ଦୁର୍ଘଟଣାରେ ଚାଲିଗଲା ଜୀବନ

Spread the love

 ସୁନ୍ଦରଗଡ଼, 19.01.2021 (ସନ୍ଧାନ ନିଉଜ୍) :-  ସୁନ୍ଦରଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସୁନ୍ଦରଗଡ଼ ଲେଫ୍ରିପଡ଼ା ରାସ୍ତାର ଟାଙ୍ଗରପାଲି ଗ୍ରାମରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏକ ଟ୍ରଲର ବୋଲେରୋକୁ ଧକ୍କା ଦେଇ ରାସ୍ତା କଡ଼ରେ ଥିବା ଘର ଭିତରକୁ ପଶି ଯାଇଥିଲା । ଏହି ଦୁର୍ଘଟଣାରେ ବୋଲେରୋରେ ବସିଥିବା ପାଲା ଗାୟକ ଏବଂ ବୋଲେରୋ ଚାଳକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ଟ୍ରଲର ଚାଳକଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି । ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଆହଙ୍କୁ ଚିକିତ୍ସା ପାଇଁ ସୁନ୍ଦରଗଡ଼ ମୁଖ୍ୟ ସରକାରୀ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି । ସୂଚନାନୁସାରେ, କଟକ ନରସିଂହପୁର ବ୍ଲକ ଅନ୍ତର୍ଗତ କୋକୋଳବା ଗ୍ରାମର ପାଲା ଗାୟକ ପ୍ରଭାକର ମହାପାତ୍ର ଓରଫ ବାବୁଲି (୫୪)ଙ୍କ ସହ କୋକୋଳବା ଗ୍ରାମର ଇନ୍ଦ୍ରମଣୀ ବେହେରା, କାଠଖୁ ଗ୍ରାମର ଦିଲ୍ଲୀପ ମଲ୍ଲିକ, ପାଇକବାରବାଟି ଗ୍ରାମର ପ୍ରଶାନ୍ତ ରାଉତ ଏବଂ ଖୋର୍ଦ୍ଧା ପୋଡାଡିହ ଗ୍ରାମର ବେଣୁଧର ସାହୁ (ବାୟକ) ପାଲା କରିବାକୁ ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକର ଗମ୍ଭାରୀଡିହ ଗ୍ରାମକୁ ଯାଇଥିଲେ । ରବିବାର ରାତିରେ ପାଲା ପରିବେଷଣ କରି ସୋମବାର ସକାଳେ ଓଆର୧୬ଡି ୯୩୬୦ ନମ୍ବର ବିଶିଷ୍ଟ ବୋଲେରୋରେ ଝାରସୁଗୁଡ଼ା ସେମାନେ ବାହାରିଥିଲେ। ଟାଙ୍ଗରପାଲି ଗ୍ରାମ ପହଞ୍ଚିବା ପୂର୍ବରୁ ସୁନ୍ଦରଗଡ଼କୁ ଦ୍ରୁତଗତିରେ ଆସୁଥିବା ଓଡି୧୬ଏ ୭୧୯୭ ନମ୍ବର ବିଶିଷ୍ଟ ଟ୍ରଲର ପାଲା କଳାକାରଙ୍କ ବୋଲେରୋକୁ ଧକ୍କା ଦେଇ ଘୋଷାଡି ନେଇଥିଲା । ଏପରିକି ରାସ୍ତା କଡ଼ରେ ଥିବା ଏକ ଘର ଭିତରକୁ ଟ୍ରଲରଟି ପଶି ଯାଇଥିବା ଦେଖିବାମୁ ମିଳିଛି । ଟ୍ରଲର ଧକ୍କାରେ ବୋଲେରୋରେ ବସିଥିବା ପାଲା ଗାୟକ ପ୍ରଭାକର ମହାପାତ୍ରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିବା ସହ ବୋଲେରୋ ଚାଳକ ଓ ଅନ୍ୟ ତିନିଜଣ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ବୋଲେରୋ ଚାଳକଙ୍କୁ ଡାକ୍ତରଖାନା ନିଆଯାଉଥିବା ବେଳେ ରାସ୍ତାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଖବର ପ୍ରସାରିତ ହେବା ପରେ ନରସିଂହପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତଦେହ ବ୍ୟବଚ୍ଛେଦ ହୋଇ ରାତିରେ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଥିଲା ।

Related Posts

About The Author

Add Comment