ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ଠିକାଦାରଙ୍କ ଚରାଭୂଇଁ ପ୍ରଥମାଖଣ୍ଡ-ବନ୍ଧଡିହ ରାସ୍ତା ନିର୍ମାଣରେ ଦୁର୍ନୀତିର ଗନ୍ଧ,ଠିକାଦାର ମନୋମୁଖି କାର୍ଯ୍ୟକୁ ଅଧିକାରୀଙ୍କ ଅଣଦେଖା

Spread the love

ରସୁଲପୁର, ୨୬/୨(ସନ୍ଧାନ ନିଉଜ/ ଜଗମୋହନ ରାଉତ) ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ-୨ ଠିକାଦାରଙ୍କ ଚାରଭୂଇଁ ପାଲଟିଛି । ବିଭାଗୀୟ ଅଧିକାରୀଙ୍କ କୋହଳ ମନୋଭାବ ଯୋଗୁଁ ଠିକାଦାରମାନଙ୍କର ମନୋମୁଖି କାର୍ଯ୍ୟ ବଢି ଯାଇଛି । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁର ସଂପର୍କ ନିର୍ମାଣ କାର୍ଯ୍ୟକୁ ପ୍ରଭାବିତ କରୁଛି । ରାସ୍ତା ନିର୍ମାଣ ବେଳେ ନିୟମକାନୁନକୁ ଅଣଦେଖା କରାଯାଉଛି । ଏଥିପ୍ରତି ଧ୍ୟାନ ଦିଆନଯାଇ ଠିକାଦାରଙ୍କୁ ବିଲ୍ ପୈଠ କରାଯାଉଛି । ଏଭଳି ରାସ୍ତା ଗୁଡିକ ମଧ୍ୟରୁ ବିଭାଗ ଅଧିନସ୍ଥ ରସୁଲପୁର ବ୍ଲକର ପ୍ରଥମାଖଣ୍ଡ-ବନ୍ଧଡିହ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକକୁ ଉଦାହାରଣ ଭାବରେ ନିଆଯାଇ ପାରେ । ଏହି ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଛି । ଏହାକୁ ଅଣଦେଖା କରାଯାଇ ଠିକାଦାର ପ୍ରତି ଅନୁକମ୍ପା ପ୍ରଦର୍ଶନ କରାଯାଇଛି ବୋଲି କୁହାଯାଉଛି ।
ଅଭିଯୋଗରୁ ଜଣାଯାଏ ପ୍ରଥମାଣ୍ଡି ପଂଚାୟତ ୧୬ନଂ ଜାତୀୟ ରାଜପଥ ମୂଳାପାଳ ଛକଠାରୁ ବ୍ଲକ ସୀମାରରେ ଅବସ୍ଥିୁତି ବନ୍ଧଡିହ ପଂଚାୟତକୁ ସଂଯୋଗ କରୁଥିବା ୧୭.୫କି.ମି. ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମାଣ କରାଯାଉଛି । ଏଥିପାଇଁ ୮କୋଟି ୫୦ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ଉକ୍ତ ରାସ୍ତାର ୧୪.୧୦କି.ମି. ପିଚୁ ଓ ୩.୪୦୦କି.ମି ରାସ୍ତା ଢଳେଇ କରାଯିବାକୁ ଆକଳନ କରାଯାଇଛି । ୧୦ଫୁଟ୍ ଚଉଡା ପୁରୁଣା ରାସ୍ତାକୁ ୧୫ଫୁଟ୍ ଚଉଡା କରାଯିବା ପାଇଁ ପ୍ରାବଧାନ ରହିଛି । ଏଥିସହ ରାସ୍ତାର ତଳସ୍ତର ବାଲି ଓ ମହରମ୍ ମିଶା ସାମଗ୍ରୀକୁ ଦୃଢିକରଣ କରାଯିବ । ଏହି ସ୍ତରକୁ ୬ଇଂଚରେ ସମୀତ ରଖାଯିବ । ଏଥିସହ କଳା ମେଟାଲକୁ ଦୁଇଟି ସ୍ତରରେ ୩ଇଂଚ ଲେଖାଏଁ ମୋଟ ୬ଇଂଚରେ କରାଯିବ । ରାସ୍ତାର ଉଭୟ ପାଶ୍ୱର୍କୁ ୩.୫ଫୁଟ୍ ଚଉଡା କରିବା ପାଇଁ ଆକଳନରେ ଉଲ୍ଲେଖ ରହିଛି । ଏହି ସକାଶେ ୨୦୧୬ ମସିହାରେ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ମେସର୍ସ ଆଶୁତୋଷ କନଷ୍ଟ୍ରକସ୍ନ, ଜାରକାକୁ ନାମରେ ଟେଣ୍ଡର ମିଳିଥିଲା । ଏହି କାର୍ଯ୍ୟକୁ ୨୧/୧୨/୨୦୧୬ରେ ଆରମ୍ଭ କରାଯାଇ ପରବର୍ଷ ଅର୍ଥାତ ୨୦/୧୨/୨୦୧୭ରେ କାର୍ଯ୍ୟ ଶେଷ କରିବାକୁ ଚୁକ୍ତି କରିଥିଲେ । ଏହା ମଧ୍ୟରେ କାର୍ଯ୍ୟ ଶେଷ ହେବାକୁ୧୫ମାସ ବିତିଗଲାଣି । ମାତ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ଭାବରେ ପଡି ରହିଛି । ଠିକାଦାର ଚୁକ୍ତିନାମାକୁ ଖିଲାପ କରି ଚାଲିଛି । ରାସ୍ତା ନିର୍ମାଣକୁ ନେଇ ସରକାରୀ ଆକଳନକୁ ଖିଲାପ କରୁଛି ।

ଏ ଦିଗରେ ବିଭାଗ ପକ୍ଷରୁ ଠିକାଦାରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବଦଳରେ ବିଭାଗ ଠିକାଦାର ପକ୍ଷରୁ କରାଯାଇଥିବା ଅଧପନ୍ତରୀଆ କାର୍ଯ୍ୟକୁ ନେଇ ବିଲ୍ ପୈଠ କରିଦିଆଯିବା ଘଟଣା ବିଭାଗର ଠିକାଦାର ପ୍ରିତିକୁ ପ୍ରମାଣିତ କରୁଛି । ଏହାଛଡା ଶେଷ ହୋଇଥିବା କାର୍ଯ୍ୟରୁ ପିଚୁ ଉଠିଗଲାଣି । ସ୍ଥାନେ ସ୍ଥାନେ ଗାଡ ସୃଷ୍ଟି ହେଲାଣି । ଏ ଦିଗରେ ଠିକାଦାର ଗୁରୁତ୍ୱ ଦେଉନାହିଁ । ହେଲେ ରାସ୍ତା ଶେଷ ହେବାର ୫ବର୍ଷ ପର୍ଯ୍ୟନ୍ତ ମରାମତି କରାଯିବା ନେଇ ବିଧି ରହିଛି । ହେଲେ ସେ ଦିଗରେ ରହିଥିବା ନିୟମକୁ ଠିକାଦାର ପାଳନ କରୁନାହିଁ । ଆକଳନକୁ ଅଣଦେଖା କରାଯାଉଛି । ରାସ୍ତାର ନିମ୍ନମାନର ନିର୍ମାଣକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି ।

ରାସ୍ତା ନିର୍ମାଣ ଦାଇତ୍ୱରେ ଥିବା ଠିକାଦାରକୁ ବଦଳାଇବା ସହ ନିମ୍ନମାନର କାର୍ଯ୍ୟକୁ ଭିଜିଲାନ୍ସ ତଦନ୍ତ କରାଯିବାକୁ ଦାବି ହେଉଛି । ହେଲେ ସେଥିପ୍ରତି ବିଭାଗ ଚୁପ୍ ରହିବାକୁ ନେଇ ବିଭାଗୀୟ ଅଧିକାରୀଙ୍କ ଭୂମିକାକୁ ଗୋଳିଆ କରୁଛି । ଠିକାଦାରଙ୍କ ମନୋମୁଖି କାର୍ଯ୍ୟକୁ ବିଭାଗୀୟ ଅଧିକାରୀମାନେ ଅଣଦେଖା କରୁଛନ୍ତି । ସହାକରୀ ଯନ୍ତ୍ରୀ ସୁଶାନ୍ତ କୁମାର ମହନ୍ତ ଅଧିକାଂଶ ସମୟ ଜାରକା କାର୍ଯ୍ୟାଳୟ ବସି ରହୁଛନ୍ତି । ହେଲେ କାର୍ଯ୍ୟ ସ୍ଥଳ ପରିଦର୍ଶନରେ ଯାଉନାହାଁନ୍ତି । ତେଣେ କୁଆଖିଆ ସେକ୍ସନ ଯନ୍ତ୍ରୀ ଭିମସେନ ମହାରଣା ଏକାଧିକ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ତାଙ୍କୁ ସବୁ କାର୍ଯ୍ୟ ଦେଖିବା ସମ୍ଭବପର ହେଉନାହିଁ । ପ୍ରତ୍ୟେହ କାର୍ଯ୍ୟ ସ୍ଥଳକୁ ଯାଉଛନ୍ତି । ଉପରିସ୍ଥ ଅଧିକାରୀଙ୍କୁ କାର୍ଯ୍ୟକୁ ନେଇ ରିପୋର୍ଟ ପ୍ରଦାନ କରୁଛନ୍ତି । ତେବେ ସେକ୍ସନର ଜଣେ କର୍ମଚାରୀ ଭାବରେ ତାଙ୍କ ଉପରେ ଅତ୍ୟଧିକ କାର୍ଯ୍ୟ ଚାପ ରହୁଛି । ସହାକାରୀ ଯନ୍ତ୍ରୀ ଶ୍ରୀ ମହନ୍ତଙ୍କୁ ପଚାରିବାରୁ ସେ ଅଧିକାଂଶ ସମୟ ଜାରକା କାର୍ଯ୍ୟାଳୟରେ ବିତାଉଥିବା କଥାକୁ ସ୍ୱୀକାର କରୁଛନ୍ତି । ମାତ୍ର ସମୟେ ସମୟେ କାର୍ଯ୍ୟ ସ୍ଥଳ ପରିଦର୍ଶନରେ ଯାଉଛନ୍ତି । ଅଭିଯୋଗ ଆସିଲେ ସେ ଦିଗରେ ଯାହାକିଛି କରିବେ ବୋଲି ପ୍ରକାଶ କରିଛନ୍ତି ।

Related Posts

About The Author

Add Comment