ଯାଜପୁର,୪/୯ (ସନ୍ଧାନ ନିୟୁଜ)(ସାଗରୀକା ଦଳାଇ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଏବଂ କବାଟବନ୍ଧ ଅଞ୍ଚଳରେ ଲଗାଣ ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି। ସରକାରୀ କାର୍ଯ୍ୟାଳୟ, ସ୍କୁଲ, ମେଡ଼ିକାଲ, ଗାଁ ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଛି। ଜଳ ନିଷ୍କାସନର ସୁବିଧା ନ ଥିବାରୁ ଏହି ସବୁ ସ୍ଥାନରେ କିଛି ଦିନ ପର୍ଯ୍ୟନ୍ତ ବର୍ଷା ଜଳ ଜମି ରହିବା ସୁନିଶ୍ଚିତ ବୋଲି ଜଣାପଡିଛି। ବ୍ଲକର ମର୍ଜିତାପୁର, କବାଟବନ୍ଧ, ମଧୁସୂଦନପୁର, ରାଇଛନ୍ଦା, ରେଖିଦେଇପୁର, ଅଞ୍ଜିରା, ଚକ୍ରଧରପୁର, ଏଣ୍ଡଳବା,ତାଳଜଙ୍ଗ,ବୃନ୍ଦାଦେଇପୁର, ଜେନାପୁର, ସାହାଣୀଡ଼ିହ, ପୁରୁଣାବଉଳମାଳ, କମାଗଡ଼, ଅଣ୍ଟିଆ, ଗଡ଼ମଧୁପୁର, ସଂପାରୁ, ମହିସରା, ଆଦି ପଞ୍ଚାୟତର ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ବୃନ୍ଦାଦେଈପୁର ପଞ୍ଚାୟତର ଦଇପୁର ଗ୍ରାମର ମୁଖ୍ୟ ରାସ୍ତା ହରିସାହୁ ଘର ଠାରୁ ବଟ ସାହୁ ଦୋକାନ ପର୍ଯ୍ୟନ୍ତ କୃତ୍ରିମ ହ୍ରଦ ପାଲିଟିଛି । ଏହି ରାସ୍ତା ଦେଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ,ବୃନ୍ଦାଦେଈପୁର ହାଟ, ମା’ମଙ୍ଗଳା ମନ୍ଦିର,ବିଦ୍ୟାଳୟ ଓ ଅନ୍ୟାନ୍ୟ ଯିବା ଆସିବା ପାଇଁ ମୁଖ୍ୟ ରାସ୍ତା ହୋଇଥିଲା ବେଳେ ଡ୍ରେନ୍ ନିର୍ମାଣ ବିଳମ୍ବ ଓ ପାଣିର ନିଷ୍କାସନ ଅଭାବ ଯୋଗୁଁ ଯାତାୟତ ପାଇଁ ବିଭିନ୍ନ ସମସ୍ୟା ଦେଖାଯାଉଛି ।କବାଟବନ୍ଧ ମେଡ଼ିକାଲ ପରିସରରେ ମଧ୍ୟ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ପାଣି ଜମି ରହିଛି। ଯାହା ଫଳରେ ରୋଗୀ ମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଜେନାପୁର ଗ୍ରାମ୍ୟ ବ୍ୟାଙ୍କ ଠାରୁ ହିଙ୍ଗୁଳା ମନ୍ଦିର ରାସ୍ତାରେ ମଧ୍ୟ ପାଣି ଜମି ରହିଛି।ସାହାଣୀଡ଼ିହ ପଞ୍ଚାୟତ ଲୁଣିବେରୀ ସ୍କୁଲ ପରିସରରେ ବହୁ ପରିମାଣର ପାଣି ରହିଥିବା ଦେଖିବାକୁ ମିଳିଛି। ରାଇଛନ୍ଦା ପଞ୍ଚାୟତର ଅଭିରାମ ମନ୍ଦିର ନିକଟରୁ ସରସ୍ୱତୀ ଶିଶୁ ମନ୍ଦିର ପର୍ଯ୍ୟନ୍ତ ଏବଂ ରବିବାର ସାପ୍ତାହିକ ହାଟ ରେ ମଧ୍ୟ ପାଣି ଜମି ଅବସ୍ଥା ବେହାଲ ହୋଇଛି। ମଧୁସୂଦନପୁର ପଞ୍ଚାୟତ ବଳଭଦ୍ରପୁର ଗ୍ରାମର ୯ ନମ୍ବର ୱାର୍ଡ଼ ଅବସ୍ଥା ସଙ୍ଗିନ ହୋଇଛି।ଲୋକମାନେ ପାଣି ଘେରରୁ ବାହାରକୁ ବାହାରି ପାରୁ ନାହାଁନ୍ତି। ସ୍କୁଲ, କଲେଜ, ଅଙ୍ଗନୱାର୍ଡି ପିଲାମାନେ ଯିବା ଆସିବା କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ବହୁ ଜାଗାରେ ଚାଷ ଜମିରେ ପାଣି ଜମି ରହି ବ୍ୟାପକ ଫସଲ ନଷ୍ଟ ହୋଇଛି। ରାସ୍ତା ଉପରେ ପାଣି ଜମି ରହିଥିବା କାରଣରୁ ଲୋକମାନେ ଯିବା ଆସିବା ସମୟରେ ଛୋଟ ଛୋଟ ଦୁର୍ଘଟଣାର ଶିକାର ହେଉଛନ୍ତି । ଏହି ରାସ୍ତାର ଜଳ ନିଷ୍କାାସନ ସମସ୍ୟା ଓ ଡ୍ରେନ୍ କାର୍ଯ୍ୟ ଖୁବ୍ ଶୀଘ୍ର ତ୍ୱରିତ ଦିଗରେ ନିର୍ମାଣ ପାଇଁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।
ଜେନାପୁର ଏବଂ କବାଟବନ୍ଧ ଅଞ୍ଚଳରେ ଲଗାଣ ବର୍ଷା ପ୍ରଭାବ। ଯାତାୟାତ ବାଧାପ୍ରାପ୍ତ।
|
September 5, 2025 |



