ଟାଇମସ୍ ପତ୍ରିକାର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ମୁକେଶ ଅମ୍ବାନି

Spread the love

ଭୁବନେଶ୍ୱର, ୧ ୮/୪ (ସନ୍ଧାନ ନିୟୁଜ) : ଟାଇମସ୍ ପତ୍ରିକାର ସବୁଠୁ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର  ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କୁ ସ୍ଥାନ ମିଳିଛି। ବିଶ୍ୱର ସମ୍ମାନଜନକ ପତ୍ରିକା ଟାଇମସ୍ ପକ୍ଷରୁ ୨୦୧୯ ପାଇଁ ଦୁନିଆର ସବୁଠୁ ପ୍ରଭାବଶାଳୀ ୧୦୦ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ସେହି ତାଲିକାରେ ମୁକେଶଙ୍କ ସମେତ ତିନି ଜଣ ଭାରତୀୟଙ୍କ ନାମ ରହିଛି । ଏହି ତାଲିକାରେ ଜନସ୍ୱାର୍ଥ ମାମଲା ପରିଚାଳନା କରୁଥିବା ଅରୁନ୍ଧତୀ କାଟ୍ଜୁ ଏବଂ ସମଲିଙ୍ଗୀମାନଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ମାନେକା ଗୁରୁସ୍ୱାମୀଙ୍କ ନାମ ମଧ୍ୟ ରହିିଛି ।

ଟାଇମସ୍ ପତ୍ରିକା ପାଇଁ ମୁକେଶଙ୍କ ବିଷୟରେ ମହିନ୍ଦ୍ରା ଗ୍ରୁପ୍ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି ଯେ, ମୁକେଶଙ୍କ ବାପା ଧୀରୁଭାଇ ଅମ୍ବାନିଙ୍କ ଭାରତୀୟ ବ୍ୟବସାୟକୁ ନେଇ ଏକ ଦୂରଦୃଷ୍ଟି ଥିଲା ଯିଏ ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ବିଶ୍ୱ ସ୍ତରରେ ପହଂଚାଇବାକୁ ଲକ୍ଷ୍ୟ ରଖିଥିଲେ । ମୁକେଶଙ୍କ ଅଭିଳାଷ ବା ଦୂରଦୃଷ୍ଟି ତା’ଠାରୁ ଆହୁରି ଅଧିକ ରହିଛି । ରିଲାଏନ୍ସ ଜିଓ ମୋବାଇଲ୍ ଡାଟା ନେଟୱର୍କ ଜରିଆରେ ୨୮୦ ନିୟୁତରୁ ଅଧିକ ଲୋକଙ୍କୁ ସୁଲଭ ମୂଲ୍ୟର ୪ଜି ସହିତ ଯୋଡ଼ି ସାରିଥିବା ମୁକେଶଙ୍କ ଏହି ସଫଳତା ଅନନ୍ୟ ବୋଲି କୁହାଯାଇପାରିବ ବୋଲି ମହିନ୍ଦ୍ରା ଲେଖିଛନ୍ତି ।

ଯେତେବେଳେ ଏହାର ବୃହତ ରିଟେଲ୍ ବ୍ୟବସାୟ ଇ-କମର୍ସ ପାଇଁ ଜିଓ ନେଟୱର୍କ ସହ ସମ୍ମିଳିତ ହେବ ସେତେବେଳେ ଏହା ଆମାଜନ୍ ଭଳି ପ୍ରତିଷ୍ଠିତ କଂପାନିମାନଙ୍କୁ ମଧ୍ୟ କଡ଼ା ଟକ୍କର ଦେବ । ସେହିଭଳି ଜିଓ ନେଟୱର୍କ ସହିତ ମନୋରଂଜନ କ୍ଷେତ୍ରର ପ୍ରସାର ହେବା ପରେ ଏହା ଭାରତର ପ୍ରଥମ ପସନ୍ଦର ମନୋରଂଜନ ମାଧ୍ୟମ ହେବ ବୋଲି ମହିନ୍ଦ୍ରା ଉଲ୍ଲେଖ କରିଛନ୍ତି । ଏ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।୨୦୦୩ରେ ମୁକେଶ ଏକ ବିଜ୍ଞାପନରେ ଲେଖିଥିଲେ ଯେ ‘ଆପଣଙ୍କ ହାତ ମୁଠାରେ ସାରା ଦୁନିଆ ରହିବ ।’  ତାହାକୁ ସେ ସତ କରି ଦେଖାଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ।

ଟାଇମସର ଏହି ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍, ପୋପ୍ ଫ୍ରାନ୍ସିସ୍, ଗଲ୍ଫ ଖେଳାଳୀ ଟାଇଗର୍ ଉଡସ୍, ଫେସବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବଗ୍, ୟୁଏସ ଓପନ ଟେନିସ ବିଜେତା ନାଓମି ଓସାକା, ଅଭିନେତା ମାହେରଶାଲା ଅଲ୍ଲୀ, ଓସ୍କାର ବିଜେତା ଅଭିନେତା ରାମି ମାଲେକ, ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ପତ୍ନୀ ମିଶେଲ ଓବାମା, ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ୍ ରାମଫୋସା, ଓସ୍କାର ବିଜେତା ଗାୟିକା ଓ ଅଭିନେତା ଲେଡି ଗାଗା, ଆବୁଧାବିର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ଜାୟେଦ, ସ୍ପେସିଆଲ କାଉନସେଲ ରବର୍ଟ ମୁଲର ଏବଂ ଆମେରିକା ବାଚସ୍ପତି ନେନ୍ସି ପେଲୋସିଙ୍କ ନାମ ରହିଛି ।

Related Posts

About The Author

Add Comment