କୋରାପୁଟ, ୨୬/୩ (ସନ୍ଧାନ ନିୟୁଜ) କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲିଗୁମ୍ମା ପଞ୍ଚାୟତରେ ରହିଛି ତାଳଗୁଡ଼ ଗ୍ରାମ। ମୁଖ୍ୟରାସ୍ତାରୁ ୭.୫ କିମି ଓ ରୋହିଆମ୍ବ ଗ୍ରାମରୁ ୩ କିମି ଦୂରରେ ରହିଛି ଏହି ଗାଁ। ପିଡବ୍ଲ୍ୟୁଡି ମୁଖ୍ୟରାସ୍ତାରୁ ରୋହିଆମ୍ବ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅଧୀନରେ ପକ୍କାରାସ୍ତା ନିର୍ମାଣ କରାଯାଇଥିଲେ ମଧ୍ୟ ତାଳଗୁଡ଼ ରାସ୍ତାକୁ ପ୍ରଶାସନ ଅଣଦେଖା କରୁଛି। ତାଳଗୁଡ଼ ଗାଁକୁ ଯାଇଥିବା ରାସ୍ତାଟି ଏକ ପ୍ରକାର ମରଣଯନ୍ତା ପାଲଟିଛି। ତାଳଗଡ଼ରେ ୨୫ ପରିବାର ବସବାସ କରନ୍ତି । ୨ଟି ସାହି ରହିଛି। ଏମାନଙ୍କ ମୁଖ୍ୟ ଜୀବିକା ହେଲା ପୋଡୁଚାଷ । ଏହି ଗାଁକୁ ଯିବାକୁ ହେଲେ ଜଙ୍ଗଲ ପାହାଡ଼ିଆ ରାସ୍ତା ଦେଇ ଯିବାକୁ ପଡ଼େ । ୪ ଚକିଆ ଯାନ ତ ଦୂରର କଥା, ଗାଁରେ ସାଇକେଲରେ ବସି ଯିବା ବି ଏକ ପ୍ରକାର ସ୍ବପ୍ନ। ରାସ୍ତା ସମସ୍ୟା ଯୋଗୁ ଏହି ଗାଁର ଲୋକେ ସହଜରେ ସ୍ବାସ୍ଥ୍ୟସେବା ପାଇପାରନ୍ତି ନାହିଁ। ଗର୍ଭବତୀ କିମ୍ବା ଗୁରୁତର ରୋଗୀଙ୍କୁ ପଥୁରିଆ ରାସ୍ତାରେ ଭାରକରି ବୋହିନେବାକୁ ପଡ଼େ। ଅସୁସ୍ଥ ବ୍ୟକ୍ତିଙ୍କୁ ବୁହାହୋଇ ରୋହିଆମ୍ବ ଗାଁ ପର୍ପ୍ୟନ୍ତ ନିଆଯାଏ ଓ ସେଠାରୁ ଗାଡ଼ି କରି ଚିକିତ୍ସାଳୟରେ ଭର୍ତ୍ତି କରାଯାଏ ବୋଲି ସ୍ଥାନୀୟ ଗ୍ରାମବାସୀ ଜଣାଇଛନ୍ତି । ତେଣୁ କୌଣସି ରୋଗ ହେଲେ ଏଠିକାର ବାସିନ୍ଦା ଡାକ୍ତରଖାନା କଥା ନ ଭାବି ପ୍ରଥମେ ଚେରମୂଳି ଔଷଧ କଥା ଚିନ୍ତା କରିବାକୁ ବାଧ୍ୟ ହୁଅନ୍ତି। ଆମ ଗାଁ କଥା ପ୍ରଶାସନ କିମ୍ବା ଜନ ପ୍ରତିନିଧି ଅଣଦେଖା କରିଛନ୍ତି ା ତେଣୁ ଏବେ ନିର୍ବାଚନରେ ଗାଁରେ କାହାକୁ ପ୍ରବେଶ କରାଇଦେବୁ ନାହିଁ ବୋଲି ଚନ୍ଦ୍ର ମୁଦୁଲି, ଚକିତ ମାଝି, ଶୋଭା ଜାନୀଙ୍କ ସମେତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ ଡମ୍ବରୁଧର ମଲ୍ଲିକ କୌଣସି ଉତ୍ତର ଦେଇ ନ ଥିଲେ।
ତାଳଗୁଡ଼ ଗ୍ରାମର ବିକାଶ ଦିଗହରା,ସରକାରଙ୍କ ୧୯ବର୍ଷର ଶାସନରେ ମୌଳିକ ସୁବିଧା ମଧ୍ୟ ନାଇଁ
|
March 26, 2019 |