ବାରିପଦା, 28.01.2021 (ସନ୍ଧାନ ନିଉଜ୍):- ଜାମିନ ମିଳିବା ପରେ ମଧ୍ୟ ଜେଲ୍ରେ ରହିବେ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ। ଜାମିନ ପାଇବା ପରେ ବି ଜେଲରୁ ବାହାରିପାରିବେନି ପାଠକ ବାପ-ପୁଅ। ସେମାନଙ୍କ ବିରୋଧରେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ଏହା ସହ ପାଠକ ବାପ-ପୁଅଙ୍କ ନାଁରେ ଖାରବେଳନଗର ଥାନାରେ ମାମଲା ରହିଛି। ପାଠକ ବାପ-ପୁଅଙ୍କୁ ଜାମିନ୍ ମିଳିଛି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଆଇଏଫଏସ୍ ତଥା ପୂର୍ବତନ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ ଏବଂ ଠକେଇ ଓ ଅନ୍ୟାନ୍ୟ ଅଭିଯୋଗରେ ଗିରଫ ଆକାଶ ପାଠକଙ୍କୁ ଜାମିନ ମିଳିଛି। ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ବହୁଚର୍ଚ୍ଚିତ ସିନିୟର ଓ ଜୁନିୟର ପାଠକଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ସୂଚନାଯୋଗ୍ୟ, ଦୁର୍ନୀତି ଓ ଠକେଇ ଅଭିଯୋଗରେ ଗତ ନଭେମ୍ବର ୨୭ରେ ପାଠକ ବାପ-ପୁଅଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଉଭୟ ବାପ-ପୁଅଙ୍କୁ ମୁହାଁମୁହିଁ ବସାଇ ଭିଜିଲାନ୍ସ ଜେରା କରିଥିଲା। ଏହା ପୂର୍ବରୁ ଭିଜିଲାନ୍ସ ପାଠକଙ୍କ ବାସଭବନ ଉପରେ ଚଢାଉ କରି ବିପୁଳ ଅର୍ଥ, ସୁନାଗହଣା ଓ ଆୟବର୍ହିଭୂତ ସ୍ଥାବର-ଅସ୍ଥାବର ସଂପତ୍ତି ଜବତ କରିଥିଲା। ପୁଅ ଆକାଶଙ୍କ ନାମରେ ବି ଆର୍ଥିକ ଅନିୟମିତତା ସହ ଠକେଇ ଅଭିଯୋଗ ରହିଥିଲା। ବାପ-ପୁଅଙ୍କ ଗିରଫ ପରେ ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା। ଅନ୍ୟପଟେ ପାଠକ ବାପ-ପୁଅଙ୍କ ଲିଙ୍କରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ତଦନ୍ତ ପରରିସରକୁ ଆସିଥିଲେ। ତଦନ୍ତ ପରେ ପ୍ରଦୀପ ପାଣିଗ୍ରାହୀଙ୍କୁ ୩ ଡିସେମ୍ବରରେ ରାଜ୍ୟ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ସାଇବର ଥାନାରେ ଜେରା ପରେ ତାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ପ୍ରଦୀପଙ୍କ ବିରୋଧରେ ୪୧୯, ୪୨୦, ୪୬୭, ୪୬୮, ୪୬୯ ଏବଂ ୪୭୧ ଦଫା ଭଳି ସଂଗୀନ ଦଫା ଲାଗିଛି। ଏବେ ବି ପ୍ରଦୀପ ପାଣିଗ୍ରାହୀ ଜେଲ୍ରେ ଅଛନ୍ତି।