ବଲାଙ୍ଗିର, ୨୯/୪(ସନ୍ଧାନ ନିୟୁଜ): ପୁଲିସ୍ ଇନ୍ଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି ନକ୍ସଲ। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ର ଖୁରିପାଣି ଗାଁରେ ଘଟିଛି ଏ ଘଟଣା। ମୃତ ବ୍ୟକ୍ତିଙ୍କ ନାଁ ତ୍ରିଲୋଚନ ତରିଆ(୪୫)।
ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ବେଳେ ୨୦ରୁ ୨୫ ଜଣ ନକ୍ସଲ ଗାଁକୁ ଆସିଥିଲେ। ସେମାନେ ତ୍ରିଲୋଚନଙ୍କୁ ଘରୁ ଡାକି ନେଇଥିଲେ। ଗାଁ ମଝିରେ ତାଙ୍କ ହାତ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ତା’ ପରେ ସେମାନେ ତାଙ୍କୁ ଗୁଳି କରି ମାରି ଦେଇଥିଲେ।
ମୃତଦେହ ଉପରେ ନକ୍ସଲମାନେ ଏକ ହାତଲେଖା ଚିଠି ଛାଡ଼ି ଯାଇଥିଲେ। ତ୍ରିଲୋଚନ ପୁଲିସ୍ ଇନ୍ଫର୍ମର ଭାବରେ କାମ କରୁଥିବାରୁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ବୋଲି ଏଥିରେ ଲେଖାଯାଇଥିଲା। ଏଥିରେ ଗାଁର ଆଉ କିଛି ଲୋକଙ୍କ ନାଁ ବି ଲେଖାଯାଇଥିଲା। ସେମାନଙ୍କୁ ସୁଧୁରି ଯିବା ପାଇଁ ନକ୍ସଲମାନେ ଚେତାବନୀ ଦେଇଛନ୍ତି।



