ଧର୍ମଶାଳାର ଚାଷୀମାନେ ଅବହେଳିତ ଏବଂ ନିଷ୍ପେସିତ ବୋଲି ଉଦବେଗ ପ୍ରକାଶ କରିଛନ୍ତି ଧର୍ମଶାଳାର ବି.ଜେ.ଡି ନେତା ସତୀଶ ବିଶ୍ୱାଳ

Spread the love

ଯାଜପୁର ,୮.୧୨.୨୦୨୨ (ସନ୍ଧାନ ନିଉଜ) ରାଜ୍ୟରେ ନବୀନ ସରକାର ଚାଷୀସ୍ୱାର୍ଥ ରକ୍ଷା ପାଇଁ କରୁଥିବା ଯାବତୀୟ ଯୋଜନାର ସୁଫଳ ଧର୍ମଶାଳାର ଚାଷୀମାନେ ପାଇ
ପାରୁ ନାହାନ୍ତି । ଏଠାରେ ବି.ଜେ.ଡି ନାମରେ କ୍ଷମତାସୀନ ଗୋଷ୍ଠୀ ଦୀର୍ଘବର୍ଷ ହେବ ରଙ୍ଗୀନ ଦୁନିଆରେ ମସଗୁଲ ହୋଇ ଚାଷୀସ୍ୱାର୍ଥକୁ ଅଣଦେଖା କରି ଆସିଥିବାରୁ ଧର୍ମଶାଳାର ଚାଷୀମାନେ ଅବହେଳିତ ଏବଂ ନିଷ୍ପେସିତ ବୋଲି ଉଦବେଗ ପ୍ରକାଶ କରିଛନ୍ତି ଧର୍ମଶାଳାର ବି.ଜେ.ଡି ନେତା ସତୀଶ ବିଶ୍ୱାଳ । ଧର୍ମଶାଳାର ଅଭୟପୁରରେ ଚାଷୀମାନଙ୍କ ସଭାରେ ସତୀଶ ବିଶ୍ୱାଳ ଯୋଗଦେଇ କହିଥିଲେ ଯେ, ସରକାର ଚାଷୀ ମାନଙ୍କ ବିକାଶ ପାଇଁ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି । ହେଲେ ଖେଳକୁଦ ଏବଂ ନାଚଗୀତ ସହ ରଙ୍ଗୀନ ଦୁନିଆରେ ମସଗୁଲ ହେଉଥିବା ଧର୍ମଶାଳାର କ୍ଷମତାସୀନ ନେତା ଓ ଗୋଷ୍ଠୀ ଚାଷୀ ମାନଙ୍କ ସ୍ୱାର୍ଥରକ୍ଷା ପାଇଁ କୌଣସି ଉଦ୍ୟମ କରୁ ନାହାନ୍ତି । ଜଳସେଚନ ନାମରେ କେବଳ କେତେକ ଠିକାଦାର ଏବଂ ନେତା ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରି ଚାଲିଛନ୍ତି । ହେଲେ ଧର୍ମଶାଳାରେ ବିଗତ ୨୫ ବର୍ଷରେ ଅଧିକ ଇଞ୍ଚେ ଜମି
ଜଳସେଚିବ ହୋଇନାହିଁ । ଧର୍ମଶାଳାର ପ୍ରାୟ ୭୦ ଭାଗ ଲୋକଙ୍କ ମୁଖ୍ୟ ଜୀବିକା ଚାଷ ହୋଇଥିବା ବେଳେ ଏଠାରେ ଚାଷୀମାନେ ନାହିଁ ନଥିବା ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି । ଧର୍ମଶାଳାର ଅଧେ ଜମି ମରୁଡିରେ ପାଣି ନପାଇ ଫସଲ ଖରାରେ ଜଳି ଯାଉଛି ଏବଂ ଅନ୍ୟ ଅଧିକାଂଶ ଜମି ଧୋଇରେ ଭାସି ଯାଉଛି । କୋତପୁର ମନୁଷ୍ୟକୃତ ଘାଇରେ ଶହ ଶହ ଏକର ଜମିରେ ଫସଲ ନଷ୍ଟ ହୋଇଥିବା ବେଳେ ଚାଷୀମାନେ କ୍ଷତିପୁରଣ ପାଇପାରିଲେ ନାହିଁ । ଚାଷୀମାନେ ବିହନ ସାର ଗଣ୍ଡେ ମଧ୍ୟ ସରକାରଙ୍କ ଠାରୁ ପାଇପାରୁ ନାହାନ୍ତି । ଏପରିକି ଚାଷୀଙ୍କ ବୀମା ବାବଦ କ୍ଷତିପୁରଣ ଅର୍ଥ ହଡପ ହୋଇ ଯାଉଛି । ଅଭୟପୁରରେ ଚାଷୀମାନଙ୍କ ଏଭଳି ବୀମା ବାବଦ ଅର୍ଥ ହଡପ ହୋଇ ଯାଇଥିବା ବେଳେ ତାଙ୍କର କଥାକୁ କେହି ଶୁଣୁ ବି ନାହାନ୍ତି । ଚାଷୀ ସମାଜ ଆଖି ମଳି ମଳି କାନ୍ଦୁଛନ୍ତି । ଏହାକୁ କଦାପି ବରଦାସ୍ତ କରାଯିବ ନାହିଁ । ଆମ ମୁଖ୍ୟମନ୍ତ୍ରୀ କୌଣସି କ୍ଷେତ୍ରରେ ଚାଷୀ ସ୍ୱାର୍ଥ ବ୍ୟାଘାତକୁ ବରଦାସ୍ତ କରନ୍ତି ନାହିଁ । ଏ କ୍ଷେତ୍ରରେ ମଧ୍ୟ ଆମ ସରକାର ଠିକଣା ପଦକ୍ଷେପ ନେବେ । ନଚେତ ଚାଷୀ ମାନଙ୍କ ସହ ଧାରଣାରେ ବସିବି ଏବଂ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବି ବୋଲି ସତୀଶ ମତ ପ୍ରକାଶ କରିଛନ୍ତି । ନଳିନୀକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୀତାବାସ ସାହୁ, ଅଧର ଖଟ୍ରୁଆ, ଦେବେନ୍ଦ୍ର ସାହୁ, ଚକ୍ରଧର ଖଟୁଆ, ପ୍ରଭାତ କୁମାର ଶତପଥୀ, ବୈରାଗୀ ବେହେରା ପ୍ରମୁଖ ବହୁ ଚାଷୀ ଏକାଠି ହୋଇ ଆଗାମୀ ଦିନରେ ଚାଷୀସ୍ୱାର୍ଥ ପାଇଁ ଲଢେଇ କରିବାକୁ ଆହ୍ୱାନ ଦେଇଥିଲେ ।

Related Posts

About The Author

Add Comment