ଯାଜପୁର , ୦୫/୦୫ (ସନ୍ଧାନ ନିଉଜ) ସମଗ୍ର ଦେଶରେ ଲକ୍ ଡାଉନ ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ଲୋକ ମାନେ ଅଟକି ରହିଛନ୍ତି । ବିଭିନ୍ନ କାରଣରୁ ଅଟକି ରହିଥିବା ଏହି ବ୍ୟକ୍ତି ମାନେ ବିବିଧ ଆବଶ୍ୟକତାରୁ ଅନ୍ୟସ୍ଥାନ ମାନଙ୍କୁ ଯିବା ପାଇଁ ସରକାରଙ୍କୁ ନିବେଦନ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓ ଲୋକ ମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏହି ଅନୁମତି ପ୍ରଦାନକୁ କୋହଳ ଓ ସରଳ କରିଛନ୍ତି । ରାଜ୍ୟର ଗୋଟିଏ ଜିଲ୍ଲାକୁ ଅନ୍ୟ ଜିଲ୍ଲା ବା ରାଜ୍ୟକୁ ସ୍ୱାସ୍ଥ୍ୟଗତ କାରଣ ବା ଅତ୍ୟାବଶ୍ୟକୀୟ କାରଣ ପାଇଁ ଯିବାକୁ ହେଲେ ସଂପୃକ୍ତ ଅଂଚଳ ର ଉପଜିଲ୍ଲାପାଳ, ତହସିଲଦାର ଓ କଟକ, ଭୁବନେଶ୍ୱର ପାଇଁ ଡିସିପି ଏହି ପାସ ପ୍ରଦାନ କରିପାରିବେ ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି । ଏହି ଅନୁମତି ପ୍ରଦାନ ପରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଗାଡିର ପାସ୍ ଫର୍ମାଟ ସହ ମେଲ ମାଧ୍ୟମରେ ଅବଗତ କରାଇବାକୁ ପରାମର୍ଶ ଦିଆଯାଇଛି । ସେହିପରି ଅନ୍ୟ ରାଜ୍ୟରୁ ଓଡିଶାକୁ ଆସିବାକୁ ଚାହୁଁ ଥିଲେ ରାଜ୍ୟସରକାରଙ୍କ ପୋର୍ଟାଲ ରେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ପରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ବା ଜିଲ୍ଲା ମାଜିଷ୍ଟ୍ରେଟ, ପୋଲିସ କମିଶନର କିମ୍ବା ପ୍ରାଧିକୃତ ଅଧିକାରୀଙ୍କୁ ସଂପୃକ୍ତ ବ୍ୟକ୍ତି ଯେଉଁଠାରେ ଅଟକି ରହିଛନ୍ତି ସେ ସଂପର୍କରେ ସୂଚନା ପ୍ରଦାନ କରି ଅନୁମତି ପତ୍ରର କାରଣ ସଂପର୍କରେ ଉଲ୍ଲେଖ କରି ଆବେଦନ କରିବେ । ସେଠାରୁ ଆବଶ୍ୟକୀୟ ତନଖି ପରେ ଅନୁମତି ପତ୍ର ପ୍ରଦାନ କରାଯାଇଥିବା ତଥ୍ୟ ଗୁଡିକୁ ଉପରୋକ୍ତ ପୋଟାଲରେ ଅପଲୋଡ କରାଯିବ ଯାହାକି ରାଜ୍ୟ ସୀମାରେ ଅନୁଧ୍ୟାନ କରିବା ପରେ ପ୍ରବେଶ ଅନୁମତି ମିଳି ପାରିବ । ଏହି ଅନୁମତି ପତ୍ର ସଂପର୍କରେ ସଂପୃକ୍ତ ରାଜ୍ୟର ଜିଲ୍ଲାପାଳ ମାନଙ୍କୁ ପାସ ପ୍ରଦାନ କରୁଥିବା ଜିଲ୍ଲାପାଳ ମାନେ ନିଶ୍ଚିତ ଅବଗତ କରାଇବେ । ଏହି ବ୍ୟକ୍ତି ମାନେ ନିଜ ଅଂଚଳରେ ପହଁଚିବା ପରେ ୧୪ ଦିନିଆ କ୍ୱାରେନଟାଇନରେ ରହିବେ ।
ପାସ୍ ପ୍ରଦାନକୁ ସରଳୀକରଣ: ଉପଜିଲ୍ଲାପାଳ ଓ ତହସିଲଦାର ପ୍ରଦାନ କରିପାରିବେ
|
May 5, 2020 |