ପଢନ୍ତୁ ପ୍ରତିଭା ପ୍ରିୟଦର୍ଶିନୀଙ୍କ ଗଳ୍ପ ‘ମିନିଟିଏ ଘଣ୍ଟା’

Spread the love
ରାତି ପ୍ରାୟ ୨.୩୦ ହେବ। ସମ୍ବିତ ଙ୍କ ଟ୍ରେନ ଏହି ଷ୍ଟେସନରେ ଲାଗିବ ଭୋର ୩.୧୦ ରେ। ଓଡ଼ିଶା ଟ୍ରେନ ଗୁଡିକ ସବୁବେଳେ ଦୁଇଅଙ୍କ ବିଶିଷ୍ଟ ଧାରଣା ମାନଙ୍କରେ ଲାଗେ ଆମ ଦେଶର ପ୍ରାୟ ସମସ୍ତ ବଡ଼ ବଡ଼ ରେଳ ଜଙ୍କସନ ରେ। ଏଠି ମଧ୍ୟ ସେଇଆ। 21ନଂ ରେ ଲାଗିବ ଟ୍ରେନ। ସମ୍ବିତ ତେଣୁ ପ୍ରତିକ୍ଷାଳୟ ରୁ ବାହାରି ପ୍ଲାଟଫର୍ମ ଯାଏଁ ଯିବାକୁ ବାହାରିଲେ। ମଝି ମଝି ଧାରଣା ରେ ଦୈତ୍ୟାକାର ମାଲଗାଡି ଗୋଟେ ଦୁଇଟା ଠିଆ ହୋଇଥାନ୍ତି। ସାରାଦିନ ଚଳଚଞ୍ଚଳ ଓ ଗହ ଗହ ଫାଟି ପଡୁଥିବା ଷ୍ଟେସନ ଟା ନିରାଟ ଥକାପଣ ରେ ଘୁମେଇ ପଡିଛି ଯେମିତି ଏତେସବୁ ଉଜ୍ଜ୍ୱଳ ବିଜୁଳି ଲାଇଟ ଭିତରେ। ଦୂର ଯାଏ ନିଦ୍ରିତ ଅଜଗର ଭଳି ଛନ୍ଦା ଛନ୍ଦି ହୋଇ ଲମ୍ବିତ ରେଳଧାରଣା। ଗୁଡ଼ାଏ ବାସହରା ମଣିଷଙ୍କ ନିଶା ନିବାସ ଏଇ ଷ୍ଟେସନ। ଓଭରବ୍ରିଜ ହେଉ କି ସିମେଣ୍ଟ ଚୌକି, ଜିନିଷ ବୁହା କାଠଗାଡି ହେଉ କି ପୁରୁଣା କାର୍ଟୁନ ଅବା ବ୍ୟାନର ଖଣ୍ଡେ ବିଛେଇ ବେଧଡ଼କ ଶୋଇଥାନ୍ତି ଅନେକ ଜୀବନ। ତଳେ ଉଦ୍ଭାସିତ ଷ୍ଟେସନ କୁ ଉପରୁ ନିରେଖି ଦେଖୁଥାଏ ଏକାଦଶୀ ଜହ୍ନ। ହଁ, ତିଥୀ ଟା ଏଇଥିପାଇଁ ମନେ ଅଛି ନିର୍ଦ୍ଧିଷ୍ଟ ଭାବେ ଯେ ନବମୀ ତିଥିରେ ବାପା ବୋଉ ଙ୍କ ଅସ୍ଥି ବିସର୍ଜନ କରିବା ପାଇଁ ସମ୍ବିତ ଆସିଥିଲେ ପ୍ରୟାଗରାଜ। ସଙ୍ଗମର ପବିତ୍ର ସ୍ଥଳେ ମା ଗଙ୍ଗାଙ୍କୁ ସମର୍ପି ଦେଲେ ବାପା ବୋଉ ଙ୍କ ବଳକା ସ୍ମୃତିଚିହ୍ନ, ତାଙ୍କ ଚିତଭସ୍ମ ଆଉ ଅସ୍ଥି କେଇଖଣ୍ଡ। ଏତକ ଭାବିବା ଭିତରେ ପହଞ୍ଚି ସାରିଥିଲେ ୨୧ ନଂ ପ୍ଲାଟଫର୍ମ ରେ। ସାଙ୍ଗରେ କେବଳ ତାଙ୍କ ବ୍ୟାଗଟି ଥାଏ।
ଅକ୍ଟୋବର ର ରାତି। ଓଡିଶା ଅପେକ୍ଷା ଏଠି ସାମାନ୍ୟ ଅଧିକ ଥଣ୍ଡା ଲାଗୁଥିଲା। ତଥାପି ଚାଲିବ। ଆପତତଃ ଜନମାନବ ଶୂନ୍ୟ ଥିଲା ଏଇ ସୁଦୂର ପ୍ଲାଟଫର୍ମ ଟି। ବତୀ ଓ ପଙ୍ଖା ଥିବା ଚୌକି ଦେଖି ବସିଗଲେ ସମ୍ବିତ। ଏବେବି ଟ୍ରେନ ଆସିବାକୁ ଢ଼େର ସମୟ ଅଛି। ମଣିଷ ଟିଏ ଏକାନ୍ତରେ ଥିବା ବେଳେ ଖୋଜିହୁଏ ଆଉ ଏକ ପ୍ରାଣୀ, ଯାହା ସହିତ ବାଣ୍ଟିହେବ ନୀରବତା ଓ ନିଃସଙ୍ଗ ମୁହୂର୍ତ୍ତ ମାନଙ୍କୁ। ଆଖି ବୁଲେଇଲେ ପ୍ଲାଟଫର୍ମ ର ଏମୁଣ୍ଡ ରୁ ସେମୁଣ୍ଡ ଯାଏଁ। ନା, କେହି ଦିଶୁ ନାହାନ୍ତି। ଅଧଘଣ୍ଟା ଏମିତି ଏକା ଏକା ବିତିଯିବ ଭାବି ବ୍ୟାଗରୁ ପତ୍ରିକା ଖଣ୍ଡେ କାଢ଼ିବାକୁ ଉଦ୍ଦ୍ୟତ ହେବା ବେଳକୁ ହଠାତ ପ୍ଲାଟଫର୍ମ ର ଶେଷ ଗଡାଣି ପାଖରୁ କେହି ଜଣେ ଆସୁଥିବା ଦେଖିଲେ ସମ୍ବିତ। କିଛି ସମୟ ପରେ ଜାଣିଲେ ଯୁବତୀ ଜଣେ ଖୁବ ଭୟ, ସନ୍ତର୍ପଣ ଓ ଆବେଗ ମିଶା ଭାବ ନେଇ ଉଭା ହେଲା ସାମ୍ନା ରେ। ଏକାନ୍ତ ରେ ଜଣେ ସହଯାତ୍ରୀର ଆଗମନ ସୁଖଦ ଲାଗିଲା ସମ୍ବିତ ଙ୍କୁ। ହେଲେ ଏତେ ରାତିରେ ଏକୁଟିଆ ଝିଅଟି ଏମିତି ଏଡେବଡ଼ ସୁଟକେସ ଧରି ଷ୍ଟେସନରେ ପହଞ୍ଚିବା ଅନେକ ପ୍ରଶ୍ନ ଗଢୁଥିଲା ସମ୍ବିତ ଙ୍କ ମନରେ। ଯୁବତୀ ଟି ପାଖକୁ ଆସି ପଚାରିଲା, “ଆପଣ ଏଠି କେତେ ସମୟ ଯାଏଁ ଅଛନ୍ତି ?” ସମ୍ବିତ ତାଙ୍କ ଟ୍ରେନ ସମୟ ଜଣାଇ, ଯୁବତୀ ଟିକୁ ଅଭୟ ଦେବା ଭଳି କହିଲେ, “ଡରିବାର କିଛି ନାହିଁ। ମୁଁ ଥିବା ଯାଏଁ ଆପଣଙ୍କ ଏପାଖ ବେଞ୍ଚ ରେ ବସିଛି। ଆପଣଙ୍କ ଟ୍ରେନ କେତେବେଳେ ?” ଝିଅଟି ତା ହାଣ୍ଡୁଆ ସୁଟକେସ ଟାକୁ ରଖି ପାଖ ସିମେଣ୍ଟ ଚୌକିରେ ବସୁ ବସୁ କହିଲା ଯେ ସେ ଟ୍ରେନ ରେ ଯିବାକୁ ନୁହେଁ, ବରଂ ପ୍ରେମିକ ସହ ଯିବାପାଇଁ ଘରଛାଡି ଚାଲି ଆସିଛି। ହେଲେ ପ୍ରେମିକ ଟି ଏଯାଏଁ ପହଞ୍ଚି ନାହିଁ।
ସ୍ମିତ ହସି ସମ୍ବିତ କହିଲେ,”ଯାହାକୁ ଭରସା କରି ଘର ପରିବାର ଛାଡି ଆସିଛ ସେ ତ ଏଯାଏ ପହଞ୍ଚି ନାହାନ୍ତି। ଯଦି ନଆସିଲେ ବିଲକୁଲ, ତେବେ କଣ କରିବ ? ଝିଅଟି ଖୁବ ଦମ୍ଭ ଭାବରେ କହିଲା, “ସେ ନିଶ୍ଚୟ ଆସିବେ। ତାଙ୍କ ଆସିବା ଯାଏଁ ମୁଁ ଏମିତି ଅପେକ୍ଷା କରିଥିବି ଏଇଠି।” ଝିଅଟିର ବିଶ୍ୱାସ ଦେଖି ମୁଗ୍ଧ ହେଲେ ସମ୍ବିତ। ତା ବିଶ୍ୱାସ ଓ ପ୍ରେମର ଜିତାପଟ ହେଉବୋଲି ଶୁଭେଚ୍ଛା ଜଣେଇଲେ। ଝିଅଟି ସାମାନ୍ୟ ହସି ପ୍ରତି ସମ୍ଭାଷଣ ଜଣାଇଲା।
ଘଣ୍ଟା ଦେଖିଲେ ସମ୍ବିତ, ସମୟ ଯେମିତି ଅଟକି ଯାଇଛି। ଏତେ କଥା ହେଇ ସାରିଲେଣି ସେ ଅପରିଚିତ ଝିଅଟି ସହିତ, ଅଥଚ ଏବେବି ମିନିଟ କଣ୍ଟା କଷ୍ଟରେ ଗୋଟେ ଘେରା ବୁଲିଛି ହୁଏତ। ସାମାନ୍ୟ ଆଶ୍ଚର୍ଯ୍ୟ ରେ ଡାଏଲ କୁ ଆଙ୍ଗୁଳିରେ ଟିକେ ଟପ ଟପ କରି କାନରେଲଗେଇଲେ ସମ୍ବିତ। ଏସବୁ ଦେଖି ସେ ଝିଅ ଖୁବ ହସିଲା ଆଉ କହିଲା, ମୋ ସହିତ ବସିଲେସମୟ ବି ଅଟକିଯାଏ ମିଷ୍ଟର….
– ସମ୍ବିତ, ସମ୍ବିତ ସାବତ ଫ୍ରମ୍ ଓଡିଶା
– ମୁଁ ଅଫ୍ସା
– ଓଃ, ଏବେ ଆଉ ଅପରିଚିତ ନୁହଁନ୍ତି ଆମେ ଦୁହେଁ
– ନିଶ୍ଚୟ। ବିନୟ ସବୁବେଳେ କୁହନ୍ତି ଯେ ମୋ ସହିତ କେହି ବେଶୀ ସମୟ ଯାଏଁ ଅପରିଚିତ ରହିପାରିବେ ନାହିଁ
– ବିନୟ ???
– ବିନୟ ଶୁକ୍ଳା, ମୋ ପ୍ରେମିକ। ଯାହାଙ୍କ ଲାଗି ଏଠି ଅପେକ୍ଷା ରେ ବସିଛି।
– ଓଃ, ପ୍ରେମ ରେ ଧର୍ମ ବାଧକ ବୋଲି ଏ ନିଷ୍ପତ୍ତି ତେବେ !!!
– ଧର୍ମ ନୁହେଁ, ରୁଡିବାଦୀ ଓ କଠୋରପନ୍ଥୀ ମାନସିକତା
– ହୁଁ….. ଧର୍ମ ତ ପ୍ରେମର ବାର୍ତ୍ତା ଦିଏ। ସବୁ ମଣିଷଙ୍କୁ ଏକ ସମାନ ଦେଖିବା ଶିଖାଏ। ବସୁଧୈବ କୁଟୁମ୍ବକମ ୟୁ ନୋ….
– ନା, ସେମିତି କିଛି ମାନେ ନାହିଁ। କିଛି ଧର୍ମ ନିଜ ବ୍ୟତୀତ ଅନ୍ୟକୁ ନ୍ୟୁନ କରି ଦେଖନ୍ତି। ସେଇଠି ଆରମ୍ଭ ହୁଏ ବିଦ୍ୱେଷ
– ଆଚ୍ଛା, ବିନୟ ବାବୁଙ୍କ ସହିତ କୁଆଡେ ଯିବା ପ୍ଲାନ ତେବେ ?
– ସେ ପୁଣେ ରେ ଚାକିରୀ କରନ୍ତି। କିନ୍ତୁ ଆମେ ହାଇଦ୍ରାବାଦ ଯିବୁ ଭାବିଛୁ
– ଭଲ ତେବେ। ଆଗାମୀ ଜୀବନ ସୁଖମୟ ହେଉ ଆପଣ ମାନଙ୍କର।
ପୁଣି ଘଣ୍ଟା ଦେଖିଲେ ସମ୍ବିତ। ଏବେ ବି ସମୟ ଏତେ ଧିରେ ଧିରେ ବିତୁଛି। ପ୍ଲାଟଫର୍ମ ଘଡି କୁ ଦେଖିଲେ। ସେଇଟା କେମିତି ଗୋଟେ ଧୂଆଁଳିଆ ଝାପ୍ସା ଦିଶୁଛି। ଠିକରେ ଠଉରେଇ ହେଉନି ସମୟ। ପୁଣି ଶୁଭିଲା ଅଫ୍ସା ର ହସ। ତା ଆଡ଼କୁ ବୁଲି ଦେଖିଲେ ସମ୍ବିତ। ସେ ନିର୍ମିମେଷ ଚାହିଁଥାଏ ଦୂର ଅନ୍ଧାର ଗର୍ଭକୁ। ସୁନ୍ଦର ଗୌରବର୍ଣା ତନୁପାତଳୀ ଝିଅଟି ହଳଦିଆ ରଙ୍ଗର ଚୁଡ଼ିଦାର ପଞ୍ଜାବୀ ସାଙ୍ଗକୁ ଆଜାନୁଲମ୍ବିତ ମୁକ୍ତ ଘନକୃଷ୍ଣ କେଶରାଶୀ ରେ ପୋଟ୍ରେଟ ଟିଏ ଭଳି ପ୍ରତୀତ ହେଉଥାଏ। ବଡ଼ ବଡ଼ ଆଖି, ଉଚ୍ଚା କପାଳ, ଲମ୍ବା ନାକ ଓ ସରୁ ଓଠ, ସବୁକିଛି ନିପୁଣ ଚିତ୍ରକରର ହାତଅଙ୍କା ମନେ ହେଉଥାଏ।
ବୁଲି ଦେଖିଲା ଅଫ୍ସା। ତା ଅଲକ୍ଷରେ ତାକୁ ଏମିତି ନିବିଡ଼ ଭାବେ ଦେଖୁଥିଲେ ବୋଲି ଧରା ପଡିଯିବା ସଂକୋଚ ରେ ଆଖି ଫେରାଇ ନେଲେ ସମ୍ବିତ। ଅଫ୍ସା କିନ୍ତୁ ଯେମିତି ତାଙ୍କୁ ସମ୍ମୋହିତ କରୁଥିଲା ବେଳୁ ବେଳ। ଏଥର ତା ଆଖିରେ ଆଖି ସ୍ଥିର କଲେ ସମ୍ବିତ। ସେ ମଧ୍ୟ ସହଜ ଭାବରେ କହିଲା, “ଜାଣନ୍ତି ସମ୍ବିତ ବାବୁ, ବିନୟଙ୍କ ସହିତ ମୋ ପରିଚୟ ପ୍ରାୟ ତିନିବର୍ଷ ହେଲା। ଗୋଟେ ସାଙ୍ଗ ବାହାଘର ରେ ସାକ୍ଷାତ ହୋଇଥିଲା। ମୋ ସାଙ୍ଗର ସମ୍ପର୍କୀୟ ଭାଇ ସେ। ଅଳ୍ପ ଦିନର ପରିଚୟ ରେ ବନ୍ଧା ପଡିଗଲା ମୋ ମନ ତାଙ୍କ ପାଖରେ। ସେ ଅବଶ୍ୟ ଖୁବ ବୁଝାନ୍ତି ମୋତେ, ଯେ ଆମ ସମ୍ପ୍ରଦାୟର କଠୋର ନିୟମ ମୋ ପାଇଁ ଖୁବ ଭାରି ହୋଇପାରେ। ସେ ସବୁ ସହିନେବେ। କିନ୍ତୁ ମୋତେ କଷ୍ଟରେ ଦେଖି ପାରିବେନି। ହେଲେ, ମନ ଥରେ ପ୍ରେମପଥରେ ପାଦ ଥାପିଲେ ଆଉ କି ପଛକୁ ଫେରି ଆସିହୁଏ ! ମୁଁ ବି ପାରିଲିନି। ସେଇଥିପାଇଁ ନିଷ୍ପତ୍ତି କଲୁ ଫେରାର ହେବାକୁ। ଏଇତ, ଠିକ ୨ଟା ବେଳେ ସେ ଘରୁ ବାହାରିଥିଲେ ଷ୍ଟେସନ ପାଇଁ। ମୁଁ ବି ଏକା ସମୟରେ ବାହାରିଲି ଲଜିଂ ରୁ। କାଲି ସାଙ୍ଗ ଜନ୍ମଦିନ ର ମିଛ ବାହାନା କରି ତା ଘରେ ରହିବି କହି ଆସିଥିଲି। କେମିତି କେଜାଣି ମୋ ଘର ଲୋକଙ୍କୁ ଖବର ମିଳିଗଲା।
– ତୁମର ଏ ବିରାଟକାୟ ଆଟାଚି ଦେଖି ଡାଉଟ କରିଥିବେ
– ଏଟାକୁ ମୁଁ ଆଣି ନଥିଲି। ମୋ ଘରଲୋକ ଆଣିକି ଆସିଥିଲେ
– ଆଚ୍ଛା (ଆଶ୍ଚର୍ଯ୍ୟ ହେଲେ ସମ୍ବିତ) …..!!!!!
– ହଁ, ସେତେବେଳେ ମୁଁ ଏଇଟାକୁ ବୋହି ବୋହି ବୁଲୁଛି
– ସବୁ ଯୌତୁକ ଜିନିଷ ଏଇ ଗୋଟିକରେ ଭରିଦେଇଛନ୍ତି ବୋଧେ। (ସାମାନ୍ୟ ପରିହାସ ଢଙ୍ଗରେ କହି ହସିଦେଲେସମ୍ବିତ)
– ନା (ଏତକ କହିବା ବେଳକୁ ଅଫ୍ସା ର ସୁନ୍ଦର ମୁହଁଟା କେମିତି ଅଜବ ପ୍ରକାର ହିଂସ୍ର ଓ କ୍ରୁର ଦେଖାଯାଉଥାଏ)। ଦେଖିବେ କଣ ଦେଇଛନ୍ତି ଏଥିରେ !!!
– ନା, ଥାଉ
– ଦେଖନ୍ତୁ ଥରେ
ଏତକ କହି ଅଫ୍ସା ତରବର ହୋଇ ଖୋଳୁଥାଏ ସେ ବିରାଟ ଉଦରଵାଲା ଆଟାଚି କୁ, ଆଉ କ୍ରୋଧ ଏବ କାନ୍ଦ କାନ୍ଦ କଣ୍ଠରେ କହୁଥାଏ, ” ମୋତେ ମାରିଦେଲେ ଦୁଃଖ ନାହିଁ, ହେଲେ ଏଇ ସୁଟ୍କେସ ଫିଙ୍ଗିଦେଇ ଗଲେ ମୋ ଶବ ପାଖରେ। ସେଦିନୁ ଏଇ ବୋଝ ବୋହି ମୁଁ ଏକାକୀ ବୁଲୁଛି ଗତ ଏକୋଇଶ ବର୍ଷ ଧରି। ତା ଚୁଟି ସବୁ ଅଜାଡି ହେଇ ପଡିଥାଏ ତା ମୁହଁ ଉପରେ। ସେ ହଠାତ ମୁକୁଳା କରିଦେଲା ସୁଟ୍କେସ ଆଉ ତା ଭିତରେ ଥିଲା ଗୋଟେ ପୁରୁଷ ର ଖଣ୍ଡ ବିଖଣ୍ଡିତ ଶରୀର। ଇଏ ମୋ ବିନୟ, ମୋ ବିନୟ କହି ସେ ସୁଟ୍କେସ ଉପରେ ଝୁଙ୍କିପଡି ବିକଳରେ କାନ୍ଦୁଥାଏ ଅଫ୍ସା।
ଏ ବିଭତ୍ସ ଦୃଶ୍ୟ ଆଉ ଅଫ୍ସା ର ଶେଷ ସଂଳାପ ତକ ଶୁଣିବା ପରେ ନିର୍ବାକ ନିସ୍ପନ୍ଦ ହୋଇଯାଇଥାନ୍ତି ସମ୍ବିତ। ଦେହଟା ବରଫ ଭଳି ଶକ୍ତ ଓ ଶୀତଳ ହୋଇଯାଇଛି ଯେମିତି। ଚେଷ୍ଟା କରି ମଧ୍ୟ ସେ ହଲି ପାରୁ ନାହାନ୍ତି। ଅଫ୍ସା ଧୀରେ ମୁହଁ ଉଠେଇ କହିଲା, “ଭୟ କରନ୍ତୁନି। ଗଙ୍ଗାଜଳ ଆଣିଛନ୍ତି ଯଦି ଛିଞ୍ଚି ଦେଇଯାନ୍ତୁ ଆମଠି। ମୁକ୍ତ କରି ଦିଅନ୍ତୁ ଏ ଏକୋଇଶ ବର୍ଷର ଅଯୋନି ଯାଯାବର ଜୀବନ ରୁ। ଦମ୍ଭ ସଞ୍ଚିବ୍ୟାଗ ରୁ ବାହାର କଲେ ସଙ୍ଗମରୁ ଆଣିଥିବା ତ୍ରିବେଣୀ ପାଣି। ମୁଠାଏ ଲେଖା ଛିଞ୍ଚି ଦେଲେ ବିନୟ ଓ ଅଫ୍ସା ଉପରେ। ହଠାତ କାହା ସ୍ପର୍ଶ ରେ ସମ୍ବିତ ଫେରିପାଇଲେ ସମ୍ବିତ। ଚମକି ଦେଖିଲେ, ପାଖରେ ଚା ବିକାଳୀ ଟିଏ । ସହସା ପଚାରିଲା, ବାବୁ ଅଫ୍ସା କୁ ଭେଟିଲ କି ? କେତେ ଯାତ୍ରୀଙ୍କୁ ସେ ଭୟ ଦେଇ ହଇରାଣ କରିଛି, କୁହନ୍ତୁନି। ଆପଣଙ୍କ ହାତ ଗୋଡ଼ ଥଣ୍ଡା ପଡିଯାଇଥିବ।
– ନା, ମୁଁ ଠିକ ଅଛି
– କାହାକୁ ଫାଙ୍କୁଚ ବାବୁ ? ଏଇ ଷ୍ଟେସନ ରେ ମୋର 40 ବର୍ଷ ବିତିଲାଣି। କିଛି ନହେଇଥିଲେ ଆପଣ ଏ ସଙ୍ଗମ ପାଣିକୁ ତଳେ ଫିଙ୍ଗନ୍ତେ।
– ସତେତ
ବୋତଲ ଠିପି ବୁଜି ବ୍ୟାଗରେ ରଖିଲେ ସମ୍ବିତ। ଚା ଗୋଟିଏ କିଣିଲେ। ଏବେ ସେଇ ଷ୍ଟେସନ ଘଡି ତା ଏକଦମ ପରିଷ୍କାର ଦେଖା ଯାଉଥିଲା। କ୍ରମଶଃ ଆଉ କିଛି ସହଯାତ୍ରୀ ପହଞ୍ଚି ଗଲେଣି ପ୍ଲାଟଫର୍ମ ରେ। ମାତ୍ର କେଇଟା ମିନିଟ ଭିତରେ ଘଣ୍ଟା ଘଣ୍ଟା କାଟି ସାରିଥିଲେ ସେ ଅଫ୍ସା ସହିତ। ନିର୍ଦ୍ଧାରିତ ସମୟ ରେ ପହଞ୍ଚିଲା ଟ୍ରେନ। ଟ୍ରେନ କୁ ଉଠିଯାଇ ନିଜ ବର୍ଥ ଆବୋରି ନେଲେ ସମ୍ବିତ। ଅଳ୍ପ କେଇ ମିନିଟ ର ରହଣି ପରେ ଟ୍ରେନ ଷ୍ଟେସନ ଛାଡିଲା। ଦୂର ଅନ୍ଧାର ଭିତରୁ ଦୁଇଟି ଛାୟାମୂର୍ତି ହାତ ହଲେଇ ବିଦାୟ ଜଣାଉଥିଲେ ବୋଧ ହୁଏ। ଈଶ୍ୱରଙ୍କୁ ପ୍ରଣାମ କରି ଢୁଳେଇ ପଡିଲେ ସମ୍ବିତ…

Related Posts

About The Author

Add Comment