ବିଜେପି ଓ କଂଗ୍ରେସ ଅଭିଯୋଗ କରୁନାହାନ୍ତି କଣ ପାଇଁ?
ରସୁଲପୁର,୧/୪ (ସନ୍ଧାନ ନିୟୁଜ) ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରସୁଲପୁର ବ୍ଲକରୁ ୯ଗୋଟି ପଂଚାୟତ ସାମିଲ ହୋଇଛି । ଏହି ପଂଚାୟତ ଗୁଡିକ ମଧ୍ୟରୁ ନଠୁଆବର ପଂଚାୟତରେ ଆଦର୍ଶ ଆଚରଣବିଧି ଉଲଙ୍ଘନ ହୋଇଛି । ଏହି ପଂଚାୟତ କୃଷ୍ଣପଡା ଗ୍ରାମର ଗ୍ରାମଦେବତୀ କୁଆଶୁଣୀ ମନ୍ଦିର ବିଜେଡି କବ୍ଚାରେ ରହିଛି । ଏହି ମନ୍ଦିର ମୁଖଶାଳା ଗୃହ କାନ୍ଥରେ ବିଜେଡିର ନିର୍ବାଚନୀ ଚିହ୍ନ ଶଙ୍ଖ ଅଙ୍କାଯାଇଥିବା ଲକ୍ଷ୍ୟ କରାଯାଇଛି । ଏଥିସହ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାଏଙ୍କ ନାମ ମଧ୍ୟ କାନ୍ଥରେ ଅଙ୍କାଯାଇଥିବା ଚିତ୍ରରେ ଉଲ୍ଲେଖ ରହିଛି । ଏ ଦିଗରେ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି ।
ପ୍ରକାଶ ଯେ ଚଳିତ ସାଧାରଣ ନିର୍ବଚାନ ପାଇଁ ସମଗ୍ର ରାଜ୍ୟ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି । ଏହି ବିଧି ମୁତାବକ ରାଜନୈତିକ ଦଳ ଗୁଡିକ ସେମାନଙ୍କ ବ୍ୟାନର, ପୋଷ୍ଟର, ୱାଲିଂ, ଦଳୀୟ ପତାକା ଆଦି ସରକାରୀ ଜାଗାରେ ଲଗାଯାଇ ପାରିବନାହିଁ । ଏ ନେଇ ନିଦ୍ଦିଷ୍ଟ କେତେକ ସରକାରୀ ଜମିରେ ବ୍ୟାନର, ହୋଡିଂ ଆଦି ଲଗାଇବା ପାଇଁ ଅନୁମତି ପ୍ରଦାନ କରାଯିବ । ଏହାଛାଡା ଏ ସବୁକୁ ଘରୋଇ ଜଗାରେ ଲଗାଇବାକୁ ହେଲେ ସେମାନଙ୍କ ନିକଟରୁ ଲିଖିତ ଅନୁମତି ଆଣିବାକୁ ପଡିବ । ଅନୁମତିପତ୍ର ଗୁଡିକୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ହେବ ବୋଲି ବିଧିରରେ ଉଲ୍ଲେଖ ରହିଛି । ହେଲେ ଏହି ଆଦର୍ଶ ଆଚରଣ ବିଧିକୁ ଖୋଲାଖୋଲି ଭାବରେ ଉଲଙ୍ଘନ କରାଯାଉଛି । ଏ ଦିଗରେ ବ୍ୟାପକ ପ୍ରଚାର ପ୍ରସାର କରାଯିବା ସତ୍ୱେ ବି ଦଳୀୟ ନେତା ଓ ତାଙ୍କ ସମର୍ଥକମାନେ ଆଚରଣ ବିଧିକୁ କଡ୍ଡାକଡ୍ଡି ଭାବରେ ପାଳନ କରିବାରେ ଖିଲାପ କରୁଛନ୍ତି ।
ନିର୍ବଚାନ ଅଧିକାରୀମାନଙ୍କ କୋହଳ ମନୋଭାବ ଯୋଗୁଁ ଏଭଳି କରାଯାଉଛି ବୋଲି ବିରୋଧୀ ରାଜନୈତିକ ଦଳ ଭାଜପା ପକ୍ଷରୁ ଅଭିଯୋଗ ହେଉଛି । ଏ ଦିଗରେ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କୁ ପଚାରିବାରୁ ଆଦର୍ଶ ଆଚରଣ ବିଧି ପାଳନ କରିବା ଦିଗରେ ଯତେଷ୍ଟ ଧ୍ୟାନ ଦିଆଯାଉଛି । ଯଦି ଗାଁ ଗହଳିରେ କେତେକ ସ୍ଥାନରେ ଏହାକୁ ଉଲଙ୍ଘନ କରାଯାଉଛି । ତେବେ ସେ ଦିଗରେ ଜନସାଧାରଣ ତାଙ୍କୁ ମୋବାଇଲରେ ଫୋଟୋ ଉଠାଇ ଜଣାଇପାରିବେ । ତଦ୍ ଅନୁଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।