ଝିଙ୍କ ଧରିବାକୁ ଯାଇ ଜଣେ ମୃତ ଜଣେ ଆହତ

ମାଲକାନଗିରି,୧୫/୭ (ସନ୍ଧାନ ନିୟୁଜ ) ଜଙ୍ଗଲକୁ ଝିଙ୍କ ଶିକାର କରିବାକୁ ଯାଇ ପାହଡଗୁମ୍ଫା ଭିତରେ ଶ୍ୱାସରୁଦ୍ଧ ହୋଇ ଜଣେ ଯୁବକର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଯୁବକ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଥାନାସ୍ଥ ଝରାପାଲି ଗ୍ରାମରେ । ଝରାପାଲି ଗ୍ରାମର ୫ଜଣ ଯୁବକ ନିକଟସ୍ଥ ତେଲିମେଟା ଜଙ୍ଗଲକୁ ଶନିବାର ଦିନ ଝିଙ୍କ ଶିକାର କରିବାକୁ ଯାଇଥିଲେ । ଏକ ପାହଡପଥର ଗୁମ୍ଫାଭିତରେ ଝିଙ୍କ ଥିବାର ଜାଣି ସେହି ଗୁମ୍ଫାଭିତରକୁ ଧୁଆଁ ଛାଡି ଜଗିରହିଥିଲେ । ରାତ୍ର ହେବାପରେ ମଧ୍ୟ ଗୁମ୍ଫାରୁ ଝିଙ୍କ ପଦାକୁ ଆସୁନଥିବାରୁ ସେହି ଗୁମ୍ଫାଭିତରକୁ ରାମଚନ୍ଦ୍ର ମାଢି (୨୮)ଓ ସିଙ୍ଗା ମାଢି (୩୦)ପଶିଯାଇ ଝିଙ୍କ କୁ ଖୋଜିଥିଲେ । ସେହି ଦୁଇଜଣ ଗୁମ୍ଫାଭିତରୁ ରାତ୍ର୧୧ଟା ପରେ ମଧ୍ୟ ନବାହାରିବାରୁ କଣ ହେଲା ବୋଲି ସାଥିରେ ଥିବା ଅନ୍ୟମାନେ ଗୁମ୍ଫାଭିତରକୁ ଯାଇ ଦେଖିଲା ବେଳକୁ ଶ୍ୱାସରୁଦ୍ଧ ହୋଇ ରାମଚନ୍ଦ୍ର ମରିପଡିଥିବାବେଳେ ସିଙ୍ଗା ଅଚେତହୋଇ ପଡିଥିଲେ । ସଙ୍ଗେ ସଙ୍ଗେ ଗ୍ରାମର ଅନ୍ୟମାନଙ୍କୁ ଡାକି ସେ ଦୁଇଜଣଙ୍କୁ ଗୁମ୍ଫାମଧ୍ୟରୁ ଉଦ୍ଧାର କରି ବାହରକୁ ଆଣିଥିଲେ ।ରାମଚନ୍ଦ୍ର ଙ୍କ ମୃତ ଶରୀରର ଘରକୁ ନେଇ ଯାଇଥିବା ବେଲେ ଶ୍ୱାସ ରୁଦ୍ଧ ହୋଇ ଗୁରୁତର ହୋଇଥିବା ସିଙ୍ଗା ଙ୍କୁ ଚିକିତ୍ସା ନିମନ୍ତେ ମାଲକାନଗିରି ହସପିଟାଲକୁ ପଠାଇଥିଲେ । ଆଜି ସକାଳେ ଏହି ଘଟଣା ଜାଣିବା ପରେ ଝରାପାଲି ଗ୍ରାମରେ ଶୋକର ଛାୟାଖେଳି ଯାଇଛି,ଶିକାର କରିବାକୁ ଯାଇ ନିଜେ ଶିକାରୀ ଶାକାର ହେବା ଘଟଣା ସମଗ୍ର ମାଲକାନଗିରି ଜିଲ୍ଲାରେ ମୁଖ୍ୟ ଚର୍ଚାର ବିଷୟପାଲଟିଛି । ଏ ସଂପର୍କରେ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରଦୀପ ମିରସେ ଜାଣିବା ପରେ ଘଟଣାସ୍ଥଳକୁ ରେଜଂଅଫିସର ବାସୁଦେବ ନାୟକ ଓ ଅନ୍ୟାନ ବନକର୍ମଚାରୀଙ୍କୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ଯଦି କୌଣସି ବନ୍ୟପ୍ରାଣି ଦ୍ୱାରା ଜଙ୍ଗଲକୁ ଯାଇଥିବା ଯୁବକ ମୃତ ଆହତ ହୋଇଥାନ୍ତି ସେମାନଙ୍କୁ ବନବିଭାଗ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ଡିଏଫଓ ଶ୍ରୀ ମିରସେ କହିଛନ୍ତି । ଅପର ପକ୍ଷରେ ତଦନ୍ତରେ ଯାଇଥିବା ରେଜଂର ଶ୍ରୀ ନାୟକ ଙ୍କୁ ମୃତପରିବାର ଓ ଗ୍ରାମବାସୀ ମାନେ କହିଛନ୍ତି ଗ୍ରାମର କେହି ଲୋକ ଶିକାର କରିବାକୁ ଯାଇନଥିଲେ । ରାମଚନ୍ଦ୍ରଙ୍କ ଗାଇ ଟି ଗତ ଦୁଇଦିନ ହେଲା ହଜି ଯାଇଥିଲା,ସେ ଗାଇକୁ ଖୋଜି ବାକୁ ପାହଡକୁ ଯାଇଥିବାବଳେ ପଥରରେ ଗୋଡ ଖସି ତଳେ ପଡି ମରିଯାଇଛି ବୋଲି ବୟାନ ଦେଇଛନ୍ତି । ଏହି ବୟାନର କେତେ ଦୂର ସତ୍ୟା ସତ ରହିଛି ତାହା ଭଲଭାବରେ ତଦନ୍ତ କଲେ ଜଣାପଡିବ । ଗ୍ରାମବାସୀ ମାନେ ଶିକାର କରିବାକୁ ଯାଇଥିବାରୁ କାଳେ ବନବିଭାଗ ସେମାନଙ୍କୁ ଗିରଫ କରିନେବ ସେ ଭୟରେ ଏହି ପରି ବୟାନ ଦେଇଥାଇ ପରନ୍ତି ବୋଲି ସନ୍ଦେହ କରାଯାଉଛି ।
Related Posts
About The Author