ଯାଜପୁର ୧୫/୩ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାରେ ଧର୍ମଶାଳା ବିଧାନସଭା କ୍ଷେତ୍ରରେ ବିଜୁ ପରିବାର ଆନୁଗତ୍ୟ ଓ ପରିବାରବାଦ ନେଇ ଦିନକୁ ଦିନ ଅସନ୍ତୋଷ ବଢିବାରେ ଲାଗିଛି । ଦୀର୍ଘଦିନର କ୍ଷମତା ଓ ବି.ଜେ.ଡି ପ୍ରଭାବରେ ଏଠାରେ କ୍ଷମତାରେ ଥିବା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଏହାକୁ ସାମନା କରୁଥିଲେ ବି ଭିତରେ ଭିତରେ ଗୁମୁରୁଥିବା ଅସନ୍ତୋଷ ଏବେ ଭିନ୍ନମୋଡ ନେବାରେ ଲାଗିଛି ।
୧୯୮୦ ଦଶକରୁ ଧର୍ମଶାଳାରେ ଗୁରୁଚରଣ ଟୀକାୟତ କଂଗ୍ରେସ ବିରୋଧରେ ନେତୃତ୍ୱ ନେଇ ଆସୁଥିବା ବେଳେ ୧୯୯୦ ମସିହାରେ ଟୀକାୟତଙ୍କର ବିଜୟ ହୋଇଥିଲା । ବିଭିନ୍ନ ସମୟରେ କଂଗ୍ରେସ ହାୱା ଏବଂ ସେତେବେଳେ ଜନତା ଦଳର ଧର୍ମଶାଳାର ଅନ୍ୟ ଜଣେ ନେତାଙ୍କ ଦଳଦ୍ରୋହୀ କାରଣରୁ ହିଁ ଗୁରୁ ଚରଣ ଟୀକାୟତ ଏଠାରେ ହାରୁଥିଲେ ବି ନିଜର ବ୍ୟକ୍ତିତ୍ୱ ପାଇଁ ସାଧାରଣରେ ବେଶ ପ୍ରଭାବ ରଖୁଥିବା ଟୀକାୟତ ଏବେ ବି ଧର୍ମଶାଳା ଅଞ୍ଚଳରେ ସର୍ବମାନ୍ୟ ନେତା । ତେବେ ୧୯୯୫ ମସିହାରେ ଟିକାୟତଙ୍କ ଜନତା ଦଳରୁ ଟିକେଟ କଟିବା ସତ୍ୱେ ଧର୍ମଶାଳାରେ ଦଳୀୟ ନିଷ୍ପତ୍ତିକୁ ସମ୍ମାନ ଦେଇ ଧର୍ମଶାଳାରେ ଜନତା ଦଳର ପ୍ରାର୍ଥୀ କଳ୍ପତରୁ ଦାସଙ୍କୁ ସମର୍ଥନ ଦେଲେ । ହେଲେ ବିଜୟ ପରେ କଳ୍ପତରୁ ପ୍ରଥମେ ଟୀକାୟତଙ୍କୁ ଦଳରେ ନିଷ୍କିୟ କରିବା ପାଇଁ ଉଦ୍ୟମ ଆରମ୍ବ କରି କ୍ଷମତା ବଳରେ ଟୀକାୟତଙ୍କୁ କୋଣଠେସା କରି ରଖିଲେ । ବି.ଜେ.ପିରୁ ରାଜନୈତିକ ଜୀବନ ଆରମ୍ବ କରିଥିବା କଳ୍ପତରୁ କୋଣାର୍କ ଟି ଭି ଦୁର୍ନିତି ପ୍ରସଙ୍ଗରେ ବିବାଦୀୟ ହୋଇଥିଲେ ବି ଲଗାତାର ଦଳରୁ ଟିକେଟ ପାଇବା ସହ ବିରୋଧୀଙ୍କୁ ନିଷ୍କ୍ରିୟ କରି ରଖିବାରେ ସଫଳ ହେବା କାରଣରୁ ଧର୍ମଶାଳାରେ ବିଜୟୀ ହୋଇଥିଲେ ।
ତେବେ ରାଜ୍ୟସଭାରେ କ୍ରସଭୋଟ ଅଭିଯୋଗରେ ଖୋଦ ଦଳର ମୁଖିଆଙ୍କ ଦ୍ୱାରା ସସପେଣ୍ଡ ହେବା, ଧର୍ମଶାଳାରେ ନବୀନବାବୁ ଦେଇଥିବା ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ଦେଇ କଳ୍ପତରୁ ଉକ୍ତ ବି.ଜେ.ଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ହରାଇବା , ଧର୍ମଶାଳାରେ କଳ୍ପତରୁ ସେନା କରି ପରୋକ୍ଷରେ ନବୀନଙ୍କ ନେତୃତ୍ୱକୁ ସେ ସମୟରେ ଚ୍ୟାଲେଞ୍ଜ କରିବା ଆଦି ଘଟଣା ବିଜୁ ପରିବାର ପ୍ରତି ଥିବା ଆନୁଗତ୍ୟର ସୂଚନା ହୋଇଥିଲା । ଏସବୁ ପରେ ବି ବି.ଜେ.ଡିରେ ପ୍ୟାରୀ ଦମନ ପରେ ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିଥିବା କଳ୍ପତରୁ ନିଜର ପୁଅଙ୍କ ପାଇଁ ଟିକେଟ ନେବାରେ ସଫଳ ହୋଇଥିଲେ । ହେଲେ ଏହାପରେ ପୁନଶ୍ଚ ଘଙ୍ଗପାଟଣା ଜଙ୍ଗଲ ଜମି ଦଖଲ, ଇଛାଧୀନ କୋଟା ଦୁର୍ନିତି ଆଦି ପ୍ରସଙ୍ଗ କଳ୍ପତରୁ ଏବଂ ବିଧାୟକ ପୁଅ ପ୍ରଣବଙ୍କ ପାଇଁ ସଙ୍କଟ ହୋଇଥିବା ବେଳେ ଖୋଦ କଳ୍ପତରୁ ମଧ୍ୟ ସେ ସମୟରେ ନବୀନଙ୍କ ବିଶ୍ୱାସ ହରାଇଥିଲେ । କଳ୍ପତରୁଙ୍କ ପରଲୋକ ପରେ ଚିଟଫଣ୍ଡ, ଡି ବ୍ରଦର୍ସ ଲିଙ୍କ ଆଦି ପ୍ରସଙ୍ଗରେ ତାଙ୍କର ବିଧାୟକ ପୁଅ ପ୍ରଣବଙ୍କୁ ସି.ବି.ଆଇ ଓ ଇ.ଡିଙ୍କ ଜେରା, ଡଙ୍କାରୀ ପାହାଡ ପ୍ରସଙ୍ଗରେ ସରକାର କାଠଗଡାରେ ଠିଆହେବା ସହ ସରକାରଙ୍କୁ ୨୫ କୋଟିର ଜରିମାନା ନିଦେ୍ର୍ଦଶ, ଧର୍ମଶାଳାର ଲୋକ ନହୋଇ ମଧ୍ୟ ବାପା ପରେ ପୁଅ ବିଧାୟକ ହେବା ଏବଂ ଭାଇଙ୍କୁ ଚୟୋରମ୍ୟାନ କରାଯିବା ସହ ଅନ୍ୟ ଅନୁଗତଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରଖାଯିବା, ଧର୍ମଶାଳାରେ ରାଜନୀତିର ବ୍ୟବସାୟୀ କରଣ କରାଯାଇ ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ ପ୍ରାଧାନ୍ୟ ଦିଆଯିବା ଆଦି ପ୍ରସଙ୍ଗ ମଧ୍ୟ ପ୍ରଣବଙ୍କ ପାଇଁ ଭିତରେ ଭିତରେ ଜନଅସନ୍ତୋଷକୁ ତେଜୁଥିବାର ଜଣାପଡିଛି ।
ଏସବୁ ପରେ ବି ପରିସ୍ଥିତିର ମୁକାବିଲା କରିବାକୁ ଅଣ୍ଟା ଭିଡିଥିବା ପ୍ରଣବ ବିଭିନ୍ନ ସ୍ଥାନରେ ସଭା ସମିତି କରି ଚାଲିଥିଲେ ବି କଳାଟଙ୍କା ଓ ବି.ଜେ.ଡି ବଳରେ ଏଭଳି ସଭା ହେବା ସ୍ୱଭାବିକ ବୋଲି ବିରୋଧୀ ମତ ରଖୁଛନ୍ତି । ଏଣେ କଳ୍ପତରୁ ପରିବାରକୁ ଦୀର୍ଘବର୍ଷ ହେବ ବିରୋଧ କରି ଆସୁଥିବା ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ବିଭିନ୍ନ ସ୍ଥାନରେ ସଭା ସମିତିରେ ଉପରୋକ୍ତ ଅଭିଯୋଗ କରିବା ସହ ନବୀନ ନିବାସରେ ମଧ୍ୟ ଅଭିଯୋଗ କରିବା ନେଇ ରାଜ୍ୟ ଗଣମାଧ୍ୟମରେ ମଧ୍ୟ ପ୍ରସଙ୍ଗ ହୋଇଛି । ଏପରିକି ଏଭଳି ଦୁର୍ନିତି ଧର୍ମଶାଳା ଓ ବି.ଜେ.ଡି ପାଇଁ ବୋଝ ହୋଇଛି ବୋଲି ଦାବି କରାଯାଇ ପ୍ରଣବଙ୍କର ଧର୍ମଶାଳାରେ ବିଭିନ୍ନ ସ୍ଥାନରେ କୁଶପୁତ୍ତଳିକା ଦାହ ସହ ଧର୍ମଶାଳାରେ ପ୍ରଣବ , ତାଙ୍କର ପରିବାର କିମ୍ବା ସମର୍ଥକଙ୍କୁ ଟିକେଟ ନଦେବା ସହ ଭୂମୀପୁତ୍ର ସତୀଶ ବିଶ୍ୱାଳଙ୍କୁ ଟିକେଟ ଦେବା ଦୃଢ ଦାବି କରାଯିବା ପ୍ରସଙ୍ଗ ରାଜନୈତିକ ମହଲରେ ଗୁରୁତ୍ୱର ସହ ବିଚାର କରାଯାଉଛି । ତେବେ ବହୁ ବଡ ବଡ ନେତାଙ୍କୁ ସାମାନ୍ୟ ତ୍ରୁଟି ପାଇଁ କ୍ଷମତାରୁ ଦୂରେଇ ଦେଇଥିବା ନବୀନଙ୍କ ଟିକେଟ ପ୍ରଦାନ ନେଇ ଶେଷ ନିଷ୍ପତ୍ତିକୁ ଲୋକେ ଅପେକ୍ଷା କରିଥିବାର ସାଧାରଣରେ ଆଲୋଚନା ହେଉଛି ।
Report- Pradipta Mohanty



