ଧର୍ମଶାଳାରେ ଓଡିଶା ସରକାରଙ୍କ ସ୍ୱାର୍ଥରକ୍ଷା ପାଇଁ ଏତଲା ଦେଲେ ବି.ଜେ.ଡି ନେତା

Spread the love

ଯାଜପୁର, ୨୮/୦୫/୨୦୨୧ (ସନ୍ଧାନ ନିଉଜ) : ସମସ୍ତ ପ୍ରକାର ହରିଲୁଟ ପାଇଁ ଚର୍ଚ୍ଚାରେ ରହିଛି ଯାଜପୁର ଜିଲ୍ଲାର ଧର୍ମଶାଳା । ଏଠାରେ କେତେକ ମାଫିଆ ନିୟମିତ ହରିଲୁଟ ଚଲାଇଥିବା ବେଳେ ଏହାକୁ ସୁରକ୍ଷା ଯୋଗାଇ ଆସିଛନ୍ତି କ୍ଷମତାସୀନ ନେତା ଏବଂ ସରକାରୀ କଳ । ଏଥିପାଇଁ ଦୁର୍ନିତି ବିରୋଧରେ ଜିରୋ ଟଲରାନ୍ସ ଏବଂ ଫାଇବ ଟି ର ସ୍ଳୋଗାନ ଦେଉଥିବା ନବୀନ ସରକାର ବଦନାମ ହେଉଛନ୍ତି । ଓଡିଶା ସରକାରଙ୍କ ସମ୍ପଦ ହରିଲୁଟ ରାଜ୍ୟ ସରକାରଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି ଅଭିଯୋଗ କରି ଧର୍ମଶାଳା ଥାନାରେ ଶୁକ୍ରବାର ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଏତଲା ଦେବା ଘଟଣା ଏବେ ସାଧାରଣରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି । ଧର୍ମଶାଳା ଥାନାରେ ଦେଇଥିବା ଏତଲାରେ ସତୀଶ ଅଭିଯୋଗ କରିଛନ୍ତି ଯେ, ଧର୍ମଶାଳା ଥାନା ଅଧୀନ ନାକପୋଲ-ସାରୋଇ ପୂର୍ତ୍ତ ବିଭାଗ ରାସ୍ତାରେ ସାରୋଇ ଏବଂ ଧର୍ମଶାଳା ଫିଲ୍ମି ହଲ ନିକଟରେ ନାଳବନ୍ଧ ରାସ୍ତାରେ ଥିବା ଦୁଇଟି ଲୁହା ପିଲାର ଗେଟକୁ ଦୁର୍ବୁତ୍ତ ମାନେ ପ୍ରାୟ ଦୁଇ ମାସ ହେବ ଭାଙ୍ଗି ଦେଇଛନ୍ତି । ବିଭିନ୍ନ କାରଣରୁ ସରକାରଙ୍କ ସ୍ୱାର୍ଥରକ୍ଷା ପାଇଁ ଏହି ଗେଟ ସରକାରଙ୍କ ତରଫରୁ କରାଯାଇ ଥିଲା । ସରକାରଙ୍କ କୋଟି କୋଟି ଟଙ୍କାର କଳାପଥର ଏବଂ ବାଲି ଚୋରା ଚାଲାଣ ପାଇଁ ଏହି ଗେଟକୁ ଭାଙ୍ଗି ଦିଆ ଯାଇଛି । ଏହା ଫଳରେ ସରକାର ଦୈନିକ ବହୁ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି । ରାସ୍ତାରେ ଭାରିଯାନ ଚଳପ୍ରଚଳ ହେବା ଫଳରେ ନିମ୍ନ ମାନର ନବନିର୍ମିତ ରାସ୍ତା ଅଧିକ ଖରାପ ହେଉଛି । ଏଥିନେଇ ସରକାରଙ୍କ ବିରୋଧରେ ଜନଅସନ୍ତୋଷ ବଢୁଥିବା ବେଳେ କେତେକ ବୁଦ୍ଧିଜୀବି ଏଥିନେଇ ସ୍ୱର ଉଠାଇଛନ୍ତି ଏବଂ ସରକାରଙ୍କୁ ଟୁଇଟ ମଧ୍ୟ କରିଛନ୍ତି । ଓ.ଏମ.ଏମ.ସି ରୁଲ କ୍ଷେତ୍ରରେ ଏବଂ ସର୍ବସାଧାରଣ ସମ୍ପତ୍ତି ନଷ୍ଟ ନେଇ ପୋଲିସ ନିଜ ଆଡୁ ଏତଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣର କ୍ଷମତା ରହିଛି । ହେଲେ ତାହା ହୋଇନାହିଁ । ଏହି ରାସ୍ତାରେ ଟ୍ରକରୁ ବାଲି ଓ କଳାପଥର ପଡି ଗଦା ହୋଇ ରହୁଥିବାରୁ ଲୋକେ ରାସ୍ତାରେ ଯାତାୟତ କରିପାରୁ ନାହାନ୍ତି । ପୂର୍ତ୍ତ ବିଭାଗର ସ୍ଥାନୀୟ ଜେଇ, ଏସଡିଓ, ନିର୍ବାହୀଯନ୍ତ୍ରୀଙ୍କ ତରଫରୁ ଏଥିନେଇ ଏତଲା ଦିଆଯାଇ ନାହିଁ କିମ୍ବା ଧର୍ମଶାଳା ତହସିଲ ତରଫରୁ ଏଭଳି ଲଘୁ ଖଣିଜ ଦ୍ରବ୍ୟ ହରିଲୁଟ ନେଇ ଥାନାରେ ଏତଲା ଦିଆଯାଉ ନାହିଁ ବୋଲି ଗଣମାଧ୍ୟମରେ ପୂର୍ବରୁ ଖବର ପ୍ରକାଶ ପାଇଛି । ଏଭଳି କାର୍ଯ୍ୟ ରାଜ୍ୟ ସରକାରଙ୍କ ସ୍ୱାର୍ଥ ବିରୋଧୀ ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ଏହା ଏକ ଷଡଯନ୍ତ୍ର । କାରଣ ଏଥିପାଇଁ ଗୋଟିଏ ପଟରେ ରାଜ୍ୟର ସମ୍ପତ୍ତି ତଥା ରାସ୍ତା ନଷ୍ଟ ହେଉଥିବା ବେଳେ ଅପର ପକ୍ଷରେ ଚୋରା ଚାଲାଣ ପାଇଁ ସରକାର ବହୁ ଲକ୍ଷ ଟଙ୍କା ରାଜସ୍ୱ ହରାଉଛନ୍ତି । ସେହିପରି ଲଘୁ କଣିଜ ଦ୍ରବ୍ୟ ଚୋରୀକୁ ମଧ୍ୟ ସରକାରୀ କଳ ତରଫରୁ ସହାୟତା ପ୍ରଦାନ କରାଯାଉଛି । ଏଥିପାଇଁ ସଂପୃକ୍ତ ପୂର୍ତ୍ତ ବିଭାଗ ଅଧିକାରୀ ଏବଂ ତହସିଲ କର୍ତ୍ତୁପକ୍ଷଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡ ଧାରା ୩୭୯/୫୧୧, ୧୦୯ ଏବଂ ୧୨୦ (ବି) ଧାରାରେ ଏତଲା ରୁଜୁ କରାଯାଉ । କାରଣ ଏମାନେ ଏଥିନେଇ ଅଦ୍ୟାବଧି ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ନାହାନ୍ତି କିମ୍ବା ଥାନାରେ ଏତଲା ଦେଇ ନାହାନ୍ତି । ଏଥିସହ ସଂପୃକ୍ତ ଦୁର୍ବୁତ୍ତ ଏବଂ ଗେଟ ଭାଙ୍ଗିବାରେ ମୂଳ ଚକ୍ରାନ୍ତକାରୀଙ୍କ ବିରୋଧରେ ତୁରନ୍ତ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏତଲା ପ୍ରଦାନ ପରେ ସତୀଶ ଗଣମାଧ୍ୟମକୁ କହିଛନ୍ତି , ଯେ କେହି ହେଉ ନା କାହିଁକି ନବୀନ ସରକାର କୌଣସି କ୍ଷେତ୍ରରେ ଦୁର୍ନିତିକୁ ବରଦାସ୍ତ କରେନାହିଁ । ସରକାର ସାଧାରଣ ଜନତାଙ୍କ ସ୍ୱାର୍ଥ ଏବଂ ସରକାରୀ ସମ୍ପତ୍ତିର ସୁରକ୍ଷାକୁ ହିଁ ଗୁରୁତ୍ୱ ଦେଇ ଆସିଛି । ତେଣୁ ଏ କ୍ଷେତ୍ରରେ ନିଶ୍ଚୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Related Posts

About The Author

Add Comment