀଙ୍କ କଡ଼ା ଯାଞ୍ଚ ଯୋଗୁ ଷଡ଼ଯନ୍ତ୍ର ବିଫଳ ହୋଇଯାଇଛି। ବିସ୍ଫୋରଣ ପାଇଁ କାରରେ ଆଇଇଡି ଅଣାଯାଇଥିଲା। ଆଇଇଡି ସହ କାରକୁ ସୁରକ୍ଷାକର୍ମୀମାନେ ଜବତ କରିଥିଲେ। ତେବେ, ଆତଙ୍କି କାର ଚାଳକ ଖସି ଯିବାରେ ସକ୍ଷମ ହୋଇଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ତା’କୁ ଧରିବା ପାଇଁ ଜୋରଦାର ସର୍ଚ୍ଚ ଅପରେସନ କରାଯାଉଛି। ଆଇଇଡି ସହିତ ଜବତ କାରଟିକୁ ଏକ ନିଛାଟିଆ ସ୍ଥାନକୁ ବିସ୍ଫୋରଣ କରି ନଷ୍ଟ କରି ଦିଆଯାଇଛି। ବିସ୍ଫୋରଣ ଶବ୍ଦ ଏତେ ଭୟଙ୍କର ଥିଲା ଯେ କିଛି ଘର ମଧ୍ୟ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣ ଭିଡିଓକୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସାର୍ବଜନୀନ କରାଯାଇଛି।

ଘଟଣାରୁ ପ୍ରକାଶ ଯେ, ସୁରକ୍ଷାକର୍ମୀଙ୍କ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିବାକୁ ଆତଙ୍କବାଦୀମାନେ କରିଥିବା ଯୋଜନା ସମ୍ପର୍କରେ ଗୁଇନ୍ଦା ବିଭାଗ ସୂଚନା ପାଇଥିଲା। ଏହାପରେ ଜମ୍ମୁ- କାଶ୍ମୀର ପୁଲିସ୍‌ ଏବଂ ସୁରକ୍ଷାକର୍ମୀ ଆଲର୍ଟ ହୋଇଯାଇଥିଲେ। ବୁଧବାର ରାତିରେ ପୁଲୱାମାର ରାଜପୋରା ନିକଟରେ ଚେକିଂ ଚାଲିଥିବା ବେଳେ ହଠାତ୍‌ ଏକ ହୁଣ୍ଡାଇ ସାଣ୍ଟ୍ରୋ କାର ସେଠାରେ ପହଞ୍ଚିଥିଲା। ତେବେ ଚେକ୍ ପଏଣ୍ଟରେ ଅଟକିବା ବଦଳରେ ଏହାକୁ ଅତିକ୍ରମ କରି ଖୁବ ଦ୍ରୁତ ଗତିରେ କାରଟି ଚାଲିଯାଇଥିଲା। ସୁରକ୍ଷାକର୍ମୀମାନେ ଏହା ଉପରକୁ ଗୁଳିମାଡ଼ କରିଥିଲେ। କାର୍ ଭିତରେ ଥିବା ଆତଙ୍କବାଦୀ ଜଣଙ୍କ ମଧ୍ୟ ପାଲଟା ଗୁଳିମାଡ଼ କରିଥିଲା। ତେବେ ସୁରକ୍ଷାକର୍ମୀଙ୍କ ଘନଘନ ଆକ୍ରମଣକୁ ମୁକାବିଲା କରି ନପାରି ଆତଙ୍କବାଦୀ ଜଣଙ୍କ ଅନ୍ଧାରର ସୁଯୋଗ ନେଇ ଗାଡ଼ି ଛାଡ଼ି ଖସି ଯିବାରେ ସକ୍ଷମ ହୋଇଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ତା’କୁ ଧରିବା ପାଇଁ ଜୋରଦାର ସର୍ଚ୍ଚ ଅପରେସନ କରାଯାଉଛି। କାରଟିରେ ଏକ ନକଲି ରେଜିଷ୍ଟ୍ରେସନ (ସ୍କୁଟର) ନମ୍ବର ବ୍ୟବହାର କରାଯାଇଥିବା ଜଣାପଡ଼ିଛି। ପୁଲିସ୍‌, ସିଆରପିଏଫ ଓ ଆର୍ମି ମିଳିତ ଭାବେ ଏହି ଅପରେସନରେ ସାମିଲ ଥିଲେ, ଏବଂ ଏକ ବଡ଼ ଧରଣର ଆକ୍ରମଣ ଯୋଜନାକୁ ବିଫଳ କରିଛନ୍ତି।

ସୂଚନାଯୋଗ୍ୟ ଯେ ଗତବର୍ଷ ଫେବୃଆରୀ ୧୪ରେ ପୁଲୱାମାରେ ଆତଙ୍କବାଦୀମାନେ କାର ବିସ୍ଫୋରଣ କରିଥିଲେ, ଯେଉଁଥିରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ। ଏହାପରେ ଭାରତ ବାଲାକୋଟରେ ଏୟାରଷ୍ଟ୍ରାଇକ କରିଥିଲା।

Related Posts

About The Author

Add Comment