କେନ୍ଦ୍ରାପଡା, ୨୦/୧୨(ସନ୍ଧାନ ନିୟୁଜ) : ନିଜ ସ୍କୁଲ ହେଉ କି ଗାଁର ସାସ୍କୃତିକ କାର୍ୟ୍ୟ କ୍ରମ ଅବା ହେଉକି ଜିଲାର ରଙ୍ଗେଲି ରଙ୍ଗମଞ୍ଚ ସବୁଠି ଶୁଭୁଥିଲା କୁନି ନୃତ୍ୟଶିଳ୍ପି ପାର୍ବତୀଙ୍କ ଘୁଙ୍ଗୁରର ଝଙ୍କାର । ମନଲୋଭା ନୃତ୍ୟର ଛନ୍ଦରେ ଅଗଣିତ ମନକୁ ଛନ୍ଦି ଦେଉଥିଲେ ସେ । ଚପଳ ବୟସରୁ କେନ୍ଦ୍ରାପଡା ଜିଲା ଜଣେ ଉଚ୍ଚ କୋଟିର ନୃତ୍ୟଶିଳ୍ପିଙ୍କର ଭବିଷ୍ୟତ ଆଶା କରୁଥିଲା ପାର୍ବତୀଙ୍କ ଏହି ନୃତ୍ୟ ନିପୁଣତାରେ । ହେଲେ ବିଡମ୍ବନା ଏହିକି ମାତ୍ର ୧୧ ବର୍ଷ ବୟସରେ ପାର୍ବତୀ ଆଖି ବୁଝିଦେଇଛନ୍ତି ସାପ କାମୁଡାରେ ।
ପାର୍ବତୀ ସାହୁ । ବୟସ ୧୧ । କେନ୍ଦ୍ରାପଡା ସହର ତଳି ଗାଁ ସୁଜାନଗରର ସୁଦର୍ଶନ ସାହୁ ମା ପ୍ରଭାତୀ ସାହୁଙ୍କର ଗେହ୍ଲା ସାନ ଝିଅ ପାର୍ବତୀ । ସ୍ଥାନୀୟ ଗୁଲନଗର ପ୍ରାଥମିକ ସ୍କୁଲର ୬ଷ୍ଠ ଶ୍ରେଣୀରେ ପାଠପଢୁଥିଲେ ସେ । ରୁପରେ ଯେମିତି ଗୁଣରେ ସେମିତି । ଶ୍ରେଣୀରେ ପ୍ରଥମ ହେଉଥିଲେ ସେ । ନୃତ୍ୟରେ ନିପୁଣା ପାର୍ବତୀଙ୍କ ନୃତ୍ୟର ଝଙ୍କାରରେ ଝଙ୍କୃତ ହେଉଥିଲା ଗାଁ ଠାରୁ ସହର । ଗତକାଲି ଥିଲା ପାର୍ବତୀଙ୍କ ପାଇଁ କାଳଦିନ । ଆଜି ଗୁରୁବାର ଲକ୍ଷ୍ମୀ ପୁଜା ପାଇଁ କାଲି ଘରେ ଲାଗିଥିଲା ଗହଳି ଚହଳି । ପାର୍ବତୀ ତାଙ୍କ ସାଙ୍ଗଙ୍କ ସହିତ ବାହରେ ଖେଳୁଥିଲେ । ହଠାତ କେମିତି କେଜାଣି ତାଙ୍କ ଅଜଣାତରେ ତାଙ୍କୁ ସାପ କାମୁଡି ଦେଇଥିଲା । ସାପକୁ ପାର୍ବତୀ ଦେଖି ନଥିଲେ । ସାଙ୍ଗ କହିଲାକି ତୋତେ ସାପଟା କାମୁଡି ଦେଲା । ମାନସିକ ଭାରସାମ୍ୟ ହରାଇ ପାର୍ବତୀ ମା ପ୍ରଭାତୀଙ୍କୁ କହିଲା । ସଙ୍ଗେସଙ୍ଗେ ବିଷର ଜ୍ବାଳାରେ ମା କୋଳରେ ଲୋଟି ପଡିଥିଲେ ପାର୍ବାତୀ । କାନ୍ଦ ବୋବାଳି ପଡି ଯାଇଥିଲା ଘରେ । ଲକ୍ଷ୍ମୀପୁଜା ଆୟୋଜନ ବନ୍ଦ ହୋଇଯାଇଥିଲା । ସଙ୍ଗେସଙ୍ଗେ ପାର୍ବତୀଙ୍କୁ କେନ୍ଦ୍ରପଡା ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇଣିଥିଲେ ବାପା ମା ।
କେନ୍ଦ୍ରାପଡା ଜିଲା ମୁଖ୍ୟ ଡାକ୍ତରଖାନାରେ ଆରମ୍ଭ ହୋଇଥିଲା ଚିକିତ୍ସା । ପ୍ରଥମ ରକ୍ତ ପରୀକ୍ଷାରେ ଜଣା ପଡିନଥିଲା ପାର୍ବତୀଙ୍କ ଦେହରେ ବିଷ ରହିଛି ବୋଲି । ଦ୍ବିତୀୟବାର ମଧ୍ୟ ରକ୍ତ ପରୀକ୍ଷା କରାଯାଇଥିଲା । ପୁଣି ଡାକ୍ତର କହିଥିଲେ ବିଷ ଜଣା ପଡୁନି ବୋଲି । ପାର୍ବତୀଙ୍କୁ ଘରକୁ ନେଇଯିବାକୁ କୁଆଡେ ଡାକ୍ତର ପରାମର୍ଶ ଦେଇଥିଲେ । ଡାକ୍ତରଙ୍କ ପରାମର୍ଶରେ ବାପା ମା ପାର୍ବତୀଙ୍କୁ ଘରକୁ ନେଇ ଆସିଥିଲେ । କିଛି ଘଣ୍ଟା ପରେ ପାର୍ବତୀଙ୍କ ଦେହରେ ସାପର ବିଷକ୍ରିୟା ବୃଦ୍ଧି ପାଇଥିଲା । ଆସ୍ତେ ଆସ୍ତେ ସଜ୍ଞାହୀନ ହୋଇପଡିଲେ ପାର୍ବତୀ । ଘରେ କାନ୍ଦ ବୋବାଳି ପଡିଗଲା । ପୁନଃରାୟ କେନ୍ଦ୍ରାପଡା ଜିଲା ମୁଖ୍ୟ ଡାକ୍ତରଖାନାକୁ ନେବା ବାଟରେ ପାର୍ବତୀ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ସେତେବେଳକୁ ପ୍ରଥମେ ପାର୍ବତୀଙ୍କୁ ଚିକିତ୍ସା କରିଥିବା ଡାକ୍ତର ଚାଲି ଯାଇଥିଲେ । ପରେ ଯେଉଁ ଡାକ୍ତର ଥିଲେ ପାର୍ବତୀଙ୍କୁ ମୃତ ଘୋଷଣା କରିଥିଲେ । ରକ୍ତ ପରୀକ୍ଷାରେ ତୃଟି କି ଡାକ୍ତର ରୋଗ ନିରୁପଣରେ ତୃଟି ରହିଲା ଯାହା ପାର୍ବତୀଙ୍କ ଜୀବନ ଦୀପ ଲିଭାଇଦେଲା । ସାପକାମୁଡା ରୋଗିଙ୍କର ରକ୍ତ ପରୀକ୍ଷା କରାଯିବା ସହିତ ତାଙ୍କୁ ଅତି କମରେ ୬ଘଣ୍ଟା ଡାକ୍ତରଖାନାରେ ରଖାଯାଇ ବିଷକ୍ରିୟା ସମ୍ପର୍କରେ ଅନୁଧ୍ୟାନ କରିବା କଥା । ହେଲେ ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତର ସଙ୍ଗେସଙ୍ଗେ ଘରକୁ ପଠାଇ ଦେବା ଠିକ ନୁହେଁ ବୋଲି ଅନେକ ଡାକ୍ତର ମତ ଦେଇଛନ୍ତି । ଫଳରେ ବିଷ କ୍ରିୟା ଅଧିକ ହେବାରୁ ପାର୍ବତୀଙ୍କର ମୃତ୍ୟୁ ହୋଇଗଲା ବୋଲି କୁହାଯାଉଛି । ଚିକିତ୍ସା ଅବହେଳାରୁ ପାର୍ବତୀଙ୍କର ମୃତ୍ୟ ହୋଇଛି ବୋଲି ଗୁଲନଗର ପଞ୍ଚାୟତର ସରପଞ୍ଚ ପିତୋବାସ ବେହେରା , ପୁର୍ବତନ ସରପଞ୍ଚ କରୁଣାକର ସାହୁ ପ୍ରମୁଖ ବହୁ ଗ୍ରାମବାସୀ ମାନେ ପାର୍ବତୀଙ୍କର ଚିକିତ୍ସା ଅବହେଳାରୁ ମୃତ୍ୟ ଘଟିଲା ବୋଲି କହିଛନ୍ତି । କେନ୍ଦ୍ରାପଡା ଜିଲା ଉପମୁଖ୍ୟ ଚିକିତ୍ସା ଅଧିକାରରୀଙ୍କୁ ଭେଟି ଏହି ସ୍ପର୍ଷ କାତର ଘଟଣାରେ ତଦନ୍ତ ଦାବି କରିଛନ୍ତି ଏହି ଲୋକପ୍ରତିନିଧୀ ମାନେ ।
ଆଜି ଜିଲା ମୁଖ୍ୟ ଚିକିତ୍ସାଳୟରେ ପାର୍ବତୀଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି । ପାର୍ବତୀଙ୍କର ଅବର୍ତ୍ତମାନରେ ସାରା ଗୁଲନଗର ପଞ୍ଚାୟତ କଣ କେନ୍ଦ୍ରାପଡା ସହରବି ଝାଉଁଳି ପଡିଛି । ପାର୍ବତୀଙ୍କ ସହପାଠିଙ୍କ ମନରେ ପାର୍ବାତୀଙ୍କ ପାଦର ନୁପୁରର ପ୍ରତିଧ୍ବନୀ ଝଙ୍କୃତ ହେଉଛି । ପାର୍ବତୀଙ୍କୁ ଝୁରୁଛି କେନ୍ଦ୍ରାପଡାର ନୃତ୍ୟକଳା ।
ନିରବି ଗଲା ପାର୍ବତୀଙ୍କ ପାଦର ଘୁଙ୍ଗୁର : ଚିକିତ୍ସା ଅବହେଳାରୁ କୁନି ନୃତ୍ୟାଙ୍ଗନାଙ୍କ ଜୀବନ ଦୀପ ଲିଭିଗଲା
|
December 20, 2018 |


