ବେତନଟୀ/ବଡ଼ସାହି, 04.12.2020 (ଲିଙ୍ଗରାଜ ପଣ୍ଡା); ବଡ଼ସାହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଅବାଧ ନିଶା କାରବାର ଚାଲିଛି । ଜାତୀୟ ରାଜପଥ, ରାଜ୍ୟ ରାଜପଥ କଡ଼ରେ ଥିବା ଢାବା, ହୋଟେଲ, ଦୋକାନଗୁଡିକରେ ମଦ, ଗଞ୍ଜଇ, ଡ୍ରଗସର ଅବାଧ କାରବାର ଚାଲିଛି। ଏହା ଦ୍ଵାରା ଯୁବପୀଢ଼ି ପ୍ରଥଭ୍ରଷ୍ଟ ହେଉଛନ୍ତି । ନିଶାରେ ରହି ବିଭିନ୍ନ ଅପରାଧ ଘଟାଉଛନ୍ତି ଅବକାରୀ ବିଭାଗ ଏହାକୁ ରୋକିବାରେ ଅସମର୍ଥ ହୋଇଛି । ଏ ନେଇ ନିକଟରେ ବିଧାନସଭାରେ ଉଦ୍ବେଗ ପ୍ରକାଶ କରିଥିଲେ ବଡ଼ସାହି ବିଧାୟକ ସନାତନ ବିଜୁଳି ଅଣତାରକା ପ୍ରଶ୍ନ ସଂଖ୍ୟା ୭୭୧ ଜରିଆରେ ବିଧାୟକ ଅବକାରୀ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ, ଏବାବଦରେ ସରକାରଙ୍କ ପାଖରେ କଣ ତଥ୍ୟ ରହିଛି ଓ ସରକାର ନିଶା କାରବାର ରୋକିବାକୁ କଣ ପଦକ୍ଷେପ ନେଇଛନ୍ତି। ତେବେ ଉତ୍ତରରେ ମନ୍ତ୍ରୀ ନିରଞ୍ଜନ ପୂଜାରି ବିଧାୟକଙ୍କ ଅଭିଯୋଗ ତଥ୍ୟ ସମ୍ବଳିତ ନୁହେଁ ବୋଲି କହିଥିଲେ । ବଡ଼ସାହି ନିର୍ବାଚନ ମଣ୍ଡଳୀରେ ଚୋର ମଦ ପ୍ରସ୍ତୁତି, ବିକ୍ରୟ, ମାଦକ ଦ୍ରବ୍ୟର ଚୋରା କାରବାରକୁ ପ୍ରତିହତ କରିବାକୁ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଧରପଗଡ଼ କରାଯାଉଛି ଓ ଅବକାରୀ ବିଭାଗର କାର୍ଯ୍ୟ ପ୍ରଶଂସନୀୟ ବୋଲି କହିଥିଲେ ।