ନିର୍ବାଚନ କମିଶନଙ୍କୁ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ଜଣାଇଲେ ଗ୍ରାମବାସୀ

Spread the love

ଯାଜପୁର,୨୦/୦୮ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଯାବରା ପଂଚାୟତ ବାଁଉସଅଂଟା ବଡ ଗ୍ରାମବାସୀ ନିଜ ପଞ୍ଚାୟତରେ ପଂଚାୟତରେ ଭୋଟ ଦେଇପାରୁ ନାହାନ୍ତି । ସେଥିପାଇଁ ମଧ୍ୟ ସେମାନେ ସରକାରଙ୍କ ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ ଯୋଜନାରୁ ପ୍ରାୟ ୫ ବର୍ଷ ହେଲା ବଂଚିତ ହୋଇ ରହିଛନ୍ତି । ଏହି ଗ୍ରାମବାସୀମାନେ ବିଭିନ୍ନ ସ୍ତରରେ ଏଥିନେଇ ପ୍ରତିବାଦ କରିବା ପରେ ବିଫଳ ହେବାକୁ ଶେଷରେ ବାଧ୍ୟହୋଇ ଭୋଟ ବର୍ଜନ ନିଷ୍ପତ୍ତି ନେଇ ନିର୍ବାଚନ କମିଶନଙ୍କୁ ପତ୍ର ଦେଇଛନ୍ତି ।
ଏଥିରେ ଗ୍ରାମବାସୀ ଦର୍ଶାଇଛନ୍ତି ଯେ, ଏହି ଗ୍ରାମର ଭୋଟର ତାଲିକା ଯାବରା ପଂଚାୟତରେ ଏବେ ବି ରହିଛି । ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟ ମଧ୍ୟ ଯାବରା ପଂଚାୟତ ଅଧୀନରେ ହେଉଛି । ସରକାରଙ୍କ ବିଭିନ୍ନ ଯୋଜନା ଏହି ଗ୍ରାମରେ ଯାବରା ପଂଚାୟତ ଦ୍ୱାରା ପରିଚାଳିତ । ହେଲେ ଗତ ପଂଚାୟତ ନିର୍ବାଚନରେ ଆମକୁ ଅଚାନକ ନିକଟସ୍ଥ ଶ୍ରୀବନ୍ତପୁର ପଂଚାୟତରେ ଭୋଟ ଦେବାକୁ ବାଧ୍ୟ କରାଗଲା । ଆମେ ନିରୀହ ସରଳ ଗ୍ରାମବାସୀ ସେ ସମୟରେ ଏହାର ପ୍ରତିବାଦ କରିଛୁ । ପରେ ମଧ୍ୟ ବହୁବାର ପ୍ରଶାସନିକ ଉଚ୍ଚ ଅଧିକାରୀଙ୍କ ଲିଖିତ ଦାବିପତ୍ର ପ୍ରଦାନ କରିଛୁ । ବହୁବାର ସ୍ଥାନୀୟ ବିଧାୟକଙ୍କୁ ଏଥିନେଇ ସାକ୍ଷାତ କରିଛୁ । ଆମକୁ ସବୁଥର ଯାବରା ପଂଚାୟତରେ ଆମ ଗାଁ ରହିବାର ପ୍ରତିଶୃତି ଦିଆଯାଇଛି । ହେଲେ ଏହାର କୌଣସି ସୁଫଳ ମିଳିନାହିଁ ।
ଆମ ଗ୍ରାମର ପ୍ରତ୍ୟେକ ଲୋକ କୃଷି ଉପରେ ନିର୍ଭରଶୀଳ ହୋଇଥିଲେ ବି ଆମ ଗାଁ ସରକାରଙ୍କ ତାଲିକାରେ ସ୍ୱାକ୍ଷରତା ହାରରେ ରାଜ୍ୟରେ ୧ ନଂବର ତାଲିକାରେ ଥିବା ଗ୍ରାମ ମଧ୍ୟରେ ରହିଛି । ଆମ ଗାଁ ମଧ୍ୟ କରୋନା ମୁକ୍ତ ଏବଂ ବାଲ୍ୟ ବିବାହମୁକ୍ତ ଗାଁ । ହେଲେ ଆମ ପରି ସରଳ ନାଗରିକ ମାନଙ୍କୁ ଆମ ପଂଚାୟତରେ ଅଯଥା ଭୋଟ ଦେବାର ସୁଯୋଗ ନଦେବା ନେଇ ଆମେ ନାହିଁ ନଥିବା ଯନ୍ତ୍ରଣା ପାଉଛୁ । ଆମକୁ ଏବେ ଯେଉଁ ଶ୍ରୀବନ୍ତପୁର ପଂଚାୟତରେ ଭୋଟ ଦେବାକୁ କୁହାଯାଉଛି ଉକ୍ତ ପଂଚାୟତର ୧୭ ଟି ୱାର୍ଡ ରହିଛି । ଆମେ ଯେଉଁ ଯାବରା ପଂଚାୟତରେ ରହିବାକୁ ଚାହୁଁଛୁ ଏବଂ ପୂର୍ବରୁ ମଧ୍ୟ ଥିଲୁ, ଉକ୍ତ ପଂଚାୟତର ୧୩ ଟି ୱାର୍ଡ ରହିଛି । ଆମ ଦୁଇଟି ୱାର୍ଡ ମିଶିଲେ ଶ୍ରୀବନ୍ତପୁରର ୧୯ ୱାର୍ଡ ହେବ ଏବଂ ଯାବରାର ୧୫ ୱାର୍ଡ ହେବ । ଏହି ଦୃଷ୍ଟିରୁ ବିଚାର କଲେ ମଧ୍ୟ କମ ଜନସଂଖ୍ୟା ବିଶିଷ୍ଟ ଯାବରା ପଂଚାୟତରେ ଆମ ଗାଁ ରହିବା କଥା । ଗମନାଗମନ ଦୃଷ୍ଟିରୁ ଏବଂ ପଂଚାୟତ କାର୍ଯ୍ୟାଳୟରୁ ଆମ ଗାଁର ଦୂରତା ଦୃଷ୍ଟିରୁ ମଧ୍ୟ ଆମ ଗାଁ ଯାବରାରେ ରହିବା କଥା । ଆମ ଗାଁରୁ ଯାବରା ପଂଚାୟତ ଦୂରତା ମାତ୍ର ଗୋଟିଏ କିଲୋମିଟର ହୋଇଥିବା ବେଳେ ଶ୍ରୀବନ୍ତପୁର ପଂଚାୟତର ଦୂରତା ୩ କିଲୋମିଟର ଅଟେ । ଆମ ଗାଁକୁ ଯାବରା ପଂଚାୟତରୁ କାଟି ଶ୍ରୀବନ୍ତପୁର ପଂଚାୟତରେ ରଖାଯିବାର କୌଣସି ପ୍ରକାର ନୀତିଗତ କିମ୍ବା ଆଇନଗତ ଯୁକ୍ତି ନାହିଁ । ଏଥିନେଇ ସଂଗ୍ରାମୀ ଯୁବନେତା ସତୀଶ ବିଶ୍ୱାଳ ଅଭିଯୋଗ କରିଛନ୍ତି ଯେ, କେଉଁ ପ୍ରକାରର ଅନୁଧ୍ୟାନ ଆଧାରରେ ଏହି ଗ୍ରାମକୁ ଅନ୍ୟ ପଞ୍ଚାୟତରେ ସାମିଲ କରାଗଲା ତାହାର ସ୍ପଷ୍ଟିକରଣ ପ୍ରଶାସନ ଦେବା ଉଚିତ । କାରଣ ଏଭଳି ମନୋମୁଖୀ ନିଷ୍ପତ୍ତି ସ୍ଥାନୀୟ ଗ୍ରାମବାସୀଙ୍କ ପାଇଁ ବହୁ କ୍ଷତି କରିସାରିଛି । ତୁରନ୍ତ ନିର୍ବାଚନ କମିଶନ ଏବଂ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ।

Related Posts

About The Author

Add Comment