ଯାଜପୁର ,୧୧/୦୫ ଯାଜପୁର ଜିଲ୍ଲାର ଧର୍ମଶାଳା ବିଧାନସଭା କ୍ଷେତ୍ରରୁ ସଂଗ୍ରାମୀ ଯୁବନେତା ସତୀଶ ବିଶ୍ୱାଳ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରସଙ୍ଗ ଭିତିକ ରାଜନୀତି ଓ ସାଲିସ ବିହୀନ ସଂଗ୍ରାମ ପାଇଁ ରାଜ୍ୟରେ ଚର୍ଚ୍ଚାରେ ଥିବା ସତୀଶ ବିଶ୍ୱାଳ ପ୍ରାର୍ଥୀପତ୍ର ଦାଖଲ ପରେ ଗଣମାଧ୍ୟକୁ କହିଛନ୍ତି ଧର୍ମଶାଳାର ଭୋଟରଙ୍କ ମୁଡ ବଦଳି ଯାଇଛି । ବଂଶବାଦ ଭ୍ରଷ୍ଟାଚାର ବିରୋଧରେ ଧର୍ମଶାଳା ଲୋକେ ଏଥର ଠିକାଦାରୀ ନୁହେଁ କେବଳ ରାଜନୀତି କରିବାକୁ ରାଜନୀତିକୁ ଆସିଥିବା ଭଲଲୋକକୁ ଭୋଟ ଦେବେ ବୋଲି ସ୍ଥିର କରିଛନ୍ତି । ତିନୋଟି ପ୍ରସଙ୍ଗରେ ଭୋଟରଙ୍କ ବିଚାର ମାଗୁଛୁ । ପ୍ରାର୍ଥୀପତ୍ର ଦାଖଲ ପରେ ସତୀଶଙ୍କ ଏହି ପ୍ରସଙ୍ଗ ସାଧାରଣରେ ବେଶ ଆଲୋଡନ ସୃଷ୍ଟି କରିଛି ।
ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଡମଧୁପୁରର ଶ୍ରୀ ଜଗନ୍ନାଥ ମହାପ୍ରଭୂ , ନିଜ ଗ୍ରାମ ଭୁବନପୁରର ମା କାଳିଆଶୁଣୀ ଏବଂ ମହାପ୍ରଭୂ ରାଧାକୃଷ୍ଣଙ୍କ ଦର୍ଶନ ପରେ ସତୀଶ ନିଜର ଶହ ଶହ ସଂଖ୍ୟକ ସମର୍ଥକଙ୍କ ସହ ଏକ ବଡ ଧରଣର ମୋଟର ସାଇକେଲ ଶୋଭାଯାତ୍ରାରେ ଗଡମଧୁପର, ନାକପୋଲ, ଯାରକା, ବାରବାଟୀ, କୁଆଖିଆ ବଜାର ଦେଇ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ । ଯାଜପୁରରେ ଗଣମାଧ୍ୟମକୁ ସତୀଶ କହିଥିଲେ ଯେ, ପ୍ରଥମତଃ ଧର୍ମଶାଳାରେ ୧୯୯୫ ମସିହାରୁ ଅଦ୍ୟାବଧି ବଂଶବାଦର ଭ୍ରଷ୍ଟାଚାର ଶାସନ ଚଲାଇଥିବା କ୍ଷମତାସୀନ ନେତାଙ୍କ କାର୍ଯ୍ୟଧାରା ଯଦି କାହାକୁ ଭଲ ଲାଗୁଛି ତେବେ ସେମାନେ ତାଙ୍କୁ ଭୋଟ ଦିଅନ୍ତୁ । ନଚେତ ଯେଉଁ ନେତୃତ୍ୱ ଏହି ବଂଶବାଦ ଭ୍ରଷ୍ଟାଚାର ଶାସନକୁ ଦୀର୍ଘବର୍ଷ ହେଲା ଲଢିଛି ସେହି ନେତାଙ୍କୁ ଭୋଟ ଦିଅନ୍ତୁ । ସାରା ଧର୍ମଶାଳା କାହିଁକି ରାଜ୍ୟବାସୀ ଜାଣିଛନ୍ତି ସତୀଶ ବିଶ୍ୱାଳ ଧର୍ମଶାଳାର ଏକମାତ୍ର ନେତା ଲାଙ୍ଗୁଡି ଠାରୁ ଡଙ୍କାରୀ ପାହାଡ ପର୍ଯ୍ୟନ୍ତ, ଘଙ୍ଗପାଟଣା , ଇଛାଧୀନ କୋଟା ଦୁର୍ନିତି, ରାଜ୍ୟସଭା ନିର୍ବାଚନରେ କ୍ରସଭୋଟ, ଚିଟଫଣ୍ଡରେ ସିବିଆଇ ଜେରା ଏବଂ ଡି ବ୍ରଦର୍ସ ଲିଙ୍କରେ ଇଡି ଜେରା ପର୍ଯ୍ୟନ୍ତ ସମସ୍ତ ଭ୍ରଷ୍ଟାଚାର ପ୍ରସଙ୍ଗରେ କେବଳ ମୁଁ ଲଢିଛି । ଏବେ କ୍ଷମତାସୀନ ନେତାଙ୍କ ପ୍ରତିଦ୍ୱନ୍ଦୀ ହୋଇଥିବା ସମସ୍ତ ନେତା ଚୁପ କିମ୍ବା ସାଲିସରେ ଥିବା ସହ କ୍ଷମତାସୀନ ନେତାଙ୍କ ସହ ଥିବା ବେଳେ କେବଳ ମୁଁ ହିଁ ନିରନ୍ତର ଲଢେଇ ଜାରି ରଖିଛି ।
ଦ୍ୱତୀୟ ପ୍ରସଙ୍ଗ ହେଉଛି ଏବେ ଭୋଟ ସମୟ ବୋଲି କିଏ କେମିତି କିଛି ଟଙ୍କା କିମ୍ବା ପ୍ରଲୋଭନ ଦେଖାଇ ପାରେ । ହେଲେ ବାସ୍ତବ ସେବା କରି ରାଜନୀତିକୁ ଆସିଥିବା ନେତା ଟଙ୍କା କିମ୍ବା ହିରୋଇନଙ୍କ ବଳରେ ରାଜନୀତି କରିବା ଚିନ୍ତା କରିପାରିବ ନାହିଁ । ଏହାଦ୍ୱାରା ବେକାରଙ୍କୁ ଚାକିରୀ , ଚାଷୀଙ୍କ ଜମିକୁ ଜଳ, ଗରୀବଙ୍କ ଦଃୁଖ ଦୂର ହେବନାହିଁ । ରାଜନୀତି କଦାପି ଗୋଟିଏ ବେପାର ନୁହେଁ ଯେ ଜନମତକୁ କିଣାଯିବ ଏବଂ ଏହା ବଳରେ ବେପାର କରାଯିବ । ମୁଁ ଜାତିର ପିତା ମହାତ୍ମା ଗାନ୍ଧୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରି ନେତାଙ୍କ ଜୀବନକୁ ଅନୁକରଣ କରି ରାଜନୀତିକୁ ଆସିଛି । ଯିଏ କ୍ଷମତାରେ ନରହି ମଧ୍ୟ ଆପଣଙ୍କ ସମସ୍ୟାକୁ ଠିକରେ ଉଠାଇ ପାରିବ ଏବଂ ଏହାର ସମାଧାନ କରିପାରିବ ସେଭଳି ନେତାଙ୍କୁ ଭୋଟ ଦିଅନ୍ତୁ । କାରଣ ଭୋଟ ତ ମାତ୍ର କିଛିଦିନ ପରେ ସରିଯିବ । ହେଲେ ଆପଣଙ୍କ ସମସ୍ୟା ପାଂଚବର୍ଷ ପର୍ଯ୍ୟନ୍ତ ବୁଝିବାର ଦକ୍ଷତା ଏବଂ କ୍ଷମତା ଥିବା ନେତାଙ୍କୁ ବାଛନ୍ତୁ ।
ତୃତୀୟରେ ଧର୍ମଶାଳାର ବାପାର ପୁଅ, ଧର୍ମଶାଳା ମାଟିର ପୁଅ ହୋଇ ଯିଏ ଧର୍ମଶାଳାର ସ୍ୱାଭିମାନ ପାଇଁ ଜୀବନବ୍ୟାପୀ ଲଢେଇ କରୁଥିବ ସେଭଳି ନେତାଙ୍କୁ ଭୋଟ ଦିଅନ୍ତୁ । ଗଣତନ୍ତ୍ରରେ ଭୋଟର ମୂଲ୍ୟ କେହି ଦେଇ ପାରିବ ନାହିଁ । ଏହାକୁ କିଣୁଥିବା ନେତା ଭୋଟରଙ୍କୁ ଦିନରେ ବୋକା ବନାଉଛନ୍ତି । ଧର୍ମଶାଳା ଭୋଟର ଏଥର ବୋକା ହେବେ ନାହିଁ ବରଂ ଟଙ୍କା ଓ ଟିକେଟ ବଳରେ ରାଜନୀତି କରୁଥିବା ନେତାଙ୍କୁ ବୋକା ବନାଇ ଧର୍ମଶାଳା ସ୍ୱାଭିମାନର ବିଜୟ କରିବେ ବୋଲି ସତୀଶ କହିଛନ୍ତି ।
ଧର୍ମଶାଳା ଭୋଟରଙ୍କ ମୁଡ ବଦଳି ଯାଇଛି; ସ୍ୱାଧୀନ ପ୍ରାର୍ଥୀ ସତୀଶ ବିଶ୍ୱାଳ ସତୀଶ ବିଶ୍ୱାଳ ପ୍ରାର୍ଥୀପତ୍ର ଦାଖଲ
|
May 12, 2024 |
