ପଞ୍ଚାୟତ ନିର୍ବାହୀ ସଂଘର ଜରୁରୀ ବୈଠକ

Spread the love

ଭଦ୍ରକ, ୧୯/୧୧ (ସନ୍ଧାନ ନିଉଜ) : ନିଖିଳ ଓଡ଼ିଶା ପଞ୍ଚାୟତ ନିର୍ବାହୀ ସଂଘ ଭଦ୍ରକ ଜିଲ୍ଳା ଶାଖାର ଏକ ସାଧାରଣ ଅଧିବେଶନ ସ୍ଥାନୀୟ କର୍ମଚାରୀ ଭବନରେ ଜିଲ୍ଲା ସଂଘର ସଭାପତି ଗୟାଧର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭଦ୍ରକ ଜିଲ୍ଳାର ବିଭିନ୍ନ ବ୍ଲକରୁ ଶତାଧିକ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଉପସ୍ଥିତ ରହି ଅଧିକାରୀମାନଙ୍କ ଦୈନନ୍ଦିନ କର୍ମ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ସଭା ପ୍ରାରମ୍ଭରେ ଗତମାସ ୧୫ ତାରିଖ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ଏକ ଶୋକ ପ୍ରସ୍ତାବ ଆଗତ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ଏ ନେଇ ଆଲୋଚନାରେ ସରକାରଙ୍କ ତଦନ୍ତ ପ୍ରକ୍ରିୟାକୁ ଘୋର ନିନ୍ଦା କରାଯିବା ସହ ହତ୍ୟା ମାମଲାରେ ସଂପୃକ୍ତ ଥିବା ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବୀ କରାଯାଇଥିଲା । ପରେ ସଂଘ ପକ୍ଷରୁ ବିଭିନ୍ନ ଦାବୀ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଜଣେ ନିର୍ବାହୀ ଅଧିକାରୀଙ୍କୁ ଏକାଧିକ ପଞ୍ଚାୟତର ଦାୟିତ୍ୱ ଦିଆ ନ ଯାଉ, ଅଧିକାରୀ ପଞ୍ଚାୟତ ସ୍ତରୀୟ ବହୁ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ସେମାନଙ୍କୁ କଣ୍ଟ୍ରୋଲ ସାମଗ୍ରୀ ଉଠାଣ ଓ ବଣ୍ଟନ କାର୍ଯ୍ୟରୁ ବିରତ କରଯାଉ । କୌଣସି ପ୍ରାକୃତିକ ବିପର୍ଯ୍ୟୟ ପରି ଯୁଦ୍ଧକାଳୀନ ପରିସ୍ଥିତି ନ ଥାଇ ସମସ୍ତ ସରକାରୀ ଛୁଟି ବାତିଲ କରା ନଯାଉ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ପଇସା ଯାଉଥିବାରୁ ହିତାଧିକାରୀ ଘର କାର୍ଯ୍ୟ ନ କରିବା ପାଇିଁ ନିର୍ବାହୀ ଅଧିକାରୀଙ୍କୁ ଦାୟି କରି ସେମାନଙ୍କ କାର୍ଯ୍ୟ ଦକ୍ଷତାର ମାନ ନିର୍ଦ୍ଧାରଣ କରା ନ ଯାଉ, ‘ଆୱାସ +’ କାର୍ଯ୍ୟକ୍ରମରେ ନାମ ଯୋଡିବା ପାଇଁ କାର୍ଯ୍ୟରେ କେବଳ ନିର୍ବାହୀ ଅଧିକାରୀଙ୍କୁ ସାମିଲ ନ କରି ଏକ ଟିମ୍ ଦ୍ୱାରା କାର୍ଯ୍ୟ ସମ୍ପାଦନ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଅଧିକାରୀମାନଙ୍କ କାର୍ଯ୍ୟ ନିମନ୍ତେ ଧାର୍ଯ୍ୟ ସମୟ ନିର୍ଘଣ୍ଟକୁ ନେଇ ପ୍ରତିବାଦ ଉତ୍ଥାପନ କରାଯାଇଥିଲା । ସେହିପରି ପଲ୍ଲୀସଭା, ଗ୍ରାମସଭାରେ ହିତାଧିକାରୀ ଚୟନ ବେଳେ ଅଧିକାରୀମାନେ ସମ୍ମୁଖୀନ ହେଉଥିବା ଚାପରୁ ସେମାନଙ୍କୁ ମୁକ୍ତ ରଖିବାକୁ ଦାବୀ କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ସମ୍ପାଦକ ଗୋପାଳ କିଶୋର ପଣ୍ଡା, ସଭ୍ୟ ନିଶାକର ଖୁଣ୍ଟିଆ, ପ୍ରକାଶ ନାୟକ, ଅଜୟ ଦାସ, କମଳାକାନ୍ତ ନାୟକ, ଦୀନବନ୍ଧୁ ମହାନ୍ତି, ସନ୍ୟାସୀ ଦାସ, କାର୍ତ୍ତିକ ସ୍ୱାଇଁ, ନିରଞ୍ଜନ ନାୟକ, ଚିତ୍ତରଂଜନ ଦାସ, ଚନ୍ଦ୍ରକାନ୍ତ ବେହେରା, ନିତ୍ୟାନନ୍ଦ ପଣ୍ଡା, ଦୀପକ ମହାନ୍ତି, ବିକ୍ରମ ସାହୁ ପ୍ରମୁଖ ସାମିଲ ଥିଲେ ।ସଂଘର ଉପଦେଷ୍ଟା ପୀତାମ୍ବର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment