ପିକନିକ ସିଜନ୍‌ରେ କଂଟା ସାଜିଛି କରୋନା!

Spread the love

ରାଉରକେଲା,୧୦ /୧୨/୨୦୨୦ (ସନ୍ଧାନ ନିଉଜ) :ଶୀତ ରୁତୁ ଧରାପୃଷ୍ଠରେ ପାଦ ଥାପି ସାରିଲାଣି । ସୁନ୍ଦରଗଡ଼ ଜିଲା ପ୍ରାୟ ସବୁ ସ୍ଥାନରେ ହାଲକା ଥଣ୍ଡା ଅନୁଭୂତ ହେଉଥିବା ବେଳେ, ଆସନ୍ତା ଦିନରେ ଶୀତର ପ୍ରକୋପ ଆହୁରି ବଢିବା ଆଶଙ୍କା ପରିବେଶବିତ ମାନେ ଆକଳନ କରିଛନ୍ତି । ସାଧାରଣତଃ ନଭେମ୍ବର ମାସ ଠାରୁ ଜାନୁଆରୀ ମାସ ଶେଷ ସପ୍ତାହ ଯାଏ ଜମିଥାଏ ପିକନିକ୍ ରୁତୁର ଆସର । ନିଜ ପରିବାର, ବନ୍ଧୁ, ପରିଜନ ସହ ଖୁସିର ଦୁଇ ମୂହୂର୍ତ କାଟିବା ପାଇଁ ପିକ୍‌ନିକ୍‌(ବଣଭୋଜି) ପାଇଁ  ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ଜଣାପଡ଼ିଛି ।  ଅନ୍ୟପକ୍ଷେ ଚଳିତ ବର୍ଷ କରୋନା ମହାମାରୀ ଯୋଗୁ  ସହରର ଅଧିକାଂଶ ଲୋକ ପିକ୍‌ନିକ୍ ପାଇଁ ଅମଙ୍ଗ ହେଉଥିବା ବେଳେ ଅନ୍ୟପକ୍ଷେ, କରୋନା ସଂକ୍ରମଣ ସାମାନ୍ୟ କମ ଥିବାରୁ ଯୁବଗୋଷ୍ଠୀ ପିକ୍‌ନିକ୍ କରିବାକୁ ଆଗଭର ହୋଇ ଉଠିଲେଣି! ପିକ୍‌ନିକ୍‌ର  ଆୟୋଜନ କରିବା ଅବା ପିକ୍‌ନିକ୍‌କୁ ସ୍ଥଗିତ ରଖିବାକୁ ଏଯାଏ କୌଣସି ସରକାରୀ ମାର୍ଗଦର୍ଶିକା ସରକାରଙ୍କ ପକ୍ଷରୁ ଜାରି କରାଯାଇ ନଥିବାରୁ ସହରର ପିକ୍‌ନିକ୍ ପ୍ରେମୀ ମାନେ ଦ୍ୱନ୍ଦ ଓ ଆଶଙ୍କା ମଧ୍ୟରେ ରହିଛନ୍ତି । ପିକିନିକରେ ଗହଳି ଜମିବା ତଥା ସାମାଜିକ ଦୂରତା ଭଙ୍ଗ ହେବାର ଯଥେଷ୍ଟ ସମ୍ଭାବନା ରହିବା ସ୍ୱାଭାବିକ । ଏହା କରୋନାକୁ ଆମନ୍ତ୍ରଣ କରିପାରେ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ଏପରିସ୍ଥଳେ ଚଳିତ ବର୍ଷ ଗଛଲତାର ସବୁଜିମା ଭରା ପରିବେଶରେ ପିକନିକର ମଜା ହୁଏତ ଫିକା ପଡ଼ି ଯାଇପାରେ! ଏଠାରେ ସୂଚନାଯୋଗ୍ୟ, ପ୍ରତିବର୍ଷ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ବସବାସ କରୁଥିବା ବହୁ ପରିବାର, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନର କର୍ମକର୍ତା, ସାମାଜିକ ଅନୁଷ୍ଠାନ ସମେତ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ପିକ୍‌ନିକ୍‌ରେ କିଛି ସମୟ ଅତିବାହିତ କରି  ଦିନକର ଖୁସିର ମୂହୂର୍ତକୁ ପରସ୍ପର ମଧ୍ୟରେ ବାଂଟିଥାନ୍ତି । ସୁନ୍ଦରଗଡ଼ ଜିଲାରେ ଥିବା ବିିଭିନ୍ନ ବଣଭୋଜି ଅବା ପିକ୍‌ନିକ୍ ସ୍ଥଳ ଯେପରି ଖଣ୍ଡାଧାର, ଦର୍ଜିଂ, ଦେଓଧର,ପିତାମହଲ, ଚମ୍ପାଝରନ,ବରଘାଟ, କାଂସବାହାଲ ଡ୍ୟାମ, ମନ୍ଦିରା ଡ୍ୟାମ, ବ୍ଲୁ ଷ୍ଟୋନ, ତେତରକେଲା,କଂସର, ଡେଲାକୁଦର ଆଦିରେ ଜମିଥାଏ ପିକ୍‌ନିକ୍‌ର ଆସର । ଶୀତୁଆ ସକାଳର ଭିଜାଭିଜା କାକରରେ ପିକନିକର ମଜା ନିଆରା ରହିଥାଏ । ପ୍ରତି ସପ୍ତାହର ବୁଧବାର, ଶୁକ୍ରବାର ଓ ରବିବାର ପିକନିକ ସ୍ଥଳ ଗୁଡ଼ିରେ ଗହଳି ଜମିବା ଲକ୍ଷ୍ୟ କରାଯାଇଥାଏ । ରାଉରକେଲାର ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଏହି ସବୁ ସ୍ଥାନରେ ସମୂହ ଏକତ୍ରିତ ହେବା ପ୍ରତ୍ୟେକ ବର୍ଷ ଦେଖିବାକୁ ମିଳିଥାଏ । ମାତ୍ର ଚଳିତ ବର୍ଷ କରୋନା ସଂକ୍ରମଣ ଯୋଗୁ ପିକନିକର ମଜା ଧୋଇ ହୋଇଯିବା ଆଶଙ୍କା ରହିଛି । ପିକନିକରେ  ନିଶ୍ଚିତ ଭାବେ ଗହଳି ହେବା ସ୍ୱାଭାବିକ,ଏଣୁ କୋଭିଡ଼ ନିୟମ ମାନି ଅଳ୍ପ ସଂଖ୍ୟକ ବନ୍ଧୁ ପରିଜନରେ ସତର୍କତା ସହ  ପିକନିକର ଆୟୋଜନ କଲେ, କରୋନା ସଂକ୍ରମଣକୁ ହୁଏତ କିଛି ମାତ୍ରାରେ ଏଡ଼ାଇ ଦିଆଯାଇ ପାରିବ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।

Related Posts

About The Author

Add Comment