ଭଦ୍ରକ,୪ା୬ (ସନ୍ଧାନ ନିୟୁଜ/ରମେଶ ନାୟକ): ଆରଡି ସ୍ଥିତ ପ୍ରସିଦ୍ଧ ବାବା ଆଖଣ୍ଡଳମଣି ଏବଂ ଭଦ୍ରକାଳୀ ପୀଠ ସହିତ ଅନ୍ୟାନ୍ୟ ପୀଠମାନଙ୍କୁ ଅଧିକ ପର୍ଯ୍ୟଟକଙ୍କ ଆସିବା ଉପରେ ଏକ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପରାମର୍ଶ ଦେଇଛନ୍ତି । ଗତକାଲି ମନ୍ତ୍ରୀ ଶ୍ରୀଯୁକ୍ତ ପାଣିଗ୍ରାହୀ ଦିନିକିଆ ଭଦ୍ରକ ଗସ୍ତରେ ଆସି ବିଭିନ୍ନ ଦେବଦେବୀଙ୍କ ପୀଠ ସମେତ ଶହିଦ ପୀଠ ପରିଦର୍ଶନ କରିଥିଲେ । ମନ୍ତ୍ରୀ ଅପରାହ୍ନରେ ଭଦ୍ରକରେ ପହଞ୍ଚି ଭଦ୍ରକାଳୀ ପୀଠକୁ ଯାଇ ମାଆ ଭଦ୍ରକାଳୀଙ୍କୁ ଦର୍ଶନ କରିଥିଲେ । ସେଠାରେ ମାଆ ଭଦ୍ରକାଳୀପୀଠର ସେବାୟତମାନଙ୍କ ସହିତ ବିଭିନ୍ନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ମନ୍ତ୍ରୀ ଅନ୍ନପାଳ ହୋଇ ଲୁଣିଆ ଶହିଦ ପୀଠକୁ ଯାଇ ଶହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେଠାରୁୁ ମନ୍ତ୍ରୀ ଆରଡି ପୀଠକୁ ଯାଇଥିଲେ । ବାବା ମଣିଙ୍କୁ ପୂଜାର୍ଚ୍ଚନା କରିବା ସହିତ ସେଠାରେ ସେବାୟତଙ୍କୁ ଭେଟି ପୀଠର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ମନ୍ତ୍ରୀ ଶେଷରେ ଭଦ୍ରକକୁ ଫେରିବା ରାସ୍ତାରେ ସାତଭଉଣୀ ମନ୍ଦିରକୁ ମଧ୍ୟ ଯାଇ ଦର୍ଶନ କରିଥିଲେ । ପରେ ପାନ୍ଥିକା ପରିସରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ନବ ନିର୍ମିତ ପାନ୍ଥିକା ଗୃହର ମାନ ସମ୍ପର୍କରେ ପଚାରି ବୁଝିବା ପରେ ଜିଲ୍ଳାରେ ଥିବା ସମସ୍ତ ଦେବଦେବୀଙ୍କ ପୀଠ ସହିତ ଶହିଦ ପୀଠର ଉନ୍ନତିକରଣ ସମ୍ପର୍କରେ ଜିଲ୍ଲାପାଳ ଜ୍ଞାନ ଦାସ, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ପୂର୍ବତନ ବିଧାୟକ ମକ୍ତିକାନ୍ତ ମଣ୍ଡଳ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଜଗନ୍ନାଥ ସ୍ୱାଇଁ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶଶାଙ୍କ ଶେଖର ରଥ, ଜିଲ୍ଲା ସଂସ୍କୃତି ଅଧିକାରୀ ଗୋଲଖ ଚନ୍ଦ୍ର ବେହେରାଙ୍କ ସହିତ ଆଲୋଚନା କରିଥିଲେ । ପୀଠଗୁଡିକର ବିକାଶ ସହିତ ପୀଠକୁ ଅଧିକରୁ ଅଧିକ ପର୍ଯ୍ୟଟକମାନଙ୍କ ଆସିବା ନେଇ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରୀଯୁକ୍ତ ପାଣିଗ୍ରାହୀ ଜିଲ୍ଲାପାଳ ଓ ଜିଲ୍ଲା ପର୍ଯ୍ୟଟନ ଅôଧକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ଦିନିକିଆ ଭଦ୍ରକ ଗସ୍ତ, ପୀଠସ୍ଥଳୀକୁ ଅଧିକ ପର୍ଯ୍ୟଟକଙ୍କ ଆସିବା ନେଇ ଯୋଜନା ପ୍ରସ୍ତୁତିକୁ ଗୁରୁତ୍ୱ
|
June 4, 2019 |
![](https://sandhannews.com/wp-content/uploads/2019/06/Minister-Review-Meeting-2.jpg)