ଧର୍ମଶାଳାର ଦପାନାଳ ନେଇ ତେଜିଲା ଅସନ୍ତୋଷ: ଆନେ୍ଦାଳନ ଡାକରା ଦେଲେ ସତୀଶ ବିଶ୍ୱାଳ

Spread the love

ଯାଜପୁର, ୦୬/୦୧/୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ଧର୍ମଶାଳା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ରସୁଲପୁର ବ୍ଲକର ଦପାନାଳ ଦଳପୂର୍ଣ୍ଣ ହେବା କାରଣରୁ ଲୋକଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇ ପଡିଛି । ଏଥିନେଇ ସ୍ଥାନୀୟ ଜନସାଧାରଣଙ୍କ ଅନୁରୋଧ କ୍ରମେ ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଘଟଣା ସ୍ଥଳ ପରିଦର୍ଶନ ସହ ପ୍ରତିବାଦରେ ଏକ ଶୋଭାଯାତ୍ରା କରାଯାଇ ଥିଲା । ଦପାନାଳ ପୁନରୁଦ୍ଧାର ସହ ଦଳ ସଫା କରାନଗଲେ ଆଗାମୀ ଦିନରେ ଜନଆନେ୍ଦାଳନ ପାଇଁ ସତୀଶ ଡାକରା ଦେଇଛନ୍ତି ।
ଖବରରୁ ପ୍ରକାଶ, ବ୍ରାହ୍ମଣୀ ନଦୀର ଯାବରା ନିକଟରୁ ଏକ ଶାଖା ନଦୀ ଭାବେ ବାହାରି ଥିବା ଯବଖାର ନଦୀ ପରେ ଦପା ନାଳରେ ପରିଚିତ ହୋଇଥିଲା । ୨୦୧୫ ମସିହା ପରେ ଏହି ଦପା ନାଳ ଦଳ ସଫା ଏବଂ ଖନନ ନାମରେ ବହୁ କୋଟି ଟଙ୍କା ହରିଲୁଟ କରାଯାଇଛି । ବାସ୍ତବରେ କାମ ନହୋଇ କେବଳ କାଗଜ କଲମରେ କାମ ହୋଇଛି । ଏଥିପାଇଁ ଯାବରା, କଲଣ, ନଠୁଆବର, ଓଡିଶ, ରାହାମ୍ବା ଆଦି ପଂଚାୟତର ଜନସାଧାରଣ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ନଦୀ ପରି ଗଭୀର ଏବଂ ଓସାରିଆ ଥିବା ଏହି ନାଳରେ ପୂର୍ବରୁ ଡଙ୍ଗା ଚାଲୁଥିଲା । ସ୍ଥାନୀୟ ଅଂଚଳର ଲୋକଙ୍କ ମୁଖ୍ୟ ଜୀବିକା କୃଷି ଥିବା ବେଳେ ଲୋକେ ଏଥିରୁ ପାଣି ପାଇ ବର୍ଷରେ ତିନି ଫସଲ କରି ପାରୁଥିଲେ । ଲୋକମାନେ ମଧ୍ୟ ଏହି ପାଣିକୁ ନିଜର ନିତ୍ୟକର୍ମରେ ବ୍ୟବହାର କରିବା ସହ ଗାଧୁଆ ପାଧୁଆ କରୁଥିଲେ । ବିଭିନ୍ନ ପର୍ବପର୍ବାଣୀରେ ଲୋକେ ଏଠାରେ ପୂଜାର୍ଚ୍ଚନା କରିବା ସହ ପାରମ୍ପରିକ କାର୍ଯ୍ୟମାନ କରୁଥିଲେ । ଗାଇଗୋରୁ ମାନେ ପାଣି ପିଉଥିଲେ । ହେଲେ ଏବେ ନଦୀ ପରି ଏହି ସୁଦୀର୍ଘ ଗଭୀର ନାଳ ଏବେ ଦଳ ଓ ପଙ୍କପୂର୍ଣ୍ଣ ହୋଇ ସମତଳ ହୋଇ ପଡିଛି । ଏହା ଫଳରେ ଲୋକେ ପାଣି ପାଉ ନଥିବା ବେଳେ ଏଠାରୁ ବାହାରୁ ଥିବା ଦୁର୍ଗନ୍ଧ ଏବଂ ମଶାମାଛି ଏବେ ସ୍ଥାନୀୟ ଅଂଚଳରେ ବିଭିନ୍ନ ପ୍ରକାର ରୋଗର କାରଣ ହୋଇଛି । ନାଳର ଦଳ ଭିତରୁ ବାହାରୁ ଥିବା ବହୁ ସଂଖ୍ୟକ ବିଷଧର ସର୍ପ ଏବେ ଲୋକଙ୍କ ପାଇଁ ବିପଦର କାରଣ ସାଜିଛି । ଏଥିନେଇ ପ୍ରାୟ ୬୦୦ ରୁ ଉର୍ଦ୍ଧ ଜନସାଧାରଣଙ୍କୁ ନେଇ ଯାଇଥିବା ଏକ ଶୋଭାଯାତ୍ରାରେ ସତୀଶ ଏହି ନାଳ ପରିଦର୍ଶନ ସହ ଏଥିନେଇ ଘୋର ଉଦବେଗ ପ୍ରକାଶ କରିଥିଲେ । ସତୀଶ କହିଥିଲେ ଯେ, ଆମ ନବୀନ ପଟ୍ଟନାୟକ ସରକାର ଗାଁର ଲୋକ, ଚାଷୀଙ୍କ ମଙ୍ଗଳ ପାଇଁ ସର୍ବାଧିକ ଯତ୍ନବାନ । ପୁରୁଣା ଜଳାଶୟ ଏବଂ ଏଭଳି ଐତିହାସିକ ନାଳ ଗୁଡିକର ପୁନରୁଦ୍ଧାର ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଏ କ୍ଷେତ୍ରରେ ତୁରନ୍ତ ସରକାର ପଦକ୍ଷେପ ନେବେ । ଏହାର ଅନ୍ତରାଳରେ ହୋଇଥିବା ଦୁର୍ନିତିର ମଧ୍ୟ ପର୍ଦ୍ଧଫାସ କରାଯିବ । ନବୀନ ପଟ୍ଟନାୟକ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟର ଏଠାରେ ସଫଳ ରୂପାୟନ କ୍ଷେତ୍ରରେ କୌଣସି ପ୍ରକାର ପ୍ରତିବନ୍ଧକକୁ ବରଦାସ୍ତ କରାଯିବ ନାହିଁ । ଆବଶ୍ୟକ ହେଲେ ଜନସ୍ୱାର୍ଥ ପାଇଁ ବଡ ଧରଣର ଆନେ୍ଦାଳନ କରାଯିବ । ଏଥିରେ ସର୍ବଶ୍ରୀ ଅଭୟ ସାମଲ, ଶ୍ରୀଧର ମଲିକ, ନୀଳମଣୀ ସାମଲ, ଶୁକଦେବ ସାମଲ, ପ୍ରଦୀପ ଦାସ, ନନ୍ଦ କିଶୋର ଦାସ, ଜିତୁ ମଲିକ, ଧନେଶ୍ୱର ମଲିକ, ଶୁକଦେବ ଦଳାଇ, ପୂର୍ଣ୍ଣଚନ୍ଦ୍ର ଦଳାଇ, ଚୈତନ୍ୟ ମଳିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ନେତୃତ୍ୱ ନେଇଥିଲେ ।

Related Posts

About The Author

Add Comment