ଯାଜପୁର , ୫/୩/୨୬ (ସନ୍ଧାନ ନ୍ୟୁଜ ) ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଂଚଳ କଳାପଥର, ବାଲି ଓ ମୋରମ ଲୁଟ ପାଇଁ ସମଗ୍ର ରାଜ୍ୟରେ ଚର୍ଚ୍ଚାରେ ରହିଛି । ବି.ଜେ.ଡି ସରକାର ସମୟରେ ଚାଲିଥିବା ଲୁଟ ବି.ଜେ.ପି ସରକାରରେ ଅଧିକ ଖୁଲମଖୁଲାରେ ଚାଲିଛି । ସେତେବେଳର ବି.ଜେ.ଡି ସରକାର ଧର୍ମଶାଳାର ଲୁଟ ପାଇଁ ଯେପରି ବଦନାମ ହୋଇଥିଲା ଏବେକାର ବି.ଜେ.ପି ସରକାର ତତୋଧିକ ବଦନାମ ହେଲାଣି । ଏହାପରେ ବି ବେଆଇନ ବାଲି ଲୁଟ ନେଇ ସରକାରଙ୍କ ତଦନ୍ତ ନିର୍ଦ୍ଦେଶ ପରେ ବି ଧର୍ମଶାଳାର ବାଲି ଲୁଟ ନେଇ ସ୍ଥାନୀୟ ପୋଲିସ ଓ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଧର୍ମଶାଳାର କେଲୁଅ ନଦୀରୁ ବେଧଡକ ବାଲି ଚାଲାଣ ଚାଲିଛି । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଦିନ ସମୟରେ ବାଲି ଚାଲାଣ ହୋଇ ପାରିବ ନାହିଁ । ହେଲେ ଏଠାରେ ମାଫିଆ ମାନେ ଦିନରାତି ବାଲି ଖାଦାନରେ ପ୍ରୋକଲିନ ମ୍ୟାସିନ ପକାଇ ଦୀର୍ଘଦିନ ହେବ ଶହ ଶହ ଟ୍ରିପ ବାଲି ଟ୍ରକ ଓ ଟ୍ରାକ୍ଟରରେ ଲୁଟ କରି ଚାଲିଛନ୍ତି । ଭଗବାନପୁର, ମଙ୍ଗଳପୁର, ଅରେଇକଣା, କଦମପାଳ, ଉତରପ୍ରତାପ, ବେଦପୁର, ଆଦି ବିଭିନ୍ନ ସ୍ଥାନରୁ ବାଲି ଚୋରୀ ଚାଲିଛି । ଧର୍ମଶାଳାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଆବଶ୍ୟକ ହେଉଥିବା ବାଲି କେବଳ ଚୋରୀ ହୋଇ ଚାଲିଛି । ଦିନରାତି ବାଲି ଲୁଟ ହେବା ଫଳରେ ସ୍ଥାନୀୟ କେଲୁଅ ନଦୀବନ୍ଧ ରାସ୍ତା ନଷ୍ଟ ହୋଇ ଗଲାଣି । ପାଲ ଭିଡା ନହୋଇ ବାଲି ଚାଲାଣ ହେଉଥିବାରୁ ଏହା ରାସ୍ତାରେ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ଦୁର୍ଦ୍ଦଶାର କାରଣ ହୋଇଛି । ରାସ୍ତାରେ ବିଭିନ୍ନ ସ୍ଥାନରେ ବାଲି ପଡି ସଡକ ସୁରକ୍ଷାକୁ ବିପନ୍ନ କରୁଛି । ଏଥିନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତି ସତୀଶ ବିଶ୍ୱାଳ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗୃହ, ରାଜସ୍ୱ , ଇସ୍ୱାତ ଓ ଖଣି ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ଏଥିନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଉପ ଶାସନ ସଚିବ ଶ୍ରୀ ଭୀମସେନ ମହାପାତ୍ର ଏଥିନେଇ ପତ୍ର ନଂ-୭୯୬୪ ତା୨୧.୦୨.୨୦୨୬ ଇସ୍ପାତ ଓ ଖଣି ବିଭାଗକୁ ପ୍ରଦାନ କରି ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତିଙ୍କ ପତ୍ର ଆଧାରରେ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦେଇଛନ୍ତି । ସେହପରି ମଂଚର ସଭାପତି ସତୀଶ ବଶ୍ୱାଳଙ୍କ ଅଭିଯୋଗ ଆଧାରରେ ଇସ୍ପାତ ଓ ଖଣି ବିଭାଗର ଉପସଚିବ ପତ୍ର ନଂ-୨୦୯୫ ତା୨୩.୦୨.୨୬ ନିର୍ଦ୍ଦୋକ ଲଘୁ ଖଣିଜ ଦ୍ରବ୍ୟ ଏବଂ ଯାଜପୁର ଜିଲ୍ଲାପାଳ ପ୍ରଦାନ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦେଇଛନ୍ତି । ଗୃହ ବିଭାଗର ହସ୍ତକ୍ଷେପରେ ଯାଜପୁର ଏସ.ପିଙ୍କ ତରଫରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଧର୍ମଶାଳା ଥାନାକୁ ନିର୍ଦ୍ଦେଶ ଆସିଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଲୁଟ ନେଇ କଠୋର ଆଭିମୁଖ୍ୟ ଧର୍ମଶାଳାରେ ଫସର ଫାଟିବା ଏବଂ ଧର୍ମଶାଳାରେ ଏକ ସାମନ୍ତରାଳ ସରକାର ଚାଲିବା ନେଇ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଉଛି ।
ଧର୍ମଶାଳାର ବାଲିଲୁଟ ରୋକିବା ନେଇ ସରକାରଙ୍କ ନିର୍ଦ୍ଦେଶକୁ ଖାତିର ନାହିଁ
|
March 5, 2026 |



