ବାରିପଦା : କରଞ୍ଜିଆର ଉପଜିଲ୍ଲାପାଳ ଭାବେ ଚଳିତମାସ ୧ ତାରିଖରେ ଦାୟିତ୍ବ ଗ୍ରହଣ କରିଥିବା ଡ଼ା, ରଜନୀକାନ୍ତ ବିଶ୍ବାଳ ବହୁ ପ୍ରତୀକ୍ଷିତ ଦେଓ ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଗତ ୧୨ ତାରିଖରେ ନିଜ କାର୍ଯ୍ୟାଳୟରେ ସମୀକ୍ଷା ପରେ ୧୮ ତାରିଖରେ ହାତିବାରୀସ୍ଥିତ ଦେଓ ନଦୀବନ୍ଧ ଯୋଜନାର ସ୍ଥିତି ଓ ବିସ୍ଥାପିତ ଗ୍ରାମଗୁଡିକୁ ପରିଦର୍ଶନ ସହ ସମୀକ୍ଷା କରିଛନ୍ତି ।
ସମୀକ୍ଷା ସମୟରେ ଦେଓ ନିର୍ବାହୀ ଯନ୍ତ୍ରୀ ଇଂ, ଅନୀଲ କୁମାର ପାଣିଗ୍ରାହୀ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ବାଦଲ କୁମାର ସାହୁ, ସ୍ଵତନ୍ତ୍ର ଭୂ-ଅର୍ଜନ, ବିସ୍ଥାପନ ଓ ଥଇଥାନ ଅଧିକାରୀ ଦୁଃଖବନ୍ଧୁ ନାଏକ ପ୍ରମୁଖ ଉପସ୍ଥିତ ରହି ସମୀକ୍ଷାରେ ସହଯୋଗ କରିଥିଲେ । ଏହି ପ୍ରକଳ୍ପ ଦ୍ବାରା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ୪ ଗୋଟି ଗ୍ରାମ ମଧ୍ୟରେ ଦେବୀଗଡ, କଦଳିବାଡି, ବଡ଼ରାମଚନ୍ଦ୍ରପୁର ଓ ବଡବାରାହାକାମୁଡା ଗ୍ରାମର ବିସ୍ଥାପିତମାନଙ୍କ କ୍ଷତିପୂରଣ ଓ ଅନ୍ୟତ୍ର ଥଇଥାନ ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ସମ୍ପୂର୍ଣ୍ଣ ଅବଗତ କରାଯିବା ପରେ ସେ ଏସବୁ ଗ୍ରାମଗୁଡିକୁ । ବୁଲି ଅନୁଧ୍ୟାନ କରିଥିଲେ । ଆସନ୍ତା ସେପ୍ଟେମ୍ବର ମାସଠାରୁ ବନ୍ଧ କାର୍ଯ୍ୟରେ କ୍ଷତିପୂରଣ ବାବଦକୁ ବାଧାବିଘ୍ନ ସୃଷ୍ଟି କରୁଥିବା ବିସ୍ଥାପିତମାନଙ୍କର ଆପତ୍ତି ଅଭିଯୋଗ ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବା ସହ କ୍ଷତିପୂରଣ ପାଇସାରିଥିବା ସତ୍ତ୍ବେ ଅନ୍ୟତ୍ର ଥଇଥାନ ପାଇଁ ଅନିଚ୍ଛୁକ ବ୍ୟାକ୍ତିମାନଙ୍କୁ ନେଇ ଗଣ୍ଡଗୋଳ ସୃଷ୍ଟି କରୁଥିବା ବ୍ୟକ୍ତିବିଶେଷଙ୍କୁ ଆଦୈ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସେ ଦୃଢକ୍ତି ପ୍ରକାଶ କରିଥିଲେ ।
ଦୀର୍ଘ ୨୯ ବର୍ଷ ଧରି ଦେଓ ମଧ୍ୟରେ ଜଳସେଚନ ଯୋଜନାରେ ବିସ୍ଥାପନ ସମସ୍ୟାର ସମାଧାନ ହୋଇପାରୁଥିବା ଯୋଗୁଁ ବନ୍ଧ ଦ୍ବାରା ୧୩,୧୨୩ ହେକ୍ଟର ଜମିକୁ ଜଳସେଚିତ କରାଯାଇ ପାରୁନଥିବା ନେଇ ସେ ଦୁଃଖ ପ୍ରକାଶ କରିଥିଲେ। ଜିଲ୍ଲାପାଳ ବିନୀତ ଭରଦ୍ୱାଜ କରଞ୍ଜିଆ ଆସି ବଡ଼ଦେଉଳି ଗ୍ରାମସ୍ଥିତ କୋଭିଡ କେୟାର ସେଣ୍ଟରକୁ ଉଦଘାଟିତ କରିଥିଲେ ଓ ଦେଓ ବଙ୍ଗଳା ଠାରେ ନଦୀବନ୍ଧ ଯୋଜନା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । ବୈଠକରେ ଉପଜିଲ୍ଲାପାଳ ଙ୍କ ସମେତ ବିଡ଼ିଓ ଓ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ ।