ଝଡ଼ ବର୍ଷା ରେ କଳିଙ୍ଗା ଘାଟିରେ ଭୁସ୍ଖଳନ; ଯାନବାହାନ ଯାତାୟାତ ରେ ଠପ

Spread the love

କନ୍ଧମାଳ,ତା,୧୭/୦୯/୨୫:(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ-ଗଞ୍ଜାମ ଜିଲ୍ଲା ସୀମାନ୍ତ କଳିଙ୍ଗା ଘାଟିରେ ଭୁସ୍ଖଳନ ଘଟି ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଘାଟି ପାଦଦେଶରୁ ପ୍ରାୟ ତିନି କିଲୋମିଟର ଉପରକୁ ବଡ ବଡ ପଥର ଓ ମାଟି ଅତଡା ଖସି ଜାତୀୟ ରାଜପଥ ଉପରକୁ ମାଡି ଆସିଛି। ଏଥିସହ ପ୍ରଵଳ ବେଗରେ ପାହାଡ଼ ପାଣି ମଧ୍ୟ ଉକ୍ତ ସ୍ଥାନ ଦେଇ ପ୍ରବାହିତ ହେଉଛି। ଘାଟି ରାସ୍ତା ଟି ଯାତାୟାତ ପାଇଁ ସମ୍ପୂର୍ଣ୍ଣ ବିପଦପୂର୍ଣ୍ଣ ପାଲଟିଛି। ଭୁସ୍ଖଳନ ସ୍ଥାନରେ ପ୍ରାୟ ୫୦ ମିଟର ରାସ୍ତା ଉପରେ ମାଟି ଓ ପଥର ଜମା ହୋଇ ରହିଛି। ମଝିରେ ମଝିରେ ପଥର ମଧ୍ୟ ଖସୁଥିବା ଜଣାପଡିଛି। ଏଥିସହ ଭୁସ୍ଖଳନ ସ୍ଥାନରୁ ଉଭୟ ପଟର କିଛି ସ୍ଥାନରେ ମାଟି ଅତଡା ଖସି ରାସ୍ତା ଉପରକୁ ପଳାଇଆସିଛି। ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ କେତେବେଳେ କଣ ଘଟିବ କହିବା ମୁସ୍କିଲ ହୋଇପଡିଛି। ଭୂସ୍ଖଳନ ଯୋଗୁ ଘାଟିର ଉଭୟ ପଟେ ବହୁ ଯାନବାହାନ ଅଟକି ରହିଥିବାବେଳେ ସ୍ଥିତି ସ୍ବାଭାବିକ ହେବା ନେଇ କୌଣସି ପରିସ୍ଥିତି ନଥିବାରୁ ଯାନବାହାନ ଗୁଡିକ ଫେରିଯାଇ ବିକଲ୍ପ ରାସ୍ତାରେ ଯାଇଥିବା ଜଣାପଡିଛି।ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାକୁ ସଂଯୋଗ କରିବାରେ ଏହି ଘାଟି ରାସ୍ତାର ବହୁ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଥିବା ବେଳେ ପ୍ରତିଦିନ ଏହି ରାସ୍ତା ଦେଇ ଛୋଟ ବଡ ଶତାଧିକ ମାଲବାହି ଗାଡିଠାରୁ ଆରମ୍ଭ କରି ଯାତ୍ରୀବାହୀ ଗାଡି ଯାତାୟତ କରିଥାଏ। ଏହି ଭୁସ୍ଖଳନ ଫଳରେ ଗମନାଗମନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଥିବା ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ପୁର୍ବରୁ ଏହି ଘାଟିରେ ମାଟି ଅତଡ଼ା ଓ ପଥର ଖସି ରାସ୍ତା ଉପରକୁ ଆସୁଥିବା ବେଳେ ଏତେ ବଡ଼ ଭୁସ୍ଖଳନ ବିଗତ ଦିନରେ ଦେଖିବାକୁ ମିଳିନଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ଘାଟି ର ଠାଏଁ ଠାଏଁ ପାହାଡ଼ି ପାଣି ଝରି ଆସୁଥିବାରୁ ପୁଣି କେଉଁଠି ମାଟି ଅତଡ଼ା ଖସିବାର ଆଶଙ୍କା ରହିଛି। ଖବର ପାଇ ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବିପଦ ଆଶଙ୍କା ରହିଥିବାରୁ ଉକ୍ତ ସ୍ଥାନକୁ ଯିବାକୁ ବାରଣ କରୁଥିବା ଦେଖିବାକୁ ମିଳିଛି।

Related Posts

About The Author

Add Comment