ଧର୍ମଶାଳା ବି.ଜେ.ଡି ରାଜନୀତି : ଅସନ୍ତୋଷକୁ ସାମନା କଲେ ବିପକ୍ଷ ସତୀଶଙ୍କ ପଦଯାତ୍ରାର ୬ ଦିନ ପରେ ବିଧାୟକଙ୍କ ପଦଯାତ୍ରା

Spread the love

ଯାଜପୁର, ସନ୍ଧାନ ନ୍ୟୁଜ, ୮/୧୦: ଯାଜପୁର ଜିଲ୍ଲାର ଧର୍ମଶାଳାରେ ବି.ଜେ.ଡି ରାଜନୀତିରେ ଜନ ଅସେନ୍ତୋଷ କୁହୁଳୁଛି । ବିଜୁ ଓ ନବୀନ ଅନୁଗତ ଭାବେ ପରିଚିତ ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଦୀର୍ଘବର୍ଷ ଧରି ଧର୍ମଶାଳା ବିଧାୟକଙ୍କ ବିରୋଧରେ ସଂଗଠନ କରୁଛନ୍ତି । ଗାନ୍ଧୀ ଜୟନ୍ତିରେ ପଦଯାତ୍ରା ଥିବାବେଳେ ଧର୍ମଶାଳା ବିଧାୟକଙ୍କ ବିରୋଧରେ ଥିବା ଅସନ୍ତୋଷକୁ ସାମନା କରିଥିଲେ ସତୀଶ ବିଶ୍ୱାଳ । ଅପର ପକ୍ଷରେ ରସୁଲପୁର ବ୍ଲକରେ ସତୀଶଙ୍କ ପଦଯାତ୍ରାର ୬ ଦିନ ପରେ ଧର୍ମଶାଳା ବିଧାୟକ ପଦଯାତ୍ରା ଆରମ୍ବ କରିବା ପ୍ରସଙ୍ଗ ରାଜନୈତିକ ମହଲରେ ଜୋରଦାର ଆଲୋଚନା ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଠିକ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତି ଦିନ ହିଁ ଧର୍ମଶାଳା ବିଧାୟକଙ୍କ ପ୍ରତିଦ୍ୱନ୍ଦୀ ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଧର୍ମଶାଳା ଏବଂ ରସୁୂଲପୁର ବ୍ଲକର ୬ ଟି ସ୍ଥାନରେ ଗୋଟିଏ ଦିନରେ ପଦଯାତ୍ରା ଆରମ୍ବ କରିଥିଲେ । ଜାତିର ପିତା ମହାତ୍ମା ଗନ୍ଧୀଙ୍କ ବିଭିନ୍ନ ସ୍ଥାନରେ ଜୟନ୍ତି ପାଳନ ପରେ ସତୀଶ କରିଥିବା ପଦଯାତ୍ରାରେ ବିଭିନ୍ନ ସ୍ଥାନରେ ଧର୍ମଶାଳା ବିଧାୟକଙ୍କ ବିଭିନ୍ନ ଜନବିରୋଧୀ କାର୍ଯ୍ୟ ନେଇ ସତୀଶଙ୍କ ସମ୍ମୁଖରେ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ । ବିଧାୟକଙ୍କ ପରିବାରବାଦ ଶାସନର ୨୮ ବର୍ଷରେ ୨୮ ମିନିଟ କୌଣସି ଗାଁରେ ବସି ଲୋକଙ୍କ ସମସ୍ୟା ନଶୁଣିବା, ଚାଷୀ , ମୁଲିଆ, ମହିଳା, ଯୁବକଙ୍କ ରୋଜଗାର ବଢିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା, ଅତୀତରେ ଧର୍ମଶାଳାର ୩୩ ନଂବର ଜୋନ ଜିଲ୍ଲା ପରିଷଦ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ପରିବାର ସିଧାସଳଖ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀକୁ ହରାଇବା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିବା, ରାଜ୍ୟସଭା ନିର୍ବାଚନରେ କ୍ରସଭୋଟ କରି ଦଳରୁ ସସପେଣ୍ଡ ହେବା, ଇଛାଧୀନ କୋଟା ଦୁର୍ନିତିରେ ଧରାପଡି ବିଧାୟକ ନିଜର ଘର ଫେରାଇବା, ଘଙ୍ଗପାଟଣାରେ ବେଆଇନ ଭାବେ ଜଙ୍ଗଲ ଜମି ନେଇ ପୁଣି ଏହି ଜମି ଫେରାଇବା, ଧର୍ମଶାଳାରେ ନିଜର ଇଟା ଫାକ୍ଟେରୀକୁ ସରକାରୀ ଟଙ୍କାରେ ରାସ୍ତା ନିର୍ମାଣ ଭଳି ‘ଛୋଟ କାମ’ କରି ଧରାପଡିବା ପରେ ସଂପୃକ୍ତ ପ୍ରଶାସନିକ ଅଧିକାରୀ ଏହି ଟଙ୍କା ଫେରାଇବା, ଭୁବନେଶ୍ୱର ଘଙ୍ଗପାଟଣା ନିଜର ଜମିକୁ ରାସ୍ତା ଏବଂ ଧର୍ମଶାଳାର ମଧୁପୁରଗଡରେ ନିଜର ଜମିର ପାଚେରୀ ସରକାରୀ ଅର୍ଥ ନିର୍ମାଣ ନେଇ ସରକାର ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା, ଧର୍ମଶାଳାର ପାହାଡ ପର୍ବତ ଲୁଟ, ଉନ୍ନୟନ କାର୍ଯ୍ୟରେ ଦୁର୍ନିତି, ଚିଟଫଣ୍ଡ ଦୁର୍ନିତିରେ ସଂପୃକ୍ତ ଥାଇ ସି,ବି.ଆଇ ଜେରାର ସମ୍ମୁଖୀନ ହେବା, ଡି ବ୍ରଦର୍ସ ଲିଙ୍କରେ ଥାଇ ଇ.ଡି ଜେରାର ସମ୍ମୁଖୀନ ହେବା, ଖଣି ଦୁର୍ନିତିରେ ସଂପୃକ୍ତି ଥିବାରୁ ବିଧାୟକଙ୍କ ଟ୍ରାନ୍ସପୋର୍ଟ ନେଇ ଭିଜିଲାନ୍ସ ତଦନ୍ତର ସମ୍ମୁଖୀନ ହେବା, କୋଣାର୍କ ଟିଭି ଡୁବାଇବା ପରେ ବି ନବୀନବାବୁ ଏହି ପରିବାରକୁ ଟିକେଟ ଦେବା ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ । ଲୋକଙ୍କ ଅସନ୍ତୋଷ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଉଥିବା ଆମ ମୁଖ୍ୟମନ୍ତ୍ରୀ ନିଶ୍ଚିନ୍ତ ଭାବେ ଠିକଣା ପଦକ୍ଷେପ ଗ୍ରହଣ କରିବେ ଏବଂ ସେମାନଙ୍କ ସମସ୍ୟାକୁ ଆଗାମୀ ଦିନରେ ଗୁରୁତ୍ୱ ଦେବେ ବୋଲି ସତୀଶ ସେମାନଙ୍କୁ ବୁଝାଇବାରେ ସଫଳ ହୋଇଥିଲେ । ଅପର ପକ୍ଷରେ ଧର୍ମଶାଳା ବିଧାୟକ ଆଜି ରବିବାର ରସୁଲପୁର ବ୍ଲକରେ ନିଜର ପଦଯାତ୍ରା ଆରମ୍ବ କରିଛନ୍ତି । ଗାନ୍ଧୀ ଜୟନ୍ତିରେ ବିଧାୟକଙ୍କ ପଦଯାତ୍ରା ନେହବା ନେଇ ସାଧାରଣରେ ବିଭିନ୍ନ କଥା ଶୁଣିବାକୁ ମିଳିଥିଲା । ବିଧାୟକଙ୍କ ପଦଯାତ୍ରାରେ ସ୍ଥାନୀୟ ଅଂଚଳର ଲୋକଙ୍କୁ ବହୁ ସଂଖ୍ୟାରେ ସାମିଲ କରାଯିବା ପରିବର୍ତ୍ତେ ସମଗ୍ର ନିର୍ବାଚନ ମଣ୍ଡଳୀରୁ ଗାଡିରେ ଲୋକଙ୍କୁ ବୁହା ହୋଇ ଅଣାଯାଇ ଥିଲା । ଏପରିକି ମୁଣ୍ଡ ପିଛା ୫୦୦ ଟଙ୍କା ଲେଖା ମଧ୍ୟ ଦିଆଯାଇ ଥିବାର ବିଶ୍ୱସ୍ଥ ସୁତ୍ରରୁ ମିଳିଥିବା ଖବରରୁ ଜଣାପଡିଛି । ଦୀର୍ଘ ୨୮ ବର୍ଷ କାଳ ଶାସନରେ ଥିବା ଗୋଟିଏ ପରିବାର ସହିତ ଲୋକେ ମୁହଁ ଏଡେଇ ଦେଇଥିବାର ଏହା ସଂକେତ ହୋଇଛି । ଅପର ପକ୍ଷରେ କେବଳ ଟଙ୍କା ବଳରେ ରାଜନୀତି କରାଯିବା ଯୁକ୍ତିକୁ ସତୀଶଙ୍କ ପଦଯାତ୍ରା ଏବଂ ରାଜନୀତି ମିଛରେ ପ୍ରମାଣିତ କରିଛି । ଗତ ୩ ମାସ ପୂର୍ବରୁ ସତୀଶଙ୍କ ନେତୃତ୍ୱରେ ‘ପ୍ରତି ଘରକୁ ଚାଲ ଅଭିଯାନ’ ନାମରେ ଏକ ପଦଯାତ୍ର ଧର୍ମଶାଳା ବିଧାନସଭା କ୍ଷେତ୍ରର ୫୪ ଟି ପଂଚାୟତ ଗାଁ ଗୁଡିକ ପରିକ୍ରମା କରିଥିଲା । ଏହି ପଦଯାତ୍ରା ପ୍ରତ୍ୟେକ ଘର ସମ୍ମୁଖକୁ ଯାଇଥିଲା । ଏଥିରେ ସତୀଶ ପ୍ରତି ଗାଁରେ ଏକାଧିକ ପଥପ୍ରାପ୍ତ ସଭା କରି ମୁଖ୍ୟମନ୍ତ୍ରୀଙ୍କ ଗୁଣଗାନ କରିଥିବା ବେଳେ ଧର୍ମଶାଳାରେ ଚାଲିଥିବା ବଂଶବାଦ ଭ୍ରଷ୍ଟାଚାର ଶାସନକୁ ହଟାଇବା ପାଇଁ ଆହ୍ୱାନ ଦେଇଥିଲେ । ତେବେ ସମଗ୍ର ରାଜ୍ୟରେ ସ୍ୱାଧୀନତା ପରେ ଏଭଳି ପଦଯାତ୍ରା କେବେ କେଉଁଠାରେ ହୋଇ ନଥିବ ବୋଲି ସାଧାରଣରେ ମତ ପ୍ରକାଶ ପାଇ ପଦଯାତ୍ରାକୁ ବିଭିନ୍ନ ଗାଁରେ ଉଚ୍ଛସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସତୀଶଙ୍କ ପଦଯାତ୍ରା ଏବେ ଧର୍ମଶାଳା କାହିଁକି ସମଗ୍ର ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ଥିବା ବେଳେ ବିଧାୟକଙ୍କ ଗୋଷ୍ଠୀ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ହୋଇଛି ।

Related Posts

About The Author

Add Comment