ଭଦ୍ରକ, ୨୮/୧୧ (ସନ୍ଧାନ ନିଉଜ) : ଆସନ୍ତା ଜାନୁଆରୀ ମାସ ୧ଓ ୨ ତାରିଖ ଧାମନଗର ପୀର୍ ବାବା ଖାନ୍କା ଠାରେ ପାଳିତ ହେବାକୁ ଥିବା ଉର୍ସ ଉତ୍ସବ ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି । ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଧାମନଗର ପୀର ବାବା ହଜୁର ମୁଜାହିଦ୍ ଇ ମିଲତ୍ଙ୍କ ୪୦ତମ ଉର୍ସ ପର୍ବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା
। ବିଶେଷ ଭାବେ ଏହି ଉତ୍ସବ ସମୟରେ ପଲିଥିନ ବ୍ୟବହାରକୁ ନିଷିଦ୍ଧ କରାଯିବାକୁ କମିଟିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଥିବା ବେଳେ ଏଥି ନିମନ୍ତେ ଜନ ସଚେତନତା ପାଇଁ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ସ୍ଥାନରେ ବ୍ୟାନର ଟାଙ୍ଗିବା ପାଇଁ ନିର୍ବାହୀ ଅଧିକାରୀଙ୍କୁ କୁହାଯାଇଥିଲା । ଉତ୍ସବ ପୂର୍ବରୁ ରାସ୍ତାଘାଟ ମରାମତି, ଷ୍ଟ୍ରିଟ ଲାଇଟ୍ର ମରାମତି, ପର୍ଯ୍ୟପ୍ତ ପରିମାଣରେ ପାନୀୟଜଳର ବନ୍ଦୋବସ୍ତ, ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯିବାକୁ କୁହାଯାଇଥିଲା । ପୀର୍ ବାବାଙ୍କ ଏହି ଉତ୍ସବ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହେବାକୁ ଥିବାରୁ ଭଦ୍ରକ ରେଳ ଷ୍ଟେସନରେ ଅଟକୁ ଥିବା ସମସ୍ତ ଟ୍ରେନର ରହଣି ସମୟ ବୃଦ୍ଧି କରିବା ସାଙ୍ଗକୁ ଭଦ୍ରକ ରେଳ ଷ୍ଟେସନ ଠାରୁ ଧାମନଗର ପର୍ଯ୍ୟନ୍ତ ପ୍ରତି ୫ ମିନିଟ ଅନ୍ତରରେ ବସ୍ ଚଳାଚଳ କରାଯିବାକୁ କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା । ତେବେ ବସ୍ର ସମୟ ନିର୍ଘଣ୍ଟ, କେତେ ସଂଖ୍ୟକ ବସ୍ ଚଳାଚଳ କରିବ ଏବଂ ଏହି ବସ୍ରେ କେତେ ଦେୟ ଦେବାକୁ ପଡ଼ିବ ସେ ସଂକ୍ରାନ୍ତରେ ଆଞ୍ଚଳିକ ପରିବହନ ଅଧିକାରୀ ବିରଞ୍ଚି ନାରାୟଣ ଅଧିକାରୀ, ଭଦ୍ରକ ବସ୍ ସିଣ୍ଡିକେଟ ଏବଂ କମିଟିର କର୍ମକର୍ତ୍ତା ଆଲୋଚନା କରି ଧାର୍ଯ୍ୟ କରିବାକୁ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ । ଉତ୍ସବ ସ୍ଥଳରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯିବା ସହିତ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ବ୍ୟାପକ ପୁଲିସ ବନ୍ଦୋବସ୍ତ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ମାଇକ ଧୀର ଶବ୍ଦରେ ବଜାଇବାକୁ କମିଟିକୁ ଜିଲ୍ଲାପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଏହି ବୈଠକରେ ଉର୍ସ ମୁଜାହିଦ୍ -ଇ – ମିଲତ୍ କମିଟିର ସଭାପତି ହଜରତ୍ ମୌଲାନା ସୟଦ ଗୁଲାମ ମହମ୍ମଦ ହବିବି ସାଜଦା ନସିମ, ଉପସଭାପତି ଆଲ୍ଜାହ ସୟଦ ଗୁଲାମ ଅହେମ୍ମଦ ହବିବି, ସମ୍ପାଦକ ମହମ୍ମଦ ଇସ୍ରାଇଲ ହବିବି ପ୍ରମୁଖଙ୍କ ସହିତ ଉପଜିଲ୍ଳାପାଳ ପୀତାମ୍ବର ସାମଲ, ଅତିରିକ୍ତ ଏସ୍ପି କୈଳାସ ଚନ୍ଦ୍ର ପରିଡା, ଡେପୁଟି କଲେକ୍ଟର ଜୟଶ୍ରୀ ସେନାପତି, ଏମ୍ପିଙ୍କ ପ୍ରତିନିଧି ନାରାୟଣ ସାହୁ, ଧାମନଗର ବିଧାୟକଙ୍କ ପ୍ରତିନିଧି ମନୋଜ ମଲ୍ଲିକ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।
ଧାମନଗରରେ ଉର୍ସ ଉତ୍ସବ ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ
|
November 28, 2019 |



