ଦୁର୍ନୀତିର ପେଣ୍ଠସ୍ଥଳ ପାଲଟିଛି କପ୍ତିପଦା ବ୍ଲକ ; ବାତ୍ୟା ଆଳରେ କୋଟିଏରୁ ଅଧିକ ଟଙ୍କା ଲୁଟ୍ ମସୁଧା

Spread the love

ବାରିପଦା, ୧୬/୦୭/୨୦ (ସନ୍ଧାନ ନିଉଜ) : କପ୍ତିପଦା ବ୍ଲକରେ ବଲବଲ ବାତ୍ୟା ଜନିତ କ୍ଷୟକ୍ଷତି ସରକାରୀ ଭାବେ କିଛି ହୋଇନାହିଁ । ଏନେଇ କପ୍ତିପଦା ତହସିଲ ପକ୍ଷରୁ ରାଜ୍ୟ ସରକାରଙ୍କୁ ବି କୈାଣସି ରିପୋର୍ଟ ଦିଆଯାଇନାହିଁ । ମାତ୍ର କପ୍ତିପଦା ବ୍ଲକ କର୍ତ୍ତୃପକ୍ଷ କିନ୍ତୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଳରେ କୋଟି କୋଟି ଟଙ୍କାର ରାଜସ୍ବ ଲୁଟର ମସୁଧା କରିଥିବା ଅଭିଯୋଗ ହୋଇଛି । କିଛି ନ୍ୟସ୍ତସ୍ବାର୍ଥ ସରକାରୀ କର୍ମଚାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ବ୍ଲକରେ ଥିବା ବିଭିନ୍ନ ବିଦ୍ୟାଳୟ, ରୋଷଘର ଏବଂ ଅଙ୍ଗନବାଡ଼ି କେନ୍ଦ୍ରର ମରାମତି ଭଳି ପ୍ରାୟ ୪୨ଟି ପ୍ରକଳ୍ପ ପାଇଁ ଅନୁମୋଦନ କରାଯାଇଥିଲା । ସେଥିମଧ୍ୟରୁ କିଛି ପ୍ରକଳ୍ପର କାମ ମଧ୍ୟ ସରିଛି । ପ୍ରାୟ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପର କାର୍ଯ୍ୟକାରିତାକୁ ନେଇ ଉଠିଛି ପ୍ରଶ୍ନବାଚୀ । ତେବେ ଏହି ପ୍ରକଳ୍ପ ଗୁଡ଼ିକ ନିମନ୍ତେ ଅର୍ଥ ମଞ୍ଜୁରର ବାସ୍ତବ ଚିତ୍ର ଜଣାପଡିନାହିଁ ।
ଏହି ଘଟଣାରେ କପ୍ତିପଦା ବ୍ଲକରେ ପଶିଛି ଭିଜିଲାନ୍ସ । ବାରିପଦା ଭିଜିଲାନ୍ସ ବିଭାଗର ବରିଷ୍ଠ ଅଧିକାରୀଙ୍କ ତତ୍ତ୍ଵାବଧାନରେ କପ୍ତିପଦା ବ୍ଲକରେ ଏକ ଟିମ୍ ପହଞ୍ଚି ଘଟଣାର ଛାନଭିନ୍ କରିଛି । ବୁଲବୁଲ ବାତ୍ୟାକୁ ଆଳ କରି ଏହି ବ୍ଲକରେ ହୋଇଥିଲବା ଅନିୟମିତତା ତଦନ୍ତ କରିବା ସହିତ କାଗଜପତ୍ର ଯାଞ୍ଚ କରିଛି ଭିଜିଲାନ୍ସ । ବ୍ଲକକୁ ଭିଜିଲାନ୍ସ ଟିମ୍ ଆସି କାଗଜପତ୍ର ଯାଞ୍ଚ କରିଥିବା କଥାକୁ ବିଡ଼ିଓ ସତ୍ୟନାଥ ନାୟକ ସ୍ବୀକାର ମଧ୍ୟ କରିଛନ୍ତି । ପ୍ରାୟ ୪୨ ଟି ପ୍ରକଳ୍ପକୁ ନେଇ ତଦନ୍ତ ହୋଇଥିବା ସେ ସୂଚନା ଦେଇଛନ୍ତି । ସେହିପରି କପ୍ତିପଦା ତହସିଲ ପକ୍ଷରୁ ମଧ୍ୟ ବୁଲବୁଲରେ କୈାଣସି କ୍ଷୟକ୍ଷତି ରିପୋର୍ଟ ଦିଆଯାଇନଥିବା ସୂଚନା ମିଳିଛି । ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ ଅନିୟମିତତାକୁ ନେଇ ହୋଇଥିବା ଅଭିଯୋଗ ତଦନ୍ତ କରାଯାଇଥିବା ବାରିପଦା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଏହି ଘଟଣାକୁ ନେଇ ସୂଚନା ଅଧିକାରୀ କର୍ମୀ ଜିତୁ ନାୟକ ମଧ୍ୟ ମହାଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି । ତହସିଲ ପକ୍ଷରୁ କୈାଣସି କ୍ଷୟକ୍ଷତି ରିପୋର୍ଟ ଦିଆଯାଇନଥିଲେ ମଧ୍ୟ କିପରି ବ୍ଲକ ପକ୍ଷରୁ କିପରି କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ପ୍ରକଳ୍ପ ଅନୁମୋଦନ କରାଗଲା ଏବଂ କିଛି ସ୍ଥାନରେ କାମ ହେଲା ତାହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଶ୍ରୀ ନାୟକ । ଉଲ୍ଲେଖଯୋଗ୍ୟ ଯେ ମୟୁରଭଞ୍ଜ ଜିଲ୍ଲାର ୫ ବ୍ଲକ ଅନ୍ତର୍ଗତ ୯୯ ପଞ୍ଚାୟତର ୫୫୬ ଗାଁରେ ୪୦୭୯.୧୬ ହେକ୍ଟର ଚାଷ ଜମି ବାତ୍ୟା ବୁଲବୁଲ କାରଣରୁ ପ୍ରଭାବିତ ହୋଇଥିଲା । ପ୍ରଭାବିତ ହୋଇଥିବା ବ୍ଲକ ଗୁଡ଼ିକ ହେଲା ବଡସାହି, ବେତନଟୀ, ରାସଗୋବିନ୍ଦପୁର,ସୋରଡ଼ା ଓ ଗୋପବନ୍ଧୁନଗର । ମାତ୍ର କପ୍ତିପଦା ବ୍ଲକରେ ସେପରି କ୍ଷୟକ୍ଷତି ହୋଇନଥିଲା ।

Related Posts

About The Author

Add Comment