ଭୁବନେଶ୍ବର/ସନ୍ଧାନ ନ୍ୟୁଜ: ରାଜଧାନୀ ଭୁବନେଶ୍ବରରେ ବିଜେପିର ହେବିଓ୍ବେଟ ନେତାଙ୍କ ସାମ୍ବାଦିକ ସମ୍ମିଳନୀ । ଟାର୍ଗେଟରେ ମୁଖ୍ୟମନ୍ତ୍ରୀ, ସାନବାବୁ ଭିକେ ପାଣ୍ଡିଆନ ଏବଂ ଓଡ଼ିଶା ସରକାର । ନବୀନ ପଟ୍ଟନାୟକ ହାଇଜାକ ହୋଇ ଯାଇଥିବା ଓ ତାଙ୍କୁ ଦେଖା କରିବାକୁ ହେଲେ ସାନବାବୁଙ୍କ ଅନୁମତି ଦରକାର ପଡୁଛି ବୋଲି ଅଭିଯୋଗ କରିଛନ୍ତି ଭୁବନେଶ୍ବର ସାଂସଦ ତଥା ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ସେପଟେ ୨୫ ବର୍ଷର ବିଜେଡି ଶାସନକୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କହିଛନ୍ତି, ନବୀନଙ୍କ ୨୫ ବର୍ଷ ଶାସନ କାଳରେ ଓଡ଼ିଶା ଆଜି ପଛରେ ପଡ଼ିଛି । ଏହି ସମୟରେ ଗୋଟିଏ ଯୁଗ ଓ ପିଢ଼ିରେ ପରିବର୍ତ୍ତନ ହେବା ସମ୍ଭବ । ହେଲେ ଓଡ଼ିଶା ଯେଉଁ ଉପଲବ୍ଧି ପାଇବା କଥା ପାଇନି । ଆଜି ବି ଲୋକେ ପିଇବା ପାଣି ନପାଇ ଦୂଷିତ ଜଳ ପିଇବା ଦ୍ବାରା ହଇଜାରେ ଆକ୍ରାନ୍ତ ହେଉଛନ୍ତି । ଓଡ଼ିଶାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ଏକ ତୃତୀୟାଂଶ ଲୋକେ ଏଠାରୁ ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି । ବିଶେଷ କରି ନବୀନଙ୍କ ପାରମ୍ପରିକ ଆସନ ହିଞ୍ଜିଳିରୁ ଅଧିକ ଲୋକ ଗୁଜରାଟ କାମ କରିବାକୁ ଯାଇଛନ୍ତି ।ଆଗକୁ ସେ କହିଛନ୍ତି, ଓଡ଼ିଶାରେ ଶିଶୁ ମୃତ୍ୟୁହାର ୩୬ ପ୍ରତିଶତ ରହିଛି । ଓଡ଼ିଶାରେ ଶିଶୁ ମୃତ୍ୟୁହାରରେ ଦେଶରେ ତୃତୀୟ ସ୍ଥାନରେ ରହିଛି । ଯେଉଁମାନେ ଗୁଜରାଟ ସହ ଓଡ଼ିଶାକୁ ତୁଳନା କରୁଛନ୍ତି ସେମାନେ ଜାଣିବା ଦରକାର ଗୁଜରାଟରେ ଶିଶୁ ମୃତ୍ୟୁହାର ୨୩ ପ୍ରତିଶତ ରହିଛି । ଜାତୀୟ ସ୍ତରର ମୁଣ୍ଡ ପିଛା ଆୟରେ ବି ପଛରେ ପଡ଼ିଛି ଓଡ଼ିଶା । ରାଜ୍ୟରେ ୫୦ ପ୍ରତିଶତ ପିଲା ମାଟ୍ରିକ ପରୀକ୍ଷା ଦେବାକୁ ଯାଉନାହାନ୍ତି । ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟରେ ଅଭୁତପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି । ଓଡ଼ିଶାକୁ ୧ ନମ୍ବର ରାଜ୍ୟ କରିବା ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି । ଏଇଥର ବିଜେପିକୁ ସୁଯୋଗ ଦିଅନ୍ତୁ, ଓଡ଼ିଶା ଏକ ନମ୍ବର ହେବ ।
ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ: ୨୫ ବର୍ଷ ଶାସନରେ ରହିଲ, ଓଡ଼ିଶା ପଛରେ କାହିଁକି ?
|
May 13, 2024 |