ଯାଜପୁର ୨୮.୧୨ : ଅନନ୍ୟା ସାହିତ୍ୟ ସଂସଦ ଓ ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଦ୍ୱାଦଶ ରାଜ୍ୟସ୍ତରୀୟ ଯାଜପୁର ପୁସ୍ତକମେଳାର ୬ଷ୍ଠ ସନ୍ଧ୍ୟା ଅନନ୍ୟାର ସଭାପତି ସନ୍ତୋଷ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲ୍ଲ୍ା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ ଉଦ୍ଘାଟକ ଭାବେ ଯୋଗଦେଇ ମା ବିରଜାଙ୍କ ଫଟୋ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ସାମଲ ସ୍ତୋତ୍ର ପାଠ କରିଥିଲେ । ସଂଗଠନ ସଂପାଦକ ହୃଷିକେଶ ପତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଂପାଦକ ଡଃ କାହ୍ନୁଚରଣ ମିଶ୍ର ଅତିଥି ପରିଚୟ ଓ ପୁସ୍ତକ ମେଳାର ବିବରଣୀ ପାଠ କରିଥିଲେ । ଫକୀର ମୋହନ ବିଶ୍ୱ ବିଦ୍ୟାଳୟର ପୂର୍ବତନ କୂଳପତି ଡଃ କୁମରବର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୃଥିବୀର ସମସ୍ତ ଜ୍ଞାନୀ ମନୁଷ୍ୟ ପୁସ୍ତକ ମାଧ୍ୟମରେ ହିଁ ନିଜର ସ୍ୱୀକୃତି ପ୍ରାପ୍ତ ହୋଇପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତାଭାବେ ବିଶିଷ୍ଟ ସାହିତ୍ୟକ ତଥା ଧର୍ମଶାଳା ମହାବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ମନୋରଂଜନ ମହାନ୍ତି ଯୋଗଦେଇ ସମଗ୍ର ବିଶ୍ୱର ହିତାସାଧନ ବହି ମାଧ୍ୟମରେ ସମ୍ଭବ ହୁଏ । ଜନ୍ ବୁନିଆନ୍ ଙ୍କ ଆତ୍ମଚରିତରେ ଏହା ପ୍ରତିଫଳିତ ହୋଇଛି ବୋଲି ପ୍ରକାଶ କରିଥିଲେ । ଉଦ୍ଘାଟକ ଶ୍ରୀ ବେହୁରିଆ କହିଲେ ଯେ- ପୁସ୍ତକ ମେଳରୁ ଖଣ୍ଡିଏ ଭଲ ବହି କିଣିବା ସହିତ ସଂପର୍କ ସୃଷ୍ଟି କଲେ ପୁସ୍ତକମେଳା ରୁଦ୍ଧିମନ୍ତ ହେବ । ଅନ୍ୟତମ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଗାଳ୍ପିକ ଡଃ ସୂର୍ଯ୍ୟମଣୀ ଖୁଂଟିଆ ଯୋଗଦେଇ ପୁସ୍ତକ ଇଶ୍ୱରଙ୍କ ଏକ ମୂର୍ତିମନ୍ତ ପ୍ରତୀକ ବୋଲି ପ୍ରକାଶ କରିଥିଲେ । ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସଂସ୍କୃତବିତ୍ ପଣ୍ଡିତ ଭୂପତି ଭୂଷଣ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁସ୍ତକରେ ପାଠକୀୟ ରୁଚି ଓ ସାମାଜିକ ଜୀବନର ଆଲେଖ୍ୟ ରହିଲେ ତାହା ଆଦରଣୀୟ ହେବବୋଲି ପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଦଶରଥ ସାମଲ ଯୋଗଦେଇ ପୁସ୍ତକ ମନୁଷ୍ୟର ନିଃସଙ୍ଗ ମୁହୂର୍ତର ଅନ୍ତରଙ୍ଗ ବନ୍ଧୁ ବୋଲି ଉଲ୍ଲେଖ କରିଥିଲେ । ଲେଖକ ସୁଶାନ୍ତ ପଣ୍ଡାଙ୍କ ରଚିତ ‘ଅମୃତ ତଟିନୀ’ ପୁସ୍ତକ ଉନ୍ମୋଚନ ହୋଇଥିଲା । କଳ୍ପିତା ମିଶ୍ର ଓ ଅର୍ପିତା ଧଳ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ବିଶ୍ୱଜିତ୍ ସାହୁ ଙ୍କ ରଚନା ଓ ନିର୍ଦ୍ଦେଶନାରେ ଆହ୍ୱାନ ପକ୍ଷରୁ ‘ଗାନ୍ଧିଛକ’ ନାଟକ ପରିବେଷଣ ହୋଇଥିଲା । ଗଣମାଧ୍ୟମ ସଂଯୋଜକ ଆଦିତ୍ୟ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପାଣ୍ଡବ ସାହୁ ସାଂସ୍କୃତିକ ପରିଚାଳନା କରିଥିଲେ । ଉପସଭାପତି ବିଭୂତି ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଦ୍ୱାଦଶ ରାଜ୍ୟସ୍ତରୀୟ ଯାଜପୁର ପୁସ୍ତକମେଳାର ୬ଷ୍ଠ ସନ୍ଧ୍ୟା
|
December 28, 2022 |