ଭଦ୍ରକ , ୬/୮/୨୦(ସନ୍ଧାନ ନିଉଜ):-ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ବାରୋ ପଞ୍ଚାୟତର ଶାସନଖାସ ଗ୍ରାମର ମଦ ବିରୋଧୀ ଶାନ୍ତି କମିଟିର ସଭ୍ୟମାନଙ୍କୁ ଜଣେ ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ଗୁରୁବାର ତିହିଡ଼ି ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୋଲିସ ସୂଚନା ଅନୁଯାୟୀ, ବାରୋ, ଶାସନଖାସ ଓ ଦହପାଣିଆ ଅଞ୍ଚଳରେ ଗତ କିଛି ଦିନ ହେଲା ଚୋରା ମଦ ବିକ୍ରି ଚାଲିଥିବା ଅଭିଯୋଗ ହେଉଛି। ସେଥିପାଇଁ ମଦ୍ୟପଙ୍କ ପ୍ରଦୁର୍ଭାବ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ପ୍ରତିହତ କରିବା ପାଇଁ ଗତ ୩୦ତାରିଖରେ ଗାଁର ଶାନ୍ତି କମିଟି ତରଫରୁ ଏକ ସଭା କରାଯାଇ ମଦ ବିକ୍ରି ବନ୍ଦ କରିବା ପାଇଁ ନିଷ୍ପି ନିଆଯାଇଥିଲା । ଏହାକୁ ବିରୋଧ କରି ଚବିଶପଡ଼ା-ଡାଙ୍ଗମାଳ ଗ୍ରାମର ଆଲୋକ ମଳିକ ଶାସନଖାସ, ଗ୍ରାମକୁ ଯାଇ ସେଠାରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଶାନ୍ତି କମିଟିର ସଭ୍ୟମାନଙ୍କୁ ଜୀବନରେ ମାରିଦେବାର ଧମକ ଦେଇଥିଲେ। ଏନେଇ ଗତ ୨ତାରିଖ ସନ୍ଧ୍ୟାରେ ଶାସନଖାସ ଶାନ୍ତି କମିଟି ପକ୍ଷରୁ ଗ୍ରାମରେ ଏକ ସଭା କରାଯାଇଥିଲା । ଏ ସମ୍ପର୍କରେ ଆଲୋଚନା କରାଯାଇ ଦହପାଣିଆ ବାଶୁଳୀ କମିଟିକୁ ଏ ସମ୍ପର୍କରେ ଜଣାଇବା ପାଇଁ ଗୁରୁବାର ପୂର୍ବାହ୍ନରେ କମିଟିର ସଭ୍ୟମାନେ ଯାଉଥିବା ସମୟରେ ଆଲୋକ ମଳିକ ସୋସାଇଟି କାର୍ଯ୍ୟାଳୟ ପଛରୁ ବାହାରି ଶାନ୍ତି କମିଟିରେ ଲୋକମାନଙ୍କୁ ଲୁହା ରଡ଼ରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ଶାନ୍ତି କମିଟିର ୨ଜଣ ସଭ୍ୟ ଗୁରୁତର ଆହତ ହୋଇ ତିହିଡ଼ି ଡାକ୍ତରଖାନାରେ କେସିତ ହେଉଛନ୍ତି । ଏହାକୁ ବିରୋଧ କରି ସ୍ଥାନୀୟ ଅଞ୍ଚଳର ଭାସ୍କର ଚନ୍ଦ୍ର ନାୟକ, ଚିନ୍ମୟ କୁମାର ଦାସ, ରାଜେନ୍ଦ୍ର ମଳିକ, ରାଜକିଶୋର ଲେଙ୍କା, ବିମରେଶ ସାହୁ ପ୍ରମୁଖଙ୍କ ସମେତ ଶତାଧିକ ଲୋକ ଆକ୍ରମଣକାରୀଙ୍କୁ ଗିରଫ କରିବା ଦାବିରେ ତିହିଡ଼ି ଥାନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତିହିଡି ଥାନାକାରୀ ରମେଶ ସିଂ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବାର ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ଫେରିଥିଲେ ।
ତିହିଡ଼ି ଥାନା ଆଗରେ ବିକ୍ଷୋଭ
|
September 6, 2020 |
