ଭଦ୍ରକ, ୧୭/୨/୨୦ (ସନ୍ଧାନ ନିଉଜ) : ଦେଶ ସ୍ୱାଧୀନ ହେଲା, ସମସ୍ତଙ୍କ ମୁହଁରେ ହସ ଫୁଟିଲା । ହେଲେ ସ୍ୱାଧୀନତା ପାଇଥିବା ସଂଗ୍ରାମୀଙ୍କ ପରିବାରଙ୍କ ଆଖିରେ ଆଜି ଲୁହ । ଦୁଇ ଓଳି ଦୁଇ ମୁଠା ଖାଇବାକୁ ଦାନା ଗଣ୍ଡେ ନାହିଁ । ଭଂଗାଘରେ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖୁଛନ୍ତି ତାଙ୍କ ପରିବାର । ସରକାର କାହିଁକି ଏଭଳି ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ବୃଦ୍ଧା ବିଧବା ପତ୍ନୀଙ୍କୁ ଭତ୍ତା ଦେବାରୁ ବଂଚିତ କରିଛନ୍ତି, ସେ ନେଇ ଉଠିଛି ପ୍ରଶ୍ନ । ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଦେଶକୁ ସ୍ୱାଧୀନ କରି ନିଜ ପରିବାରକୁ ଅବହେଳା କରିଥିବା ସଂଗ୍ରାମୀଙ୍କ ବିଧବା ପତ୍ନୀଙ୍କୁ ଭତ୍ତା ସହ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାରେ କାହିଁକି ଯେ ସରକାର ଏଭଳି ଅବହେଳା ପ୍ରଦର୍ଶନ କରିଛନ୍ତି, ସେକଥା କହିବ କିଏ । ତେବେ ନିଜ ପରିବାର ସୁଖକୁ ଭୁଲି ଦେଶ ସ୍ୱାଧୀନତା ପାଇଁ ଅଣ୍ଟା ଭିଡିଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ବିଧବା ବୃଦ୍ଧା ପତ୍ନୀ ଟୋପାଏ ଔଷଧ ଖାଇବା ପାଇଁ ଏବେ ଛଟପଟ ହେଉଛନ୍ତି । ଦୁଇ ଓଳି ଦୁଇ ମୁଠା ଖାଇବା ଏହି ମହରଗ ଦୁନିଆରେ ଯୋଗାଡ କରିବା ପାଇଁ ତାଙ୍କ ପାଖରେ ସମ୍ବଳ ମଧ୍ୟ ନାହିଁ । ଏକଥା କ୍ଷୋଭର ସହ କହନ୍ତି ଏହି ଜିଲାର ଧାମନଗର ବ୍ଲକ୍ ଖପରପଦା ଅଂଚଳର ସ୍ୱାଧୀନତା ସଂଗ୍ରାମୀ ୰ ସଚ୍ଚିଦାନନ୍ଦ ପଣ୍ଡାଙ୍କ ବିଧବା ପତ୍ନୀ ସୁଷମା ।
ନଇଁ ଯାଇଥିବା ଭଂଗା ଚାଳଛପର ଘରେ ରହି ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖୁଥିବା ଏହି ସଂଗ୍ରାମୀଙ୍କ ପରିବାର ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହୋଇଥିଲେ ବି ସଚ୍ଚିଦାନନ୍ଦଙ୍କ ମୃତ୍ୟୁର ଦୀର୍ଘ ୧୭ ବର୍ଷ ପରେବି କୌଣସି ସରକାରୀ ସହାୟତା ନପାଇବା ଦୁର୍ଭାଗ୍ୟଜନକ ନୁହେଁକି । ଏ ନେଇ ସରକାରଙ୍କ ଠାରେ ବାରମ୍ବାର ବିନତି କରିବା ସତ୍ୱେ କୌଣସି ସୁଫଳ ନମିଳିବା ଜଣେ ସଂଗ୍ରାମୀ ପରିବାର ସଦସ୍ୟ କହିବା ପାଇଁ ଲଜ୍ଜାବୋଧ କରୁଛନ୍ତି । ସଚ୍ଚିଦାନନ୍ଦଙ୍କ ବିଧବା ପତ୍ନୀ ସୁଷମା ସ୍ୱାଧୀନତା ସଂଗ୍ରାମୀ ଭତ୍ତା ପାଇବାରୁ ବଂଚିତ ହୋଇଥିବା ଅଭିଯୋଗକୁ ସ୍ୱୀକାର କରିଛନ୍ତି ସ୍ଥାନୀୟ ସରପଞ୍ଚ । ତେବେ ସ୍ଥାନୀୟ ବିଧାୟକ ତଥା ବିରୋଧୀୟ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସହ ଏ ନେଇ ଆଲୋଚନା କରିବା ପରେ ସେ ତୁରନ୍ତ ଏହାର ସମାଧାନ ହେବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିବାରୁ ଆଶାର କିରଣଟିଏ ଦେଖାଦେଇଛି ଏହି ପରିବାର ପାଇଁ । ଏବଂ ଖୁବ୍ଶୀଘ୍ର ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ଓ ରେସନ୍ କାର୍ଡ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ସରପଞ୍ଚ । ତେବେ ଦେଶରେ ମୁକ୍ତି ସଂଗ୍ରାମରେ ଝାସ ଦେଇଥିବା ସଚ୍ଚିଦାନନ୍ଦଙ୍କ ପରି ବହୁ ଦେଶପ୍ରେମୀ ପରିବାର ଆଜି ବି ଦୁଃଖକଷ୍ଟରେ କାଳ କାଟୁଥିଲେ ବି ସରକାର ସେମାନଙ୍କ ପ୍ରତି ଆଖି ବୁଜିଦେବା ଘଟଣା ଆମ୍ଭମାନଙ୍କର ଅପାରଗତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁନାହିଁକି!