ଧର୍ମଶାଳାରେ ତେଜିଲା ଦପାନାଳ ଆନ୍ଦୋଳନ: ଗଢାହେଲା ପୂର୍ଣ୍ଣାଙ୍ଗ ମଞ୍ଚ

Spread the love

ଯାଜପୁର,୦୯/୦୯ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲା ଧର୍ମଶାଳା ବିଧାନସଭା କ୍ଷେତ୍ର ରସୁଲପୁର ବ୍ଲକ ଅନ୍ତର୍ଗତ ଦପାନାଳ ପ୍ରାୟ ଶତାଧିକ ଗ୍ରାମର ଜୀବନରେଖା ଭାବେ ପରିଚିତ । ଏହି ବଡ ଧରଣର ନାଳ ପୋତି ହୋଇଯିବା ପାଇଁ ଲୋକଙ୍କ ଜୀବନ ଓ ଜୀବିକା ଦୁର୍ବିସହ ହୋଇପଡିଛି । ଦୀର୍ଘ ବର୍ଷକ ପୂର୍ବରୁ ଏଥିନେଇ ଆନ୍ଦୋଳନର ବିଗୁଲ ବଜାଇଥିବା ସତୀଶ ବିଶ୍ୱାଳଙ୍କ ନେତୃତ୍ୱରେ ପୁଣି ବଡ ଧରଣର ଆନ୍ଦୋଳନ ପାଇଁ ଲୋକେ ମେଳି ହୋଇଛନ୍ତି । ଏଥିପାଇଁ ଦପାନାଳ ସୁରକ୍ଷା ମଞ୍ଚର ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯାଇଛି ।
ଏହି ଅବସରରେ ଓଡିଶୋ ପଞ୍ଚାୟତର ବାହାବଳପୁର ଠାରେ ଏକ ବଡ ଧରଣର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବସମ୍ମତକ୍ରମେ ସଂଗ୍ରାମୀ ଯୁବନେତା ତଥା ବରିଷ୍ଠ ସାମ୍ବାଦିକ ସତୀଶ ବିଶ୍ୱାଳଙ୍କୁ ପ୍ରତିଷ୍ଠାତା ସଭାପତି ଘୋଷଣା କରାଯାଇଥିଲା । ଏଥିରେ ସର୍ବଶ୍ରୀ ନୀଳମଣୀ ନାୟକ, ଦାଶରଥୀ ବେହେରା, ରାମଚନ୍ଦ୍ର ମଲିକ, କେଶବ ଦତ୍ତଉପସଭାପତି, ଅଭୟ ସାମଲ ସମ୍ପାଦକ, ଜିତେନ୍ଦ୍ର ନାୟକ ଓ ସୁଶାନ୍ତ କୁମାର ମହାନ୍ତି ସହ ସମ୍ପାଦକ, ଶଙ୍କର୍ଷଣ ପଣ୍ଡା କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ । ଉପଦେଷ୍ଠା ଭାବେ ସର୍ବଶ୍ରୀ ସୁଦାମ ଚରଣ ରାଉତ, ଚୈତନ୍ୟ ରାଉତ, ମାଗୁଣୀ ସ୍ୱାଇଁ, ଶ୍ରୀଧର ନାୟକ, ନୀରଞ୍ଜନ ସାମଲ, ଅମୀୟ ସାମଲ, ପରମାନନ୍ଦ ବୋଇତେଇ, ଶିଶିର ବେହେରା, ନୀରଞ୍ଜନ ରାଉତ, ବାଇଧର ରାଉତ ମନୋନୀତ ହୋଇଛନ୍ତି ।
ଏହି ଅବସରରେ ଅନୁଷ୍ଠିତ ବୈଠକରେ ସତୀଶ କହିଥିଲେ ଯେ, ଚାଷୀ ଓ ଚାଷର ସ୍ୱାର୍ଥ ପ୍ରତି ସରକାର ଗୁରୁତ୍ୱ ଦେଉଥିବା ବେଳେ ଏଠାରେ ଦପାନାଳର ମୃତ୍ୟୁ ହୋଇଯିବାରୁ ଚାଷ ଉଜୁଡି ଯାଇଛି । ଅତୀତରେ ଏହି ନାଳଟି ଗୋଟିଏ ନଦୀ ପରି ଥିଲା । କେବଳ ଧର୍ମଶାଳା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ମାନପୁର, ଓଡିଶୋ ଅଣ୍ଡେିଗୋଡା, ଅର୍ତ୍ତିଆ, କୁସୁନପୁର, ବିଶ୍ୱନାଥପୁର, କରଞ୍ଜିଆରି,ମେଳକ, ନିମପାଟଣା, ବାହାବଳପୁର, ହାଟସିଂହାପୁର, କୁରୁକୁରା, କପାଳି, ଟାକୁଆଠେଙ୍ଗ, ନଠୁଆବର, ନୂଆହାଟ, ଦାମଦୋରପୁର, କୁରାଶେ, ଗରୁଆଳ ଆଦି ବହୁ ଗ୍ରାମର ଲୋକେ ଚାଷବାସ ପାଇଁ ସଂପୂର୍ଣ୍ଣ ନିର୍ଭରଶୀଳ ଥିଲେ । ଏବେ ଦପାନାଳ ସଂପୂର୍ଣ୍ଣ ପୋତି ହୋଇ ଯାଇଥିବା ବେଳେ ଏହାର ପଙ୍କ ଓ ଦଳ ଦଃୁଗନ୍ଧ ସହ ପ୍ରବଳ ଶାପ ଓ ମଶା ଉପଦ୍ରବ ଲୋକଙ୍କ ଜୀବନ ଦୁର୍ବିସହ ହୋଇ ପଡିଛି । ଲୋକେ ରାଜ୍ୟ ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରି ଆରମ୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଆସିଥିବା ତଦନ୍ତ ନିର୍ଦ୍ଦେଶକୁ ଯାଜପୁର ଡ୍ରେନେଜ ଡିଭିଜନ ଚାପି ଦେଇଛି । ଏହାର ଅନ୍ତରାଳରେ ବଡ ଧରଣର ଦୁର୍ନିତି ହୋଇଥିବାରୁ ଲୋକଙ୍କ ସମସ୍ୟାର ସମାଧାନ ହୋଇ ପାରୁନି । ଆଗାମୀ ଦିନରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଜନ ସମସ୍ୟା ନେଇ ଲଢେଇ ଜୋରଦାର କରାଯିବ ବୋଲି ସତୀଶ ମତ ପ୍ରକାଶ କରିଥିବା ବେଳେ ସମସ୍ତ ସଭ୍ୟମାନେ ସମର୍ଥନ କରିଥିଲେ ।

Related Posts

About The Author

Add Comment